ଫନିକୁ ବ‌ର୍ଷେ ପୂରିଲା: ବାଉଁଶ ଖୁଣ୍ଟରେ ଝୁଲୁଛି ବିଦ୍ୟୁତ ତାର, ମୁଣ୍ଡ ଉପରେ ମୃତ୍ୟୁ

ବାଲିଅନ୍ତା: ସାମୁଦ୍ରିକ ବାତ୍ୟା ଫନିକୁ ବ‌ର୍ଷେ ପୂରିଲା। ହେଲେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇପାରିଲା ନାହିଁ। ବିପଦଜନକ ଅବସ୍ଥାରେ ଏବେ ବି ବାଉଁଶ ଖୁଣ୍ଟରେ ଝୁଲୁଛି ବିଦ୍ୟୁତ୍‌ ତାର। ମନ୍ଦିରକୁ ବିଦ୍ୟୁତ୍ ସଂଯୋଗ କରିବାକୁ ଯାଇ ଗରିବ ଲୋକଙ୍କ ଜୀବନକୁ ବାଜି ଲଗାଇ ଦିଆଯାଇଛି। ମୁଣ୍ଡ ଉପରେ ମରଣ ଝୁଲୁଛି। ବର୍ଷକ ପରେ ବି ବିଦ୍ୟୁତ୍ ଖମ୍ବ ପୋତା ହୋଇ ପାରିଲା ନାହିଁ। ଫନି କ୍ଷୟକ୍ଷତି ଜନିତ ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ଏଭଳି ଚରମ ଅବହେଳାର ଦୃଶ୍ୟ ଦେଖିବାକୁ ମିଳିଛି ପ୍ରତାପରୁଦ୍ରପୁର ପଞ୍ଚାୟତ ବେତେଣ୍ଡା ଗ୍ରାମରେ।

୧୦୦ କେଭି ଟ୍ରାନ୍ସଫର୍ମରରୁ ପ୍ରାୟ ଅଧ କିମି ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରି ବେତେଣ୍ଡା ଗାଁ ବାଟ ମହାଦେବ ମନ୍ଦିର ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇଛି। ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ପାର୍ଶ୍ବ ବିଲରେ ୨୦ଟି ବାଉଁଶଖୁଣ୍ଟ ଓ କାଠବହ୍ଲା ପୋତି ସେଥିରେ ଅଳ୍ପ ଉଚ୍ଚତାରେ ବିଦ୍ୟୁତ ତାର ଝୁଲୁଛି। ବର୍ଷେ ହେଲା ଏମିତି ଭୟଙ୍କର ଅବସ୍ଥାରେ ବିଦ୍ୟୁତ୍ ଯୋଗାଣ ଚାଲିଛି। କାଳବୈଶାଖୀ ମେଘପବନ ଯୋଗୁଁ ଏହି ତାର ଛିଣ୍ଡି ପଡ଼ିବାର ଆଶଙ୍କା‌ ରହିଛି। ଫଳରେ ସ୍ଥାନୀୟ ହରିଜନ ସାହିବାସିନ୍ଦାମାନେ ଭୟର ବାତାବରଣ ମଧ୍ୟରେ ରହୁଛନ୍ତି। ପୂର୍ବରୁ ଗ୍ରାମ୍ୟ ବିଦ୍ୟୁତ୍‌ କମିଟି ବଳପୂର୍ବକ ମନ୍ଦିର ପାଖକୁ ବିଦ୍ୟୁତ୍‌ ସଂଯୋଗ ନେବାବେଳେ ସାହିବାସିନ୍ଦାମାନେ ବିରୋଧ କରିଥିଲେ। ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଥିଲେ। କିନ୍ତୁ ଗ୍ରାମ୍ୟ କମିଟି ସେମାନଙ୍କୁ ନାଲି ଆଖି ଚୁପ୍ କରାଇ ଦେଇଥିଲା। ଏବେ ସାହିଲୋକମାନେ ମୁହଁ ଖୋଲିବାକୁ ସାହସ ଜୁଟାଇଛନ୍ତି। ତୁରନ୍ତ ବାଉଁଶ ଖୁଣ୍ଟ ହଟାଇବାକୁ ସେମାନେ ଦାବି କରିଛନ୍ତି। ସେମାନଙ୍କ କହିବା କଥା ବର୍ଷକ ପରେ ବି ବିଦ୍ୟୁତ୍ ଖମ୍ବ ନ ପୋତିବା ପାଇଁ ‌ବିଦ୍ୟୁତ୍ ବିଭାଗ ଦାୟୀ। ତେଣୁ ବିଭାଗୀୟ ଅବହେଳା ପାଇଁ ସେମାନଙ୍କ ଜୀବନ କ’ଣ ପାଇଁ ବିପଦରେ ପଡ଼ିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନାହିଁ । ସମସ୍ୟା ସମାଧାନ ଦିଗରେ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ନଚେତ୍ ଉକ୍ତ ସାହିବାସିନ୍ଦାମାନେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର