ସରୁନି ଯନ୍ତ୍ରଣା ବିପନ୍ନଙ୍କୁ ଭେଟିବା ପରେ…

ଭୁବନେଶ୍ବର: ବାତ୍ୟାଠୁ ବଳି ଯାଇଛି ବାତ୍ୟା ପରର ଯନ୍ତ୍ରଣା। ନା ପିଇବାକୁ ପାଣି ମିଳୁଛି, ନା ଅନ୍ଧାର ଦୂର ହୋଇଛି। ଏବେ ବି ଭଙ୍ଗା ଘରେ ଖୋଲା ଛାତ ତଳେ ଜହ୍ନ ଦେଖି ଜୀବନ ବିତେଇବାକୁ ପଡ଼ୁଛି। ରିଲିଫ୍‌ ତ ମିଳୁଛି, କିନ୍ତୁ କୋଉଠି ଚାଉଳ ମିଳୁନି ତ କୋଉଠି ପଲିଥିନ୍‌ ମିଳୁନି। ବାଲ୍‌ଟିଏ ପାଣି ପାଇଁ ବର୍ଷବର୍ଷ ଧରି ଅଲୋଡ଼ା ପଡ଼ିଥିବା କୂଅ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ୭ଦିନ ହେଲା ବାତ୍ୟା ଲେଉଟି ଯାଇଛି, ହେଲେ ବାତ୍ୟା ଜନିତ ଯନ୍ତ୍ରଣା ଉପଶମ ‌ହୋଇନାହିଁ। ବାୟାବାବା ହନୁମାନ ବସ୍ତି, ଭରତପୁର, ପୋଖରୀପୁଟ କାର୍ଗିଲ ବସ୍ତି, ସାଲିଆ ସାହି ତାରିଣୀ ନଗର, ବିଜେବି ନଗର ମହିଷାଖାଲ ବସ୍ତିର ୩ଶହରୁ ଊର୍ଧ୍ବ ବ୍ୟକ୍ତିବିଶେଷ ବାତ୍ୟାଜନିତ ଯନ୍ତ୍ରଣାର ଏଭଳି ଦାରୁଣ ଅଭିବ୍ୟକ୍ତି ରଖିଛନ୍ତି।

ଏନେଇ ‘ସମ୍ବାଦ’ର ୧୩ଜଣ ମାର୍କେଟିଂ‌ ପ୍ରତିନିଧି ୬ଟି ଟିମ୍‌ରେ ବିଭକ୍ତ ହୋଇ ସହରର ୬ଟି ସ୍ଥାନକୁ ଯାଇ ସେମାନଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ସାଉଁଟିଛନ୍ତି। ଏନେଇ ବିଜେବି ନଗର ମହିଷାଖାଲ ବସ୍ତିର ମମତା ଦଳେଇ କହିଛନ୍ତି, ପିଇବା ପାଇଁ ଯେଉଁ ଯେଉଁ ପାଣି ଟାଙ୍କିରେ ପାଣି ଆସୁଛି ସେଥିରୁ ଅଳିଆ, କଳଙ୍କି ଓ ପୋକ ବାହାରୁଛି। ଏମିତିକି ସମ୍ପୃକ୍ତ ଅଞ୍ଚଳର କିଛି ଶିଶୁ ବାତ୍ୟା ପରେ ମେଡିକାଲ୍‌ରେ ଭର୍ତି ହୋଇଥିବା ସେ କହିଛନ୍ତି। ଦୀର୍ଘଦିନ ଧରି ଅନେକ ପାଣି ଟାଙ୍କି ଅବ୍ୟବହୃତ ହୋଇ ପଡ଼ି ରହିବା ପରେ କଳଙ୍କି, ଅଳିଆ ବାହାରୁଥିବା କଥାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବିଶେଷଜ୍ଞଙ୍କ ମତ। ଖାଲି ସେତିକି ନୁହେଁ, ୟୁନିଟ୍‌-୯ ବାୟାବାବା ହନୁମାନ ବସ୍ତିରେ ପାଇପ୍‌ ଯୋଗେ ପାଣି ତ ଯୋଗାଣ ହେଉଛି, କିନ୍ତୁ ସେଇ ପାଇପ୍ ନାଳ କଡ଼ରେ ଯାଇଥିବାରୁ ନାଳ ପାଣି ପାଇପ୍ ପାଣି ସହ ମିଶୁଛି। ଏଭଳି ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ବସ୍ତିର ଚନ୍ଦନ ନାୟକ।

କାର୍ଗିଲ ବସ୍ତିରେ ପେପର ପ୍ଲେଟ୍‌ ମେସିନ୍‌ ବସାଇ ଗୁଜୁରାଣ ମେଣ୍ଟାଉଥିବା ଦିବ୍ୟାଙ୍ଗମାନଙ୍କୁ ଦୟନୀୟ ଭାବେ ଜୀବନ ବିତାଇବାକୁ ପଡ଼ୁଛି। ସେମାନେ ରହୁଥିବା ଘ‌ରର ଆଜବେଷ୍ଟସ୍‌ ଭାଙ୍ଗି ୧୬ ହଜାର ଟଙ୍କାର ପେପର ପ୍ଲେଟ୍‌ ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି ତ୍ରିଲୋଚନ ସାହୁ। ଭରତପୁରରେ ରିଲିଫ୍‌ ଯୋଗାଇ ଦିଆଯାଇଥିଲେ ହେଁ କିଛି ଲୋକ ଟଙ୍କା ପାଉଥିବା ବେଳେ ଚାଉଳ ପାଉନାହାନ୍ତି ବୋଲି ଗୀତାଞ୍ଜଳି ମଣ୍ଡଳ କହିଛନ୍ତି। କିଛି ଲୋକ ୟେଲୋ କାର୍ଡ ଓ ଗ୍ରିନ୍‌ କାର୍ଡ ଅଡ଼ୁଆରେ ବାତ୍ୟା ରିଲିଫ୍‌ ପାଇବାରୁ ବଞ୍ଚିତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ସାଲିଆସାହି ତାରିଣୀ ନଗରର ଲୋକଙ୍କ କହିବା ମୁତାବକ, ୪୦୦ରୁ ଅଧିକ ଲୋକେ ଏବେ ପିଇବା ପାଣି ପାଇଁ ଗୋଟିଏ କୂଅ ଉପରେ ନିର୍ଭର କରି ଚଳୁଛନ୍ତି। ଅନ୍ୟପକ୍ଷରେ ଇନ୍ଦ୍ରଧନୁ ମାର୍କେଟ୍‌ ଗାନ୍ଧୀ ବସ୍ତିର କିଛି ଲୋକେ ଅଭିଯୋଗ କରିଛନ୍ତି ଯେ ଏପର୍ଯ୍ୟନ୍ତ ସ୍ଥାନୀୟ କର୍ପୋରେଟରଙ୍କର ଦେଖା ନାହିଁ। ତାଙ୍କ ବସ୍ତି ଭିତରେ ଗଛ ପଡ଼ିଥିଲେ ହେଁ ଏହାକୁ ଉଠାଇବାକୁ ଏଯାଏଁ କେହି ଆସି ନାହାନ୍ତି। ତେଣୁ ବାଧ୍ୟ ହୋଇ ଆମେ କଟର କିଣି ଆଣି ନିଜେ ଗଛ ସଫା କରୁଛୁ ବୋଲି ପ୍ରକାଶ କୁମାର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର