ଉଜୁଡ଼ି ଯାଇଛି ହେକ୍ଟର୍‌ ହେକ୍ଟର୍‌ ଫସଲ

ବାଲିପାଟଣା: ବାତ୍ୟା ‘ଫନି’ ଯୋଗୁଁ ବାଲିପାଟଣା ବ୍ଲକରେ ଚାଷ ପୂରା ଉଜୁଡ଼ି ଯାଇଛି। ବ୍ଲକରେ ୧୯୦ ହେକ୍ଟର୍‌ ଧାନ ଫସଲ, ୧୩୬୮ ହେକ୍ଟର୍‌ ମୁଗ ଓ ବିରି, ୩୨୦ ହେକ୍ଟର୍‌ ପନିପରିବା ଚାଷ ଓ ୧୩୦୦ ପାନବରଜ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକ କୃଷି ଅଧିକାରୀ ବିଭୂଦତ୍ତ ସାହୁ ସୂଚନା ଦେଇଛନ୍ତି। ବାତ୍ୟାରେ ହୋଇଥିବା ଅନ୍ୟାନ୍ୟ କ୍ଷୟକ୍ଷତି ଓ ପ୍ରାଣହାନିର ଆକଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ୪ଜଣିଆ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌‌ ରାଜସ୍ୱ, କୃଷି, ପ୍ରାଣୀ ଚିକିତ୍ସା ଓ ବ୍ଲକ ଅଧିକାରୀଙ୍କୁ ନେଇ ଗଠିତ ହୋଇଛି। ଅପରପକ୍ଷେ ଆଜି ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଶଶଧର ନାୟକ ନିଜେ ବ୍ଲକ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଗତ ୨ ଦିନ ଭଳି ଆଜି ସଂଧ୍ୟାରେ ମଧ୍ୟ ବିଡିଓ, ତହସିଲଦାରଙ୍କ ସହ ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାହୁ ବ୍ଲକ କାର୍ଯ୍ୟାଳୟରେ ବୈଠକ କରି ଆଲୋଚନା କରିଛନ୍ତି। ଏହି ଅବସରରେ ଓଏମ୍‌ସିର ମହାପ୍ରବନ୍ଧକ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, ଆଜିଠାରୁ ବାତ୍ୟା ବିପନ୍ନଙ୍କୁ ପଲିଥିନ୍‌ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ୨ଦିନ ଭିତରେ ଏହାକୁ ବ୍ୟାପକ କରାଯିବ। ସରକାରୀ ଘୋଷଣା ଅନୁଯାୟୀ ଆସନ୍ତା ୨ ଦିନ ଭିତରେ ବିପନ୍ନମାନଙ୍କୁ ରିଲିଫ ଯୋଗାଇ ଦିଆଯିବ। ତେବେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆଜି ବି ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ବିଭାଗର ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୩ ଦିନ ହେଲା ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତ ଥିବାରୁ ଉପଜିଲ୍ଲାପାଳ ବାଲିପାଟଣା କୃଷି କାର୍ଯ୍ୟାଳୟ‌ରେ ତାଲା ପକାଇ ଦେଇଥିଲେ। ଆଜି କର୍ମଚାରୀମାନେ ଉପଜିଲ୍ଲାପାଳଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିବା ପରେ କାର୍ଯ୍ୟାଳୟ ତାଲା ଖୋଲିଥିଲା।

ସ୍ୱାସ୍ଥ୍ୟ ବିଭାଗ ନିଷ୍କ୍ରିୟ:
ବାତ୍ୟାକୁ ୩ ଦିନରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇନଥିବା ଅଭିଯୋଗ ହୋଇଛି। ଏଏନ୍‌ଏମ୍‌ ଓ କ୍ଷେତ୍ର କର୍ମଚାରୀମାନେ ବର୍ତ୍ତମାନ ସୁଦ୍ଧା ଗାଁଗୁଡ଼ିକରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଏପରିକି ହାଲୋଜେନ୍‌, ଓଆର୍‌ଏସ୍‌ ପାଉଡର୍‌ ଏବଂ ବ୍ଲିଚିଂ ଭଳି ଦରକାରୀ ଜିନିଷ ଲୋକଙ୍କ ନିକଟରେ ପହଞ୍ଚା ଯାଇପାରି ନଥିବା ଜଣାଯାଇଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅବ୍ୟବସ୍ଥା ଦେଖାଦେଇଛି। ଆଜି ସକାଳ ୮ଟା ସୁଦ୍ଧା ହସ୍ପିଟାଲରେ ୨ଜଣ ଡାକ୍ତର ଶହ ଶହ ରୋଗୀଙ୍କ ଚିକିତ୍ସା କରିଥିଲେ ସୁଦ୍ଧା ଅଧସ୍ତନ କର୍ମଚାରୀଙ୍କ ଦେଖାନଥିଲା। ସେହିପରି ହସ୍ପିଟାଲର ମାଗଣା ଔଷଧ ବିତରଣ କେନ୍ଦ୍ରର ମଧ୍ୟ ତାଲା ଖୋଲିନଥିଲା। ଫଳରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂପର୍କରେ ମେଡିକାଲ ଅଫିସର୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ଜଣେ ଆଟେଣ୍ଡାଣ୍ଟ ବାତ୍ୟା ପୂର୍ବରୁ ଯାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ହସ୍ପିଟାଲକୁ ଆସିନାହାନ୍ତି। ଏଏନ୍‌ଏମ୍‌ମାନେ କିଛି ଜାଗାରେ କାମ କରୁଥିବା ବେଳେ କିଛି ଜାଗାରେ ଫୋନ୍‌ କାମ କରୁନଥିବାରୁ ସେମାନେ ଅବହେଳା କରୁଛନ୍ତି। ତେବେ ସକାଳ ୮ଟା ସୁଦ୍ଧା ଔଷଧ ବିତରଣ କେନ୍ଦ୍ର ଖୋଲିନଥିବା ସଂପର୍କରେ ସେ କହିଛନ୍ତି ଯେ କର୍ମଚାରୀମାନେ ପୂର୍ବ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ୟୁଟି କରିଥିବାରୁ ସକାଳୁ ଡେରିରେ ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ‘ଫନି’ରେ ବ୍ଲକର ୧୮୯ଜଣ ଲୋକ ଆହତ ହୋଇଥିବା ଜଣାଯାଇଛି। ତେବେ ପ୍ରଶାସନର ତ୍ୱରିତ କାର୍ଯ୍ୟ ଯୋଗୁଁ ବାତ୍ୟା ସମୟ‌ରେ ୨୫ଜଣ ଗର୍ଭବତୀଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷିତ ଭାବେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ୪୩ ଅଙ୍ଗନବାଡ଼ି ସେଣ୍ଟର୍‌ ଓ ସିଡିପିଓଙ୍କ ଅଫିସ୍‌ ବିଲଡିଂ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।

ବ୍ୟବସାୟ ଠପ୍‌:
ଭୀଷଣ ପବନରେ ବାଲିପାଟଣାରେ ଥିବା ବହୁ ବ୍ୟାବସାୟିକ ପ୍ରତିଷ୍ଠାନ ମାଟିରେ ମିଶିଯାଇଥିବାରୁ ପୂରା ବ୍ୟବସାୟ ଠପ୍‌ ହୋଇଯାଇଛି। ବାଲିପାଟଣା ଛକରେ ଥିବା ସାଇ ମହାବୀର ଟିମ୍ବର ଡିପୋ ମାଟିରେ ମିଶିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ମାଲିକ ସ୍ମିତାଞ୍ଜଳି ହୋତା ଅଭିଯୋଗ କରିଛନ୍ତି। ସେହିପରି ଅଜିତ୍‌ ଆଇଟିଆଇ (ବାଲିପାଟଣା ପୁରୁଣା ଫିଲ୍ମ ହଲ୍‌), ୨ଟି ବଡ଼ ବଡ଼ ହୋଟେଲ ମଧ୍ୟ ବାତ୍ୟାରେ ଭୀଷଣ କ୍ଷତିଗ୍ରସ୍ତ ହୋଇଛି।

‌‌ନେତାଙ୍କ ଦେଖାନାହିଁ
ବାତ୍ୟାର ଠିକ୍‌ ପୂର୍ବରୁ ସାଧାରଣ ନିର୍ବାଚନ ଅବସରରେ ମାଳ ମାଳ ନେତା ଗାଁ ଗଣ୍ଡା ବୁଲି ଭୋଟ୍‌ ଭିକ୍ଷା କରୁଥି‌ଲେ। କିନ୍ତୁ ଏବେ ଲୋକଙ୍କ ବିପଦ ସମୟରେ କୌଣସି ନେତାଙ୍କ ଦେଖାନଥିବା ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ରନ୍ଧା ଖାଦ୍ୟ ଓ ରିଲିଫ ସାମଗ୍ରୀ ବଣ୍ଟନ ନେଇ ଆଜି ବ୍ଲକର କିଛି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର