ଅନୁଦାନକୁ ଅପେକ୍ଷା, ଛାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ବର: ବାତ୍ୟାର ମାସକ ପରେ ବି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ପୁନରୁଦ୍ଧାର ହୋଇପାରିନି। ଛାତ୍ରଛାତ୍ରୀଙ୍କ ସହାୟତାରେ ରାସ୍ତାଘାଟ ସଫା, ବିଜୁଳି ସଂଯୋଗ ବ୍ୟତୀତ ଆଉ ସେଭଳି କିଛି ବି ପଦକ୍ଷେପ ନିଆଯାଇନାହିଁ। ବାତ୍ୟା ସମୟରେ ଗଛ ପଡ଼ି ଭାଙ୍ଗି ଯାଇଥିବା ଏକ ନମ୍ବର ଛାତ୍ରୀନିବାସ ପାଚେରି ଏବେ ବି ମୁକୁଳା ପଡ଼ିଛି। ମରାମତି ହୋଇନି। ପାଚେରି ଦୁଇ ଜାଗାରେ ଭାଙ୍ଗି ଯାଇଛି। ଏନେଇ ଛାତ୍ରୀମାନେ ସ୍ବର ଉଠାଇଲେ ମଧ୍ୟ କର୍ତୃପକ୍ଷ ଶୁଣୁନାହାନ୍ତି। କୁଳସଚିବ ଏକପ୍ରକାର ନିରବଦ୍ରଷ୍ଟା ସାଜିଛନ୍ତି। ପାଚେରିକୁ ଲାଗି ଏକ ରାସ୍ତା ରହିଛି। ଯେଉଁବାଟେ ପ୍ରତିଦିନ ଛାତ୍ର, ଅଣଛାତ୍ର, ବାହାର ଲୋକେ ଯିବା ଆସିବା କରୁଛନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଏପର୍ଯ୍ୟନ୍ତ କ୍ୟାମ୍ପସରେ ପିଇବା ପାଣି ବ୍ୟବସ୍ଥା ସ୍ବାଭାବିକ କରାଯାଇପାରିନି। ଯେଉଁଥିପାଇଁ ଦୁଇଦିନ ତଳେ ରାତିରେ ଛାତ୍ରଛାତ୍ରୀ କ୍ୟାମ୍ପସର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। କ୍ୟାମ୍ପସରେ ହଜାରରୁ ଅଧିକ ଛାତ୍ରୀ ରହୁଥିଲେ ମଧ୍ୟ ଷ୍ଟ୍ରିଟ୍‌ ଲାଇଟ୍ ଜଳୁନି। ହାଇମାଷ୍ଟ ଲାଇଟ୍‌ ବି ଜଳୁନି। ବିପଦପୂର୍ଣ୍ଣ ଭାବେ ଛାତ୍ରୀମାନେ ଯିବା ଆସିବା କରୁଛନ୍ତି। ରାସ୍ତାପାର୍ଶ୍ବରେ ସେମିତି ଅଳିଆ ଜମା ହୋଇଛି। ଗଛ ଡାଳ ଓ ପତ୍ର ଉଠିଛି ସିନା ହେଲେ ଗଣ୍ଡି ସେମିତି କାନ୍ଥ, ପାଚେରି ଉପରେ ପଡ଼ି ରହିଛି। କେବେ ଉଠିବ ‌କାହା ପାଖରେ ଉତ୍ତର ନାହିଁ।

କେବଳ ବାଣୀବିହାର ନୁହେଁ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅବସ୍ଥା ତଦ୍ରୂପ। ଏଠାରେ ବି ମାସେ ହେଲା ପ‌ାଚେରି ଭାଙ୍ଗି ପଡ଼ିଛି। ମରାମତି କରିବାର ନାଁ ଗନ୍ଧ ଧରୁନାହାନ୍ତି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବି ପୂର୍ବ ଅବସ୍ଥାକୁ ଫେରିପାରିନି। ଅବଶ୍ୟ ଇତିମଧ୍ୟରେ ନୂତନ କୁଳପତି ଯୋଗଦେବା ପରେ କାର୍ଯ୍ୟରେ କିଛିଟା‌ ଅଗ୍ରଗତି ହୋଇଛି। ଆଇଆଇଟି, ନାଇଜର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଆଇଆଇଏମ୍‌ଟି, ବିଜେବି ସ୍ବୟଂଶାସିତ କଲେଜ, ରାଜଧାନୀ କଲେଜ କର୍ତୃପକ୍ଷ ନିଜ ଆଡ଼ୁ କିଛିଟା ପଦକ୍ଷେପ ନେଇଛନ୍ତି। ତେବେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜସ୍ବ କ୍ଷତିକୁ ଭରଣା କରିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସରକାରୀ ସ୍କୁଲଗୁଡ଼ିକ ଅବସ୍ଥାରେ ସେଭଳି କିଛି ବି ସୁଧାର ଆସିନି। କିଛି ବିଦ୍ୟାଳୟରେ ସଫେଇ କରାଯାଇଛି ସତ, ହେଲେ ମରାମତି ହୋଇନି। ସ୍କୁଲ ବିଲଡିଂର ଛପର ଉଡ଼ି ଯାଇଛି। ପାଚେରି ଉପରେ ପୂର୍ବଭଳି ଗଛ ପଡ଼ି ରହିଛି। ଅର୍ଥ ନ ଥିବାରୁ ଏବେ ମରାମତି କରିବା ସମ୍ଭବପର ନୁହେଁ ବୋଲି କିଛି ବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର