କଟକରେ ଗର୍ଜିଲେ ବାରଙ୍ଗ ଚାଷୀ: କମ୍ପାନି ହେଲାନି ତ ଜମି ଫେରାଅ

ତ୍ରିଶୁଳିଆ: ‘କମ୍ପାନି ହେଲାନି ତ ଆମ ଚାଷ ଜମି ଆମକୁ ଫେରାଇ ଦିଅ। ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରକଳ୍ପରୁ ଟାଟା ଓହରିଯିବା ପରେ ଅଧିଗ୍ରହଣ ହୋଇଥିବା ଚାଷ ଜମିକୁ ଚାଷୀମାନଙ୍କୁ ଫେରାଇ ଦିଅ।’ ଆଜି ଏଭଳି ଦାବି କରି ବାରଙ୍ଗ ଅଞ୍ଚଳର ଚାଷୀମାନେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜନ କରିଥିଲେ। ସିଦ୍ଧେଶ୍ୱର ଆଂଚଳିକ ସୁରକ୍ଷା କମିଟ ପକ୍ଷରୁ ଆୟୋଜିତ ଏହି ଚାଷୀ ସମାବେଶରେ ଶତାଧିକ ଚାଷୀ ଓ ବୁଦ୍ଧିଜୀବୀମାନେ ସାମିଲ୍‌ ହୋଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ମାର୍ଥାପୁର, ତଳଗଡ଼, ନରାଜ, ମୁଣ୍ଡଳି, ରାମଦାସପୁର ଗ୍ରାମର ଉର୍ବର ଜଳସେଚିତ ଚାଷ ଜମି ଉପରେ ଟାଟା କମ୍ପାନି ୧୦୦୦ ମେଗାୱାଟ ବିଶିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ୨୦୦୬ ମସିହାରେ ସରକାରଙ୍କ ସହ ଚୁକ୍ତି କରିଥିଲା। ଏହା ଭିତରେ ଦୀର୍ଘ ୧୬ ବର୍ଷ ବିତି ଯାଇଛି ଓ ଟାଟା ଏହି ପ୍ରକଳ୍ପକୁ ବାତିଲ କରିଛି। ଏହି ପ୍ରକଳ୍ପ ପାଇଁ ଇଡ୍‌କୋ ଜମି ଅଧିଗ୍ରହଣ କଲା ବେଳେ ଚାଷୀମାନେ ବିରୋଧ କରିଥିଲେ। ଏମିତିକି ଲୁଚାଚୋରାରେ ହେଉଥିବା ଜନଶୁଣାଣି କାର୍ଯ୍ୟକ୍ରମ ବିରୋଧରେ ମାମଲା କୋର୍ଟକୁ ଯାଇଥିଲା। ସେହିଭଳି କିଛି ଚାଷୀ ଜମି ବାବଦରେ ଟଙ୍କା ପାଇଥିବା ବେଳେ ବହୁ ଚାଷୀ ଟଙ୍କା ଗ୍ରହଣ କରିନାହାନ୍ତି। ସରକାର ସେମାନଙ୍କ ଜମି ବାବଦ ଟଙ୍କାକୁ ଟ୍ରେଜେରି‌ରେ ଜମା କରିଛନ୍ତି। ମାତ୍ର ଏବେ ଟାଟା କମ୍ପାନି ଏହି ପ୍ରକଳ୍ପ କରିବ ନାହିଁ ବୋଲି ସ୍ପ‌ଷ୍ଟ ହୋ‌ଇଛି।

ତେଣୁ ଚାଷ ଜମିକୁ ଚାଷୀମାନଙ୍କୁ ନ ଫେରାଇ ଇଡ୍‌କୋ ନିଜ ଦଖଲରେ ରଖିଛି। ଏମିତିକି ୨୦୧୨ ମସିହାରୁ ଇଡ୍‌କୋ ଜମିଗୁଡ଼ିକା ମାଲିକାନା ନିଜ ନାଁକୁ ନେଇଯାଇଛି। ଏହାକୁ ନେଇ ମାମଲା ହାଇକୋର୍ଟକୁ ଯାଇଥିଲା। ୨୦୧୯ ମସିହାରେ ହାଇକୋର୍ଟ ପୁଣି ଜିଲ୍ଲାପାଳଙ୍କୁ ପୁର୍ନବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲ୍ଲାପାଳ ସେଦିଗରେ କିଛି କଲେ ନାହିଁ। ତେଣୁ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଜମି ଫେରାଇବା ସହ ଅଚଳ ହୋଇପଡ଼ିଥିବା ବାଆଁରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଦାବି କରିଛନ୍ତି ଚାଷୀମାନେ। ଆଗାମୀ ଦିନରେ ଏହି ଆନ୍ଦୋଳନ ବିଶାଳ ରୂପ ନେବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସିଦ୍ଧେଶ୍ୱର ଆଂଚଳିକ ସୁରକ୍ଷା କମିଟିର ସଭାପତି ଅର୍ଜୁନ ରାଉଳ, ସମ୍ପାଦକ ସରୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ, ଯୁବ ସମାଜସେବୀ ନଳିନୀ କୁମାର ରାୟ, ନାରୀ ନେତ୍ରୀ ସରୋଜିନୀ ସାହୁ, ଖଗେଶ୍ୱର ସେଠୀ, ଆଇନଜୀବୀ କ୍ଷୀରୋଦ ରାଉତ, ଲକ୍ଷ୍ମୀ ମହାନ୍ତି, ରାଜ କିଶୋର ମଲ୍ଲିକ, ଚାଷୀ ନେତା ବସନ୍ତ ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର