ବିହନରୁ ଗଜା ବାହାରୁନି, ଚିନ୍ତାରେ ଚାଷୀ

ଖଣ୍ଡଗିରି: ବିହନ ନିଗମ ପକ୍ଷରୁ ଚାଷୀଙ୍କୁ ଯୋଗାଣ ହୋଇଥିବା କିଛି କିସମ ବିହନରୁ ଗଜା ବାହାରୁନାହିଁ। ଫଳରେ ଭୁବନେଶ୍ବର ବ୍ଲକର ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ତଳି ପକାଇ ବିଲରେ ଧାନ ରୁଆଇବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ବିହନ ଯୋଗାଡ଼ ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏବେ ଚାଷୀ ବିହନ ଯୋଗାଡ଼ ପାଇଁ ମଗାଯଚା ବ୍ୟବସ୍ଥାରେ ଲାଗି ପଡ଼ିଥିବାବେଳେ କୃଷି ବିଭାଗ ଚୁପ୍‌ ହୋଇ ବସିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଭୁବନେଶ୍ବର କ୍ଲକର କଣ୍ଟାବାଡ଼, ଚନ୍ଦକା, ମେଣ୍ଢାଶାଳ, ରଣସିଂହପୁର ଆଦି ପଞ୍ଚାୟତରୁ ମିଳିଥିବା ଅଭିଯୋଗ ଅନୁସାରେ ସ୍ବର୍ଣ୍ଣ କିସମ ବିହନ ଗଜା ହେଉନାହିଁ। ଅଧିକ ଅମଳକ୍ଷମ ଧାନ ପାଇଁ ସ୍ବର୍ଣ୍ଣ କିସମ ବିହନର ଅଧିକ ଚାହିଦା ଥିବାରୁ ସାଧାରଣତଃ ଚାଷୀମାନେ ଏହି ବିହନ ଉପ‌ରେ ବେଶି ର୍ଭରଶୀଳ ଥିଲେ। କିନ୍ତୁ ବିଡ଼ମ୍ବନା ଏବେ ଏହି କିସମ ବିହନ ଚାଷୀମାନଙ୍କୁ ଧୋକା ଦେଇଛି। ଏବେ ମୌସୁମୀ ସକ୍ରିୟ ହୋଇପଡ଼ିବା ପରେ ଚାଷୀମାନେ ବିଲରେ ତଳି ପକାଇ ରୁଆ କାମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମାତ୍ର ସବୁ ସରିବା ପରେ ବିହନରୁ ଗଜା ବାହାରୁନାହିଁ। ଏଣେ ଚାଷୀମାନଙ୍କ ପାଖରେ ବିକଳ୍ପ ବିହନ ନାହିଁ। କିଛି ଚାଷୀଙ୍କ କହିବା କଥା ବିହନ ପ୍ୟାକେଟ୍‌(୨୦ କିଲୋଗ୍ରାମ)କୁ ୪୧୦ ଟଙ୍କାରେ କିଣିଥିଲେ। ଗଜା ନ ହେବାରୁ ଉକ୍ତ ଟଙ୍କା ପାଣିରେ ପଡ଼ିଲା। ଖାଲି ସେତିକି ନୁହେଁ, ତଳି ପ୍ରସ୍ତୁତ କରିବା ପାଇଁ ହଳ ମଜୁରି ମଧ୍ୟ ପାଣିରେ ପଡ଼ିଲା। ଏବେ ଚାଷୀ ପାଖରେ ବିହନ ପାଇଁ ଟଙ୍କା ନାହିଁ କି ସମୟ ମଧ୍ୟ ନାହିଁ। ତେଣୁ ବିଲ ପଡ଼ିଆ ପଡ଼ିବା ନିଶ୍ଚିତ ହୋଇପଡ଼ିଛି। କିଛି ଚାଷୀ ମଗାଯଚା କରି କାମ ଚଳାଉଥିବା ବେଳେ ବହୁ ଚାଷୀ ବିହନ ଅଭାବରୁ ବିଲ ପଡ଼ିଆ ପକାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଭୁବନେଶ୍ବର ବ୍ଲକ ବିଧାୟକ ପ୍ରତିନିଧି ତଥା ସିଜୁଆର ଚାଷୀ ଚନ୍ଦ୍ରଶେଖର ଗୁମାନସିଂହଙ୍କ ଅଭିଯୋଗ ଅନୁସା‌ରେ, ଏନେଇ ସେମାନେ ସମବାୟ ସମିତିକୁ ଅଭିଯୋଗ କରିଥିଲେ। ମାତ୍ର ସମବାୟ ସମିତି ବିହନ ନିଗମ ଉପ‌ରେ ଦୋଷ ଲଦି ଚୁପ୍‌ ବସିଛି। ବିହନ ନିଗମ ବିହନ ଯୋଗାଇଥିଲା ଓ ସମବାୟ ସମିତି କେବଳ ବିକ୍ରି ଦାୟିତ୍ବ ବହନ କରିଥିଲା। ତେଣୁ ସମବାୟ ସମିତି କିଛି କରିପାରିବ ନାହିଁ ବୋଲି ରୋକ୍‌ଠୋକ କହିଥିବ ଶ୍ରୀ ଗୁମାନସିଂହ ଅଭିଯୋଗ କରିଛନ୍ତି। ଅପରପକ୍ଷେ କୃଷି ବିଭାଗର କୌଣସି ଅଧିକାରୀ ଚାଷୀମାନଙ୍କ ଏଭଳି ସମସ୍ୟା ସମୟରେ ସହଯୋଗ କରୁନଥିବା ନେଇ ସେ ଆପତ୍ତି ଉଠାଇଛନ୍ତି।

ସମ୍ବନ୍ଧିତ ଖବର