ଭୁବନେଶ୍ବର: ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ରାଜଧାନୀରେ ଲକ୍ଷାଧିକ ଗଛ ଉପୁଡ଼ି ପଡ଼ିଲା। ଅଧିକାଂଶ ଗଛ ଅଧାରୁ ଭାଙ୍ଗିଗଲା। ଯୁଦ୍ଧକାଳୀନ ଭିତ୍ତିରେ ଓଡ୍ରାଫ, ଅଗ୍ନିଶମ ବିଭାଗ କର୍ମଚାରୀ ଗଛଗୁଡ଼ିକୁ କାଟି ରାସ୍ତା ସଫା କଲେ। କିନ୍ତୁ ଏହା ପରେ ପରେ ଗଛର ଗଣ୍ଡି ରାସ୍ତା ଉପରେ କିଛି ଦିନ ପଡ଼ି ରହିଲା। ହଠାତ୍ ରାଜଧାନୀରୁ ଉପୁଡ଼ି ପଡ଼ଥିବା ଗଛର ଗଣ୍ଡି ସବୁ ଗାଏବ୍ ହୋଇଯାଇଛି। ଏପରିକି ବିଏମ୍ସି ଓ ପିଡବ୍ଲ୍ୟୁଡି ପକ୍ଷରୁ ଯେଉଁଠି ଫାଙ୍କା ପଡ଼ିଆରେ ଗଛ ଡାଳ ଓ ପତ୍ର ଗଦା କରାଯାଇଥିଲା, ସେଠାରେ ମଧ୍ୟ ଗଣ୍ଡି ନାହିଁ। ଦାରୁଠେଙ୍ଗ ଓ ଭୁଆସୁଣୀ ଡମ୍ପିଂଆର୍ଡରେ ଗଣ୍ଡି ପଡ଼ିଥିବା ଦେଖାଯାଉନି। ଅଧିକାଂଶ ସ୍ଥାନରେ କୃଷ୍ଣଚୂଡ଼ା, ରାଧାଚୂଡ଼ା ଗଛ ଉପୁଡ଼ି ଥିବା ବେଳେ କେତେକ ସ୍ଥାନରେ ଶାଗୁଆନ, ଶାଳ, ପିଆଶାଳ, ଚନ୍ଦନ ଗଛ ମଧ୍ୟ ଉପୁଡ଼ିଥିଲା। ଏହି ସବୁ ମୂଲ୍ୟବାନ ଗଛଗୁଡ଼ିକର ଗଛ ଗଣ୍ଡି ଗଲା କୁଆଡ଼େ? କିଏ ଏସବୁ ବୋହି ନେଲା ? ଡାଳ ଓ ପତ୍ରକୁ କେହି ନେଇ ନ ଥିବା ବେଳେ ଗଣ୍ଡି ଗାଏବ ପଛର ରହସ୍ୟ କ’ଣ ? ଯୋଜନାବଦ୍ଧ ଭାବେ ଲୁଟ୍ କରାଯାଇନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏବେ ରାଜଧାନୀବାସୀଙ୍କ ମନରେ ଉଙ୍କି ମାରିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସମ୍ପର୍କରେ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ ୧୯୯୯ ମହାବାତ୍ୟାବେଳେ ଭାଙ୍ଗି ଯାଇଥିବା ଗଛପତ୍ର ହଟାଇବାରେ ଏତେ ସମସ୍ୟା ଦେଖା ଯାଇନଥିଲା। ଲୋକ ନିଜ ଆଡ଼ୁ ଗଛପତ୍ର କାଟି ଜାଳେଣି କରିଥିଲେ। ଫଳରେ ପରିସ୍ଥିତି ଖୁବ୍ ଶୀଘ୍ର ସ୍ବାଭାବିକ ହୋଇଯାଇଥିଲା। ମାତ୍ର ଏବେ ଘରେ ଘରେ ଗ୍ୟାସ୍ ସଂଯୋଗ ଥିବାରୁ ଲୋକେ ଆଉ ଗଛପତ୍ର କାଟି ଜାଳେଣି କରିବାକୁ ଚାହିଁ ନଥିଲେ। ଫଳରେ ଏସବୁକୁ ହଟାଇବାକୁ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଗଛ କାଟି ଗଡ଼ାଇ ଦେଇଥିଲେ। କିନ୍ତୁ ପରବର୍ତୀ ସମୟରେ ସେଠାରୁ ରାତାରାତି ଗଣ୍ଡି ଗାଏବ୍ ହୋଇଗଲା।
ଏହି ଗଣ୍ଡି ଗାଏବ ପଛରେ ମଧ୍ୟ କେତେକ କାରଣ ରହିଛି। ପ୍ରଶାସନ ପକ୍ଷରୁ ଗଛ କାଟି ନେଇଯିବାକୁ ସାଧାରଣ ଲୋକଙ୍କ ଅନୁରୋଧ କରିବା ପରେ ଏହାର ଫାଇଦା ନେଇଥିଲେ କେତେକ କରତକଳ ବ୍ୟବସାୟୀ, କାଠ ମିସ୍ତ୍ରି, ଜାଳେଣି ବିକ୍ରି କରୁଥିବା ବ୍ୟବସାୟୀ। ବିଏମ୍ସି କିଛି କର୍ମଚାରୀଙ୍କୁ ହାତ କରି ସେମାନେ ଏହି ସବୁ ଗଣ୍ଡି ବୋହି ନେଇଥିବା ଚର୍ଚା ହେଉଛି। ଏପରିକି କେତେକ କରତକଳ ବ୍ୟବସାୟୀ ଏସବୁକୁ ନେଇ ଚିରି ପଟା କରି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ପଟାକୁ ସେମାନେ ଚଢ଼ା ଦରରେ ବିକ୍ରି କରିବାକୁ ଯୋଜନା କରିଛନ୍ତି। ସେହିପରି ଆଉ କିଛି ଗଣ୍ଡିକୁ ଜାଳେଣି ବିକ୍ରି କରୁଥିବା ବ୍ୟବସାୟୀମାନେ ମଜୁରିଆ ଲଗାଇ ହାଣି ନେଇଛନ୍ତି। ତେବେ କିଛି ସରୁ ଗଣ୍ଡିକୁ କେତେକ ବସ୍ତିବାସିନ୍ଦା ଓ ଗୋପାଳକମାନେ ଜାଳେଣି ଉଦ୍ଦେଶ୍ୟରେ ମଧ୍ୟ କାଟି ନେଇଥିବା ସୂଚନା ମିଳିଛି। ଏଭଳି ମୂଲ୍ୟବାନ ଗଣ୍ଡିକୁ ନେଇ ଯିବାକୁ ପ୍ରଶାସନ କହି ଭୁଲ କରିଥିଲା ବୋଲି ମତ ରଖିଛନ୍ତି ଜଣେ ବିଶେଷଜ୍ଞ। ତାଙ୍କ ମତରେ ସରକାର ଚାହିଁଥିଲେ ଏହି ଗଛ ଗଣ୍ଡିକୁ ଏକାଠି କରି ନିଲାମ ଡାକି ପାରିଥା’ନ୍ତେ। ପରବର୍ତୀ ସମୟରେ ସେଗୁଡ଼ିକ ଜାଳେଣି ଭାବେ ବ୍ୟବହାର କରାଯାଇ ପାରିଥାନ୍ତା। ବିଭିନ୍ନ ଶ୍ମଶାନରେ ମଧ୍ୟ ଏଗୁଡ଼ିକୁ ରଖାଯାଇ ପରବର୍ତୀ ସମୟରେ ଦାହ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିଥାନ୍ତା। ସେହିପରି ପତ୍ର ଓ ଛୋଟଛୋଟ ଡାଳକୁ ପୋତି ଖତ କରାଯାଇ କୃଷି କାର୍ଯ୍ୟରେ ବ୍ୟବହାର ହୋଇ ପାରିଥାନ୍ତା। କିନ୍ତୁ ଏଥି ପ୍ରତି ଧ୍ୟାନ ନ ଦେଇ ଏବେ ସେଗୁଡ଼ିକୁ ନିଆଁ ଲଗାଇ ପୋଡୁଛନ୍ତି। ଫଳରେ ପରିବେଶ ମଧ୍ୟ ଦୂଷିତ ହେଉଛି। ଏ ସମ୍ପର୍କରେ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି, ଗଛ ଗଣ୍ଡି କାହାକୁ ନେବାକୁ ଦିଆଯାଇନାହିଁ। ସବୁ ଗଛ ଡାଳ, ପତ୍ରକୁ ଡମ୍ପିଂୟାର୍ଡରେ ପକା ଯାଇଛି।