ବାର୍ଡ ଫ୍ଲୁ ସତର୍କତା: ଅଣ୍ଡାକୁ ଭଲ ଭାବରେ ସିଝାଇ ଖାଆନ୍ତୁ

ଭୁବନେଶ୍ବର: ଓୟୁଏଟିରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଛନକା ପଶିଛି। ବାର୍ଡ ଫ୍ଲୁ ଭୟରେ ଲୋକମାନେ ଚିକେନ୍ ଖାଇବା ଏକପ୍ରକାର ବନ୍ଦ କରି ଦେଇଥିଲେ ହେଁ, ଅଣ୍ଡା ଖାଉଛନ୍ତି। ତେବେ ଅଣ୍ଡାକୁ ନେଇ ଲୋକମାନଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି ହୋଇଛି। କାଳେ ଅଣ୍ଡା ଜରିଆରେ ବାର୍ଡ ଫ୍ଲୁ ବ୍ୟାପିବ ତାହାକୁ ଲୋକମାନଙ୍କୁ ଚିନ୍ତାରେ ପକାଇଛି।

ଆରଏମ୍‌ଆରସିର ଜଣେ ବୈଜ୍ଞାନକଙ୍କ କହିବା କଥା, ଅଣ୍ଡା କିମ୍ବା ମାଂସକୁ ଭଲ ଭାବେ ସିଝାଇ ଖାଇଲେ ବାର୍ଡ ଫ୍ଲୁର କୌଣସି ସମସ୍ୟା ନ ଥାଏ। ତେବେ କିଛି ଲୋକ ଅଧା ସିଝା ଅଣ୍ଡା କିମ୍ବା କଞ୍ଚା ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ବାର୍ଡ ଫ୍ଲୁ ସମୟରେ ଏଭଳି ଭାବେ ଅଣ୍ଡା ଖାଇବା ଉଚିତ୍ ନୁହେଁ। ଯଦିଓ ଭାରତରେ ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିବାର କୌଣସି ଘଟଣା ନଜରକୁ ଆସିନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଜରୁରୀ। ଭୁବନେଶ୍ବରରେ ବାର୍ଡ ଫ୍ଲୁ ଦେଖା ଦେଇଥିବାରୁ ଅତିକମ୍‌ରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଲୋକମାନେ ଅଣ୍ଡା ଖାଇବାଠାରୁ ଦୂରେଇ ରହିବା ଉଚିତ୍।

ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ଓୟୁଏଟି କୁକୁଡ଼ା ଫାର୍ମର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଆଜି ସୁଦ୍ଧା କୁକୁଡ଼ା ମରା ଓ ବିଶୋଧନ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ୭ ଦିନ ଧରି ଫାର୍ମ ନିକଟରେ ଥିବା କୁକୁଡ଼ା ଓ ଅଣ୍ଡାଗୁଡ଼ିକୁ ଜବତ କରାଯାଇ ଗଭୀର ଗାତ ଭିତରେ ପୋତି ଦିଆଯାଇଥିଲା। ସପ୍ତାହେ ବ୍ୟାପୀ ଏହି ପ୍ରକ୍ରିୟା ଜାରି ରହିବା ପରେ ଗତକାଲି ସକାଳୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତିନି ମାସ ପାଇଁ ଫାର୍ମକୁ ସିଲ୍‌ କରାଯାଇ ସେଠାରେ ନାଲି ପତାକା ଲଗାଯାଇଛି। ନିଷ୍ପତ୍ତି ଅନୁଯାୟୀ, ପ୍ରତି ୧୫ ଦିନ ବ୍ୟବଧାନରେ ଫାର୍ମକୁ ବିଶୋଧନ କରାଯିବ। ବର୍ଷେ ପର୍ଯ୍ୟନ୍ତ ଫାର୍ମରେ କୁକୁଡ଼ା ପ୍ରଜନନ ହେବ ନାହିଁ। ଖୋର୍ଦ୍ଧା ସିଡିଭିଓ ସାନିଟେସନ୍‌ ସାର୍ଟିଫିକେଟ୍‌ ଦେଇଥିବାରୁ ଆମେ ତାକୁ କେନ୍ଦ୍ର ସରକାରଙ୍କୁ ଦେବୁ ବୋଲି ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର