ଆସୁଛି ଫନି ଭାସିବ ରାଜଧାନୀ, ଭଙ୍ଗା ଡ୍ରେନ୍‌ରେ ଆବର୍ଜନା ଭର୍ତ୍ତି

ପାଣି ନିଷ୍କାସନ ବାଟ ବନ୍ଦ, ବର୍ଷା ଜଳ ନିଷ୍କାସନ ହେବ ମୁଖ୍ୟ ଚାଲେଞ୍ଜ୍‌

ଭୁବନେଶ୍ବର: ଭୟଙ୍କର ରୂପ ନେଉଥିବା ବାତ୍ୟା ‘ଫନି’ ମେ ୩ତାରିଖ ଅପରାହ୍‌ଣରେ ଚିଲିକା ନିକଟସ୍ଥ କୃଷ୍ଣପ୍ରସାଦ ବ୍ଲକର ଉଦୟପୁରରେ ସ୍ଥଳଭାଗକୁ ଛୁଇଁବ। ଏହା ଭୁବନେଶ୍ବର ଓ ବିଭିନ୍ନ ଜିଲ୍ଲା ଦେଇ ଓଡ଼ିଶା ଅତିକ୍ରମ କରିବ। ଏପରିକି ୩ତାରିଖ ସଂଧ୍ୟାରେ ବାତ୍ୟା ପ୍ରଭାବରେ ପ୍ରାୟ ୧୫୦କିମି ବେଗରେ ପବନ ବହିବା ସହ ପ୍ରାୟ ୨୦୦ରୁ ୩୦୦ମିମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ପ୍ରଭାବରେ ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ରାଜଧାନୀ ଏବଂ ଏହା ଉପକଣ୍ଠରେ ବାତ୍ୟାର ମୁକାବିଲା ପାଇଁ ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ହେଁ ବାତ୍ୟା ଜନିତ ବର୍ଷାର ମୁକାବିଲା କରିବାରେ ବିଏମ୍‌ସି ଫେଲ୍‌ ମାରିବ ବୋଲି ଜଳଜଳ ଦିଶିଲାଣି। ବାତ୍ୟା ଫନି ପ୍ରଭାବରେ ରାଜଧାନୀରେ ୨୦୦ରୁ ୩୦୦ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପ‌ାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ରାଜଧାନୀର ଡ୍ରେନ୍‌, ମୁଖ୍ୟ ଡ୍ରେନ୍ ଓ ରାସ୍ତାଘାଟ ଅବସ୍ଥା ଯାହା ଅଛି ସେଥିରେ ରାଜଧାନୀ ଭାସିବ ବୋଲି ଆଶଙ୍କା କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଦୁଇଥର କାଳବୈଶାଖୀ ବର୍ଷା ହୋଇଥିବାବେଳେ ଏଥିରେ ଘଣ୍ଟାଏରେ ହୋଇଥିବା ପ୍ରାୟ ୨୦ମିମି ବର୍ଷାରେ ରାଜଧାନୀର ବହୁ ଅଞ୍ଚଳରେ ପାଣି ଜମିଥିଲା। ଏପରିକି ବହୁ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲା। ତେଣୁ ୨୦୦ମିମି ବର୍ଷା ହେଲେ ରାଜଧାନୀ‌ରେ କିପରି ବିପର୍ଯ୍ୟୟ ସୃଷ୍ଟି ହେବ ‌ତାହା ଏବେଠୁ ବାରି ହୋଇଗଲାଣି।

ରାଜଧାନୀର ଡ୍ରେନ୍‌ଗୁଡ଼ିକରେ ଏବେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିବାବେଳେ ମୁଖ୍ୟ ଡ୍ରେନ୍‌ଗୁଡ଼ିକ ପୋତି ହୋଇ ରହିଛି। ପ୍ରାକ୍‌ ମୌସୁମି ବର୍ଷା ପୂର୍ବରୁ ବିଏମ୍‌ସି ଏହାକୁ ସଫା କରିବାର ଥିଲେ ହେଁ ଏପର୍ଯ୍ୟନ୍ତ ସଫା ହୋଇନି। ସ୍ଥିତି ଯାହା ଅଛି ଯଦି ୨୦୦ମିମି ବର୍ଷା ହୁଏ ତେବେ ପୂରା ରାଜଧାନୀରେ ଅଣ୍ଟେ ଉଚ୍ଚରେ ପାଣି ଜମା ହୋଇଯିବ। କୌଣସି ଗୋଟିଏ ବି ଡ୍ରେନ୍‌ରେ ଜଳ ନିଷ୍କାସନ ସ୍ବାଭାବିକ ହେବନି। ବସ୍ତି ଦୂରର କଥା ପ୍ରତି କଲୋନି, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସବୁଠି ଅଣ୍ଟେ ଉଚ୍ଚରେ ପାଣି ପଶିବ। ଘରୁ ବାହାରିବା କଷ୍ଟକର ହୋଇଯିବ। ବର୍ଷା ଜଳ ନିଷ୍କାସନ ବାଟ ବନ୍ଦ ଥିବାରୁ ପାଣି ପମ୍ପ୍ ଲଗାଇ ପାଣି ନିଷ୍କାସନ କଲେ ବି ଏହା ରାଜଧାନୀ ବାହାରକୁ ବାହାରିବା କଷ୍ଟକର ହେବ। ଏବେ ରାଜଧାନୀରେ ପ୍ରାୟ ୮୦୦କିମିର ଡ୍ରେନ୍‌ ଥିବା‌େ‌ବଳେ ଏଥିରୁ ବିଏମ୍‌ସି ଅଧୀନରେ ଥିବା କିଛି ଡ୍ରେନ୍‌ରୁ ପଙ୍କ କଢ଼ାଯାଇଛି। କିନ୍ତୁ ଜାତୀୟ ରାଜପଥ, ପୂର୍ତ୍ତ ଓ ଇଡ୍‌କୋ ଅଧୀନରେ ଥିବା ପ୍ରାୟ ୪୦୦ କିମିର ଡ୍ରେନ୍‌ଗୁଡ଼ିକ ଏପର୍ଯ୍ୟନ୍ତ ସଫା ହୋଇନି। ଡ୍ରେନ୍‌ ଗଭୀର ଯେତିକି ଅଛି ତା’ର ଅଧା ପୋତି ହୋଇ ରହିଛି। ତେଣୁ ବର୍ଷା ଜଳ ତୁରନ୍ତ ନିଷ୍କାସନ ହେବା ସମ୍ଭାବନା କମ୍‌ ଥିବାରୁ ବାତ୍ୟା ଜନିତ ବର୍ଷା ସାଂଘାତିକ ରୂପ ନେଇପାରେ। ଜୁଲାଇ, ୨୦୧୮ରେ ହୋଇଥିବା ବର୍ଷା ବିତ୍ପାତ ସମୟରେ ରାଜଧାନୀରେ ୨୪ଘଣ୍ଟା ମଧ୍ୟରେ ଦୁଇ ଥର ୨୨୦ମିମି ଏବଂ ୨୭୦ମିମି ବର୍ଷା ହୋଇଥିବାବେଳେ ପୂରା ରଜଧାନୀ ଜଳମଗ୍ନ ହୋଇଯାଇଥିଲା। ସେତେବେଳେ ଡ୍ରେନ୍‌ ଓ ମୁଖ୍ୟ ଡ୍ରେନ୍‌ ସଫା ହୋଇଥିଲେ ହେଁ ଜଳ ନିଷ୍କାସନ ହୋଇପାରି ନଥିଲା। ତେଣୁ ଏବେ ଏହା କିପରି କରାଳ ରୂପ ନେବ ତାହା ରାଜଧାନୀବାସୀଙ୍କ ଚିନ୍ତା ବାହାରକୁ ପଳାଇଲାଣି।

‌ବେଫିକର ବିଏମ୍‌ସି ପ୍ରଶାସକ, କମିସନର
ବାତ୍ୟା ଆସିବ ବୋଲି ରାଜ୍ୟ ସରକାର ଘନଘନ ବୈଠକ କରୁଛନ୍ତି, ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ପ୍ରସ୍ତୁତି ବୈଠକ କରୁଛନ୍ତି। କିନ୍ତୁ ବାତ୍ୟାରେ ଅଧିକ ପ୍ରଭାବିତ ହେବାକୁ ଥିବା ରାଜଧାନୀରେ ପ୍ରଶାସନ ପକ୍ଷରୁ ସେହିଭଳି ତତ୍ପରତା ଦେଖାଯାଉନି। ବିଏମ୍‌ସିର ଆଜି ପ୍ରସ୍ତୁତି ବୈଠକ ବସିଥିଲେ ହେଁ ବିଏମ୍‌ସି ପ୍ରଶାସନ ସଂଗ୍ରାମଜିତ ନାୟକ କି ବିଏମ୍‌ସି କମିସନର ସମର୍ଥ ବର୍ମା ଏଥିରେ ଯୋଗଦେଇ ନଥିଲେ। ବିଏମ୍‌ସିର ଏହି ଦୁଇ ମୁଖ୍ୟଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିସନର ‌େବୖଠକ ନେଇଥିଲେ। ସଙ୍ଗିନ ସ୍ଥିତିରେଥିବା ଭୁବନେଶ୍ବରରେ ବାତ୍ୟା ଜନିତ ବର୍ଷା ସାଂଘାତିକ ବିପର୍ଯ୍ୟୟ କରିବାର ଆଶଙ୍କା ଥିଲେ ହେଁ ଏହି ଦୁଇ ଅଧିକାରୀ ନିଜେ ପ୍ରସ୍ତୁତିର ସମୀକ୍ଷା କରିବାକୁ କାହିଁକି ଆସିଲେନି ତାହା ଜଣାପଡ଼ିନି। ମୁଖିଆଙ୍କ ଅନୁପସ୍ଥିତିରେ ଭୁବନେଶ୍ବରରେ ବର୍ଷା ବିତ୍ପାତ ନେଇ ଅନଭିଜ୍ଞ ଥିବା ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିବାବେଳେ ଏହା କେତେଦୂର ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି, ଭୁବନେଶ୍ବରବାସୀଙ୍କୁ କେତେଦୂର ବିଏମ୍‌ସି ସେବା ଯୋଗାଇପାରୁଛି ତାହା ଦେଖିବା ବାକି ରହିଲା। ଅପରପକ୍ଷେ କୁହାଯାଉଛି ଯେ, ଏବେ କର୍ପୋରେଟରଙ୍କ କାର୍ଯ୍ୟକାଳ ସରି ଯାଇଥିବାରୁ ହୋହଲ୍ଲା କରିବାକୁ ନେତା ନାହାନ୍ତି। ଲୋକ ସହଜରେ ସିନା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଲେ କିଛି ଅଭିଯୋଗ କରିବେ। ଲୋକ ପାଣିରେ ବୁଡ଼ନ୍ତୁ କି ଦହଗଞ୍ଜ ହୁଅନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଯେମିତି ଏଥିପ୍ରତି ନିଘା ନାହିଁ ସେହିଭଳି ପ୍ରସ୍ତୁତି କରୁଛନ୍ତି।

୨୦ ପମ୍ପ, ୨୦ କଟର୍, ୪ ଡଙ୍ଗା ପ୍ରସ୍ତୁତ
ରାଜଧାନୀରେ କୌଣସି ପ୍ରକାରର ଜଳବନ୍ଦୀ ସମସ୍ୟା ହେଲେ ଏବଂ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଭୁବନେଶ୍ବର ଅଗ୍ନିଶମ କାର୍ଯ୍ୟାଳୟରେ ୫୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ଭୁବନେଶ୍ବର, ଜଟଣୀ, ବାଲିଅନ୍ତା, ବାଲିପାଟଣା, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳକୁ ସେବା ଯୋଗାଯିବ। ଗଛ ଭାଙ୍ଗିଲେ କି ଉପାଡ଼ିଲେ ତୁରନ୍ତ ଏହାକୁ ରାସ୍ତାରୁ ହଟାଇବା, ଯୋଗାଯୋଗ ବ୍ୟବସ୍ଥା ତୁରନ୍ତ ସଜାଡ଼ିବାକୁ ୨୦ଟି କଟର୍ ଆସିଛି। ଏହାସହ ୨୦ଟି ଟାୱାର ଲାଇଟ୍‌ ମଧ୍ୟ ଲାଗିବ। ଏପରିକି କୌଣସି ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ୪ଟି ଅତ୍ୟାଧୁନିକ ଡଙ୍ଗା ଆସିଛି ବୋଲି ଭୁବନେଶ୍ବର ଅଗ୍ନିଶମ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆଜିଠୁ ୫ଦିନ ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍‌
ବିଏମ୍‌ସି ପକ୍ଷରୁ ବାତ୍ୟା ଫନିର ମୁକାବିଲା ପାଇଁ ୫ଦିନିଆ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ବିଏମ୍‌ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଷ୍ପତ୍ତିି ହୋଇଛି। ମେ ୧ରୁ ବିଏମ୍‌ସିରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ଥିବାବେଳେ ଏଠାରେ ବିଏମ୍‌ସି, ପୂର୍ତ୍ତ, ଜନସ୍ବାସ୍ଥ୍ୟ, ଅଗ୍ନିଶମ, ସେସୁର କର୍ମଚାରୀମାନେ ରହିବେ। ଲୋକମାନେ ୧୮୦୦୦୩୪୫୦୦୬୧ ଏବଂ ୦୬୭୪୨୪୩୧୨୫୩ ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅଭିଯୋଗ ଓ ସମସ୍ୟା ବିଷୟରେ ଜଣାଇପାରିବେ। ଏହାବାଦ୍ ବିଏମ୍‌ସି ପକ୍ଷରୁ ଭୁବନେଶ୍ବରକୁ ୧୩ଟି ସବ୍‌ଜୋନ୍‌ରେ ବିଭକ୍ତ କରି ୧୩ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଜଣେ ଜଣେ ଇଞ୍ଜିନିୟରଙ୍କୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯାଇଛି। ଡ୍ରେନ୍ ସଫେଇରୁ ଆରମ୍ଭ କରି ବର୍ଷା ଜଳ ନିଷ୍କାସନ ପର୍ଯ୍ୟନ୍ତ ସବୁ ଏହି ଅଧିକାରୀମାନେ ତଦାରଖ କରିବେ। ଏହାସହ ତିନିଟି ସଫେଇ ସଂସ୍ଥାର କର୍ମଚାରୀମାନଙ୍କୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯିବ। ଜଳ ନିଷ୍କାସନରେ ଯେପରି କୌଣସି ପ୍ରତିବନ୍ଧକ ନରୁହେ ସେଥିପାଇଁ ୧୩ଟି ସବ୍‌ଜୋନ୍‌ରେ ୧୩ଟି ଏସ୍କାଭେଟର ରଖାଯିବ। ଆଜିର ଏହି ପ୍ରସ୍ତୁତି ବୈଠକରେ ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ନାୟକଙ୍କ ସମେତ ବିଏମ୍‌ସିର ସମସ୍ତ ଇଞ୍ଜିନିୟର, ଡେପୁଟି କମିସନର, ବରିଷ୍ଠ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ସେସୁ, ଜାଇକା, ଯୋଗାଣ ବିଭାଗ, ସ୍ବେରେଜ୍ ବୋର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଚ୍ଚା ସ୍ଥାନକୁ ଅଣାଯିବ, ରନ୍ଧା ଖାଦ୍ୟ ଦିଆଯିବ
ବର୍ଷା, ପବନ ଯଦି ଅଧିକ ହୁଏ ତେବେ ବିଭିନ୍ନ ବସ୍ତି ଏବଂ ଖାଲୁଆ ଅଞ୍ଚଳର ଲୋକଙ୍କୁ ଉଚ୍ଚା ସ୍ଥାନକୁ ଅଣାଯିବ। ବିଭିନ୍ନ ସ୍କୁଲ, କଲେଜ, କଲ୍ୟାଣମଣ୍ଡପରେ ଲୋକଙ୍କୁ ରଖିବାକୁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ହୋଇଛି। ଏପରିକି ଲୋକଙ୍କୁ ପର୍ଯ୍ୟାପ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଏହାସହ ବସ୍ତି ଅଞ୍ଚଳରେ ରିଲିଫ ସାମଗ୍ରୀ ବଣ୍ଟାଯିବ। ଲୋକଙ୍କୁ ପଲିଥିନ୍, କ୍ୟାଣ୍ଡେଲ୍‌, ଚୂଡ଼ା ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ଜଣାପଡ଼ିଛି।

୧୫୩ କୋଟି ଦେଖି ଡରିଥିଲେ, ଏବେ ଭୋଗିବେ
ରାଜଧାନୀରେ ଥିବା ପ୍ରାୟ ୮୦୦କିମିର ଡ୍ରେନ୍‌କୁ ଯାନ୍ତ୍ରିକ ଉପାୟରେ ସଫେଇ କରିବାକୁ ବିଏମ୍‌ସି ଯୋଜନା କରିଥିଲା। ବହୁ ଡ୍ରେନ୍‌ରେ ସ୍ଲାବ୍ କାଢ଼ିବା, ଡ୍ରେନ୍‌ ଭିତରେ ପଶି ସଫା କରିବା କଷ୍ଟକର ହେଉଥିବାରୁ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ କାଳବୈଶାଖୀ ବର୍ଷାରେ ବି ଯେପରି ରାଜଧାନୀରେ ପାଣି ନଜମିବ ସେଥିପାଇଁ ମାର୍ଚ୍ଚ, ଏପ୍ରିଲରେ ଡ୍ରେନ୍ ସଫେଇ ଆରମ୍ଭ ହୋଇଥାନ୍ତା। ମେ ପୂର୍ବରୁ ଡ୍ରେନ୍ ସଫେଇ ସରିଥାନ୍ତା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୧୫୩କୋଟି ଖର୍ଚ୍ଚ ହୋଇଥାନ୍ତା। ଏଥିପାଇଁ ବି ଟେଣ୍ଡର ଡକାଯାଇଥିଲା। କିନ୍ତୁ ଏତେ ଟଙ୍କା ଖର୍ଚ୍ଚ ହେବା ଶୁଣି ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ଖାରଜ କରିଦେବା ପରେ ଏହି ଯୋଜନା ଯୋଜନାରେ ଅଟକିଯାଇଥିଲା। ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଆଜି ରାଜଧାନୀକୁ ବର୍ଷା ଭୟ ନଥାନ୍ତା। କିନ୍ତୁ ସଫେଇ ସଂସ୍ଥାଙ୍କୁ ଲଗାଇ ଡ୍ରେନ୍‌ ସଫା କରିବା ମୁଡ୍‌ରେ ଥିବା ବିଏମ୍‌ସି ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ରାଜଧାନୀବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର