ଫନିକୁ ମାସେ, ରାଜଧାନୀ ଉପକଣ୍ଠ ତଥାପି ଅନ୍ଧାର

ଭୁବନେଶ୍ୱର: ଫନି ବାତ୍ୟାକୁ ମାସେ ପୂରିଛି। ସହରାଞ୍ଚଳରେ ବିଜୁଳି ସଂଯୋଗ ମିଳିଛି। ହେଲେ ଉପକଣ୍ଠରେ ୧୫ ହଜାର ଉପଭୋକ୍ତା ବିଜୁଳି ପାଇନାହାନ୍ତି। ରାଜଧାନୀରେ ଥିବା ୩ଟି ଡିଭିଜନ୍‌ ଅଧୀନରେ ୪୦ଟି ସେକ୍ସନ ରହିଛି। ଏହି ୪୦ ସେକ୍ସନ ମଧ୍ୟରୁ ତମାଣ୍ଡୋ, କଳିଙ୍ଗନଗର, ଭରତପୁର, ଗୋଡ଼ିସାହି, ବାରଙ୍ଗ, କେସୁରା, ଉତ୍ତରା, ମେଣ୍ଢାଶାଳ ପ୍ରଭୃତି ସେକ୍ସନ ଅଧୀନରେ ପାଖାପାଖି ୩୫ ଗାଁ ରହିଛି। ଏହିସବୁ ଗାଁ ଏବେ ବି ଅନ୍ଧାରରେ ରହିଛି। ଅନ୍ଧାର ସହିତ ମଶାଙ୍କ ଉତ୍ପାତ ଲୋକଙ୍କୁ ହନ୍ତସନ୍ତ କରୁଛି। ସେହିପରି ଅନ୍ଧାରର ସୁଯୋଗରେ ଚୋରି ମଧ୍ୟ ବଢ଼ୁଛି। ଗାଁ ଗଣ୍ଡାରେ ଥିବା ଦୋକାନ ସନ୍ଧ୍ୟାରୁ ବନ୍ଦ ହୋଇଯାଉଥିବା ବେଳେ ହାଟରେ ବ୍ୟବସାୟ ସମୟ ମଧ୍ୟ ପ୍ରଭାବିତ ହୋଇଛି। ଅନେକଙ୍କର ଘର ଭାଙ୍ଗି ଯାଇଥିବାରୁ ଘରର ସଦସ୍ୟମାନେ ପାଳି କରି ଘର ଜଗୁଛନ୍ତି। ତା ଛଡ଼ା ସହରରେ ବିଭିନ୍ନ ଜାଗାରୁ ଉପୁଡ଼ି ଯାଇଥିବା ଗଛ କଟା ହୋଇ ପରିଷ୍କାର ହୋଇଥିବା ବେଳେ ଉପକଣ୍ଠରେ ସ୍ଥିତି ସାଂଘାତିକ ହୋଇଛି। ନିତିଦିନିଆ ରାସ୍ତାରେ ପଡ଼ିଥିବା ଗଛ କଟା ହୋଇ କେବଳ ରାସ୍ତା ଫିଟିଛି ହେଲେ ଗଛର ଗଣ୍ଡି ରାସ୍ତାକଡ଼ରୁ ହଟି ନାହିଁ। ଫଳରେ ଦୁର୍ଘଟଣା ଆଶଙ୍କା ରହୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁ ନଥିବାରୁ ସନ୍ଧ୍ୟା ହେଲେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି।

ଉପକଣ୍ଠରେ ଭିତ୍ତିଭୂମି ଅଧିକାଂଶ ପ୍ରଭାବିତ ହୋଇଥିବାରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ହେଲେ ବାସ୍ତବରେ ଏଥିରେ ବିଭାଗୀୟ ତ୍ରୁଟି ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଥମେ ଅଧିକ ଉପଭୋକ୍ତା ଥିବା ଟ୍ରାନ୍‌ସ୍‌ଫର୍ମରକୁ ସଂଯୋଗ ଦିଆଯାଉଛି। ଅର୍ଥାତ୍‌ ଅତି କମ୍‌ରେ ଶହେ କିଲୋଭୋଲ୍ଟ(କେଭି) ଟ୍ରାନ୍‌ସ୍‌ଫର୍ମରକୁ ସଂଯୋଗ ଦିଆଯାଉଛି। ୨୫କେଭି କିମ୍ବା ୧୬ କେଭି ଟ୍ରାନ୍‌ସ୍‌ଫର୍ମର ଥିବା ଜାଗାକୁ ସଂଯୋଗ ଦିଆଯାଉ ନାହିଁ। ତା ସହିତ କେତେକ ଯୋଜନାରେ ମିଳୁଥିବା ବିଜୁଳି ସଂଯୋଗ ପାଇଁ ଲାଗିଥିବା ଟ୍ରାନ୍‌ସ୍‌ଫର୍ମରକୁ ମଧ୍ୟ ଗୁରୁତ୍ବ ଦିଆଯାଉ ନାହିଁ। ପ୍ରମୁଖ ଜାଗାରେ ବିଜୁଳି ସଂଯୋଗ ପହଞ୍ଚିନି, ସେଥିପାଇଁ ସେଗୁଡ଼ିକୁ ଆଗ ଦେବାପାଇଁ ଯୋଜନା ହେଉଥିବାରୁ ଏଗୁଡ଼ିକୁ ଏବେ ମିଳିବନି ବୋଲି ବିଭାଗୀୟ ଅଧିକାରୀମାନେ କହି ଏହି ସବୁ ଜାଗାରେ ସଂଯୋଗ ଦେବାକୁ ଏଡ଼ାଇ ଦେଉଛନ୍ତି।

ବିଜୁଳି ସଂଯୋଗକୁ ନେଇ ବିଭିନ୍ନ ଜାଗାରେ ଉତ୍ତେଜନା ପ୍ରକାଶ ପାଉଛି। ଦୀର୍ଘ ୩୦ ଦିନ ଧରି ଅନ୍ଧାରେ ରହିବା ପରେ ଲୋକମାନେ ଉତ୍ତ୍ୟକ୍ତ ହୋଇଛନ୍ତି। ଲୋକମାନେ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରମିକମାନେ ‌ଲୋକମାନଙ୍କର ଆକ୍ରୋଶର ଶିକାର ହେଉଥିବାରୁ କାମ ଛାଡ଼ି ଚାଲିଯାଉଥିବା ଦେଖାଯାଉଛି। ଉତ୍ତେଜନାକୁ ଆଳ କରି ସେଠାରେ କର୍ମଚାରୀମାନେ କାମ କରୁନାହାନ୍ତି। ଲୋକମାନେ ମାଡ଼ମାରୁଥିବା ଦର୍ଶାଇ ସେମାନେ ସମ୍ପୃକ୍ତ ଜାଗାରେ ବିଜୁଳି ସଂଯୋଗ ଦେବାପାଇଁ ଉଦ୍ୟମ କରୁନାହାନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ବିଜୁଳି ଯୋଗାଇ ଦେବା ସମ୍ଭବ ହୋଇ ପାରିନି।

ଖୁଣ୍ଟ ଓ ତାର ଗଦା ହୋଇଛି। ହେଲେ ଲୋକ ନାହାନ୍ତି। ଏଣୁ କାମ ହୋଇପାରୁନି। ଏଭଳି ଏକ ଚର୍ଚ୍ଚା ବିଭାଗୀୟ କର୍ମଚାରୀଙ୍କ ଜରିଆରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି। ଦୀର୍ଘ ମାସେ ହେବ ଅନ୍ଧାରରେ ପଡ଼ି ରହିଥିବା ଜନସାଧାରଣ ଏହାକୁ ଗୁରୁତର ସହ ନେଇଛନ୍ତି। ସେକ୍ସନ ଅଫିସ୍‌ରୁ ଆବଶ୍ୟକ ମୁତାବକ ଖୁଣ୍ଟ ବୋହି ନେଉଛନ୍ତି। ନିଜ ନିଜ ଅଞ୍ଚଳରେ ଲୋକମାନେ ପୋତିବା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଯେଉଁଠି ଅଳ୍ପ ସମସ୍ୟା ରହିଛି ସେଠାରେ ଲୋକମାନେ ହିଁ ସର୍ଭେ କରୁଛନ୍ତି। ସର୍ଭେ କରିବା ପରେ ସେକ୍ସନ ଅଫିସ୍‌ରୁ ଉପଯୁକ୍ତ ସରଞ୍ଜାମ ବୋହି ନେଇ ସମ୍ପୃକ୍ତ ଜାଗାରେ ରଖୁଛନ୍ତି। ପରେ କର୍ମଚାରୀ ପହଞ୍ଚି ବିଦ୍ୟୁତ ସଂଯୋଗ ଦେଉଛନ୍ତି।

ସମ୍ବନ୍ଧିତ ଖବର