ଫରହାନ୍‌ଙ୍କ ସହ ଝୁମିଲେ

ଭୁବନେଶ୍ବର: ପରଦାରେ ବ୍ୟାକ୍‌ ଟୁ ଫ୍ୟୁଚର….ରୁ ମଞ୍ଚରେ ସିଧା ଆବିର୍ଭାବ ହୋଇଥିଲେ। ଓଡ଼ିଆରେ ଆପଣମାନେ କେମିତି ଅଛନ୍ତି ସମ୍ବୋଧନ କରିଥିଲେ। ଆଉ ଗୀତର ତାଳେତାଳେ କରିଥିଲେ ରୋବୋଟ ଡ୍ୟାନ୍‌ସ। ଡଟଫେଷ୍ଟର ମୁକ୍ତାକାଶ ମଞ୍ଚରେ ଆଜିର ହାଇଭୋଲଟେଜ୍ ନାଇଟ୍‌ରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍‌ର ଷ୍ଟାର ଫରହାନ୍ ଅଖତର। ପଡ଼ିଆରେ ଥିବା ଦର୍ଶକ ବେଶ ଝୁମିଥିଲେ ଫରହାନ୍‌ଙ୍କ ସହ। ଫରହାନ୍ ଷ୍ଟେଜ୍‌ରେ ପହଞ୍ଚିବା କ୍ଷଣି ଦର୍ଶକ ଚିଲ୍ଲାଇବା ଆରମ୍ଭ କରି ଦେଇଥିଲେ। ନିଜ ଜୀବନର କାହାଣୀ କହି ଆରମ୍ଭ କରିଥିଲେ ମେଁ ଐସା କ୍ୟୁ ହୁଁ….। ସୋଚ୍ଚା ହୈ…ରକ୍ ଅନ-୨ର ୟୁ ନୋ ହ୍ବାଟ ଆଇ ମିନ୍… ଦିଲ ଚାହତା ‌ହୈ… ସିନୋରିଟା ଭଳି ଛାତିଥରା ଗୀତରେ ଦର୍ଶକଙ୍କୁ ମନ ଜିଣିଥିଲେ। ଏତିକିରେ ଅଟକି ଯାଇ ନ ଥିଲେ ଫରହାନ୍। ଖାବୋ କେ ପରିନ୍ଦେ… ତୁମ ହୋ ତୋ… ଦିଲ ଧଡକନେ୍‌ ଦୋ ଭଳି ମନକୁ ଛୁଇଁଗଲା ଭଳି ସଂଗୀତରେ ଦର୍ଶକ ମନରେ ଉଷ୍ମତା ଭରି ଦେଇଥିଲେ। ଗୀତର ମଝିରେ ଶାୟରିକୁ ଦର୍ଶକ ବେଶ ଉପଭୋଗ କରିଥିଲେ। ଶେଷରେ ରକ୍ ଅନ୍‌ ଚଳଚ୍ଚିତ୍ରର ଟାଇଟଲ ସଂଗୀତରେ ଫରହାନ୍‌ଙ୍କ ସୋ’ ଶେଷ ହୋଇଥିଲା।

ମହିଳାଙ୍କ ପ୍ରକୃତ ସାଥୀ ‘ମର୍ଦ’
କାର୍ଯ୍ୟକ୍ରମ ମଝିରେ ଫରହାନ୍ ମହିଳାଙ୍କ ଉପରେ ହେଉଥିବା ଦୁଷ୍କର୍ମ ଓ ଅତ୍ୟାଚାର ବିରୋଧରେ ଆରମ୍ଭ କରିଥିବା ଅଭିଯାନ ସଂପର୍କରେ କହିଥିଲେ। ମେନ୍ ଏଗେନ୍‌ଷ୍ଟ ରେପ୍ ଏଣ୍ଡ ଡିସକ୍ରିମିନେସନ୍ ବା ‘ମର୍ଦ’ ନାଁରେ ୨୦୧୩ ମସିହାରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ମହିଳାଙ୍କୁ ସମ୍ମାନ ଦେବା ସହିତ ସବୁ ସମୟରେ ମହିଳାଙ୍କ ସହ ଠିଆ ହେଉଥିବା ବ୍ୟକ୍ତି ହିଁ ହେଉଛି ପ୍ରକୃତରେ ମର୍ଦ ବା ପୁରୁଷ ବୋଲି ସେ କହିଥିଲେ।

ନଭ୍ୟା ଜାଇତିଙ୍କ ନନଷ୍ଟପ୍ ତଡ଼କା
ଫରହାନ୍ ଅଖତରଙ୍କ ସୋ’ ପୂର୍ବରୁ ନଭ୍ୟା ଜାଇତି ନନ୍‌ଷ୍ଟପ୍ ସଂଗୀତ ଶୁଣିବାକୁ ମିଳିଥିଲା। ହିନ୍ଦୀ, ଓଡ଼ିଆ ଓ ତେଲୁଗୁ ଗୀତରେ ଦର୍ଶକଙ୍କ ମନୋରଂଜନ କରିଥିଲେ। ତେରି ଗଲିୟାଁ, ମୟା ମୟା, ଜଗ ଘୁମେୟା, ଲଡ୍‌କି ବିୟୁଟିଫୁଲ କରଗୟି ଚୁଲ, ରଂଗବତୀ ରଂଗବତୀ, ମେଁ ତୁଝେ ସମଝାଉଁ ଭଳି ଗୀତ ଫରହାନଙ୍କ ସୋ’ ପୂର୍ବରୁ ଦର୍ଶକଙ୍କୁ ମଞ୍ଚରେ ବାନ୍ଧି ରଖିଥିଲା।

ଡଟ୍‌ଫେଷ୍ଟ ଦେଖିଲେ ଆତ୍ମସମର୍ପଣକାରୀ ନକ୍ସଲ
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍ ଦେଖିଥିବା ୩୦ଜଣ ଆତ୍ମସମର୍ପଣକାରୀ ନକ୍ସଲ ଆଜି ଡଟଫେଷ୍ଟରେ ଫରହାନ ଅଖତରଙ୍କ ସୋ’କୁ ଉପଭୋଗ କରିଛନ୍ତି। ଏହାସହ ଅନ୍ତର୍ଜାତୀୟ ଫୁଡ୍‌ ଫେଷ୍ଟିଭାଲ୍‌ର ମଜା ମଧ୍ୟ ଚାଖିଛନ୍ତି। ସେହିପରି କର୍ମଜୀବୀ ମହିଳା ହଷ୍ଟେଲ୍‌ର ୧୦୦ଜଣ ମହିଳା ଫୁଡ୍‌ ଫେଷ୍ଟିଭାଲ୍‌ ସହିତ ଡଟ‌ଫେଷ୍ଟରେ ହାଇଭୋଲଟେଜ୍ ‌ଗୀତରେ ନିଜକୁ ସାମିଲ କରିଥିଲେ।

ସମ୍ବନ୍ଧିତ ଖବର