ମିଳୁନି ଧାନ ବିହନ, ଚିନ୍ତାରେ ଚାଷୀ

ଫାଙ୍କା ପଡ଼ିଛି ବିହନ ନିଗମ

ଖଣ୍ଡଗିରି: ରାଜ୍ୟ ବିହନ ନିଗମରେ ଧାନ ବିହନ ନାହିଁ। ତେଣୁ କୃଷି ବିଭାଗ ଚାଷୀମାନଙ୍କ ବିହନ ଚାହିଦାକୁ ପୂରଣ କରିପାରୁନାହିଁ। ମୌସୁମୀ ବର୍ଷା ଆସିଯିବା ପରେ ଏବେ ଚାଷୀ ତଳି ପକାଇବା ପାଇଁ ତରବର ହେଉଛି। କିନ୍ତୁ ସରକାରୀ ବିହନ ମିଳୁନି। ତେଣୁ ଚାଷୀ ବିହନ ସନ୍ଧାନରେ ବୁଲୁଛି ବାରଦୁଆର। ଭଲ ଅମଳକ୍ଷମ ବିହନ ନ ମିଳୁ ପଛେ, ଯାହିତାହି ବିହନ ପାଇଁ ଚାଷୀ ବିକଳ ହେଉଛି। କମ୍‌ ଅମଳକ୍ଷମ ବିହନ ନେଇ ଧାନ ଚାଷ କରିବାକୁ ଚାଷୀ ବାଧ୍ୟ ହେଉଛି। ତେଣୁ ଚାଷୀଙ୍କୁ ବିହନ ଯୋଗାଇବାରେ ସରକାର ଅସମର୍ଥ ବୋଲି ଅଭିଯୋଗ ହେଉଛି। ଏମିତିକି ଚଳିତ ବର୍ଷ କୃଷି ବିଭାଗର ଏଭଳି ବେପରୁଆ ମନୋଭାବ ବହୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ ବୋଲି ଅଭିଯୋଗ ହେଉଛି।

ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ଓ ଜଟଣୀ ବ୍ଲକରେ ବିହନ ଅଭାବକୁ ନେଇ ଚାଷୀମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରଜ ପୂର୍ବରୁ ଧାନ ବୁଣିଥିବା ବହୁ ଚାଷୀମାନଙ୍କ ବିହନ ବିଲରେ ନଷ୍ଟ ହୋଇଯାଇଛି। ବହୁ ଜମିରେ ଗଜା ମରୁଡ଼ି ହେବା ସହ ପ୍ରବଳ ଗରମ ଯୋଗୁଁ କିଛି ଜମିରେ ଗଛ ଉଠିନାହିଁ। ତେଣୁ ଚାଷୀମାନେ ସେହି ସବୁ ଜମିରେ ଧାନ ରୋଇବା ପାଇଁ ବାହାରିଛନ୍ତି। ମାତ୍ର ପରିତାପର କଥା, ସମବାୟ ବ୍ୟାଙ୍କଗୁଡ଼ିକରେ ଆଉ ବିହନ ମିଳୁନି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସରକାର ସ୍ଥାନୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ବିହନ ବିକ୍ରି କରିଥିଲେ। ମାତ୍ର ଏବେ ବହୁ ସମବାୟ ବ୍ୟାଙ୍କରେ ବିହନ ନାହିଁ। ରଜ ପୂର୍ବରୁ ବିକ୍ରି ସରିଛି ବୋଲି ଚାଷୀମାନଙ୍କୁ କୁହାଯାଉଛି। ଭୁବନେଶ୍ୱର ବ୍ଲକର ନଁପୁଟ ସେବା ସମବାୟ ସମିତି, କାଶୀପୁର ସମବାୟ ସମିତି, ଆଇଗିଣିଆ ସେବା ସମବାୟ ସମିତି ଆଦିରେ ମୋଟେ ବିହନ ନାହିଁ। ନଁପୁଟରୁ ଚାଷୀ କୃପାସିନ୍ଧୁ ସାମନ୍ତରାୟଙ୍କ ଅଭିଯୋଗ ଅନୁସାରେ ସମବାୟ ବ୍ୟାଙ୍କ ମାନଙ୍କ ମନମାନି ଯୋଗୁଁ ଚାଷୀମାନେ ଆଜି ଏଭଳି ଦଶା ଭୋଗୁଛନ୍ତି। ଧାନ ମଣ୍ଡିବେଳକୁ ସମବାୟ ବ୍ୟାଙ୍କମାନେ ଯେତେ ତତ୍ପର, ବିହନ ବିକ୍ରି ପାଇଁ ସେତିକି ତତ୍ପରତା ନାହିଁ। ମଣ୍ଡିରେ କିମସନ ବା ଫାଇଦା ଥିବାରୁ ସମବାୟ ସମିତିମାନେ ସେଥିପ୍ରତି ଅଧିକ ମନ ବଳାଉଛନ୍ତି। କିନ୍ତୁ ବିହନ ବିକ୍ରିରେ କମ୍‌ ଲାଭ ଥିବାରୁ ସେ ଦିଗରେ ମୋଟେ ଧ୍ୟାନ ଦେଉନାହାନ୍ତି। ନଁପୁଟ ସେବା ସମବାୟ ସମିତି ଚଳିତ ବର୍ଷ ମାତ୍ର ୫ କ୍ୱିଣ୍ଟାଲ ବିହନ ବିକିଥିବା ଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି। ହଜାର ହଜାର ହେକ୍ଟର ଜମି ପାଇଁ ମାତ୍ର ୫ କ୍ୱିଣ୍ଟାଲ ବିହନ ସମୁଦ୍ରକୁ ଶଙ୍ଖେ ବୋଲି ସେ କହିଛନ୍ତି। ସମାନ ଅବସ୍ଥା ଅନ୍ୟ ସମବାୟ ସମିତିରେ। ଜଟଣୀ ବ୍ଲକର କିଛି ସମବାୟ ସମିତି ତ ମୋଟେ ବିହନ ବିକ୍ରି କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ସମବାୟ ସମିତିର କିଛି ସମ୍ପାଦକମାନେ ଚାଷୀମାନଙ୍କ ଏହି ଅଭିଯୋଗକୁ ସ୍ୱୀକାର କରିଥିଲେ ବି ବିହନ ନିଗମ ଓ କୃଷି ବିଭାଗ ଉପରକୁ ଦୋଷ ଠେଲି ସଫେଇ ଦେଇଛନ୍ତି। ସେମାନଙ୍କ କହିବା କଥା ବିହନ ବିକ୍ରି ନ ହୋଇ ବଳକା ରହିଗଲେ, ଫେରସ୍ତ ବ୍ୟବସ୍ଥା ନାହିଁ। ତେଣୁ ବଳକା ବିହନ ଶେଷରେ ମୂଷାମାନଙ୍କ ମୁହଁରେ ଯାଉଛି ଓ ସମବାୟ ସମିତି ସେହି କ୍ଷତି ସହୁଛି। ସେହିଭଳି ବହୁ ସମବାୟ ସମିତିରେ ଗୋଦାମ ନଥିବାରୁ ବିହନ ରଖିବା ସମସ୍ୟା ହେଉଛି। କିନ୍ତୁ ଚାଷୀମାନଙ୍କ ଅଭିଯୋଗ ଯେ ସମବାୟ ବ୍ୟାଙ୍କ ସହ ଜିଲ୍ଲା କୃଷି ବିଭାଗ ଅଧିକାରୀମାନଙ୍କ ସମନ୍ଵୟ ରହୁନାହିଁ। ଫଳରେ କେଉଁ ଅଞ୍ଚଳରେ କେତେ ଚାଷୀ ଓ କେତେ ବିହନ ଦରକାର ତାହାର ଆକଳନ କରାଯାଉନାହିଁ। ତେଣୁ ସମବାୟ ସମିତିମାନେ ମନଇଚ୍ଛା କମ୍‌ ବିହନ କିଣି କେବଳ ସରକାରୀ ତାଗିଦ୍‌ରୁ ବର୍ତିବା ପାଇଁ କାମ ଚଳାଇ ନେଉଛନ୍ତି। ଏ ନେଇ ଖୋର୍ଧା ଜିଲ୍ଲା କୃଷି ବିଭାଗ ଉପନିର୍ଦେଶକଙ୍କ କହିବା କଥା ବିହନ ମିଳୁନଥିବା ଅଭିଯୋଗ ବାବଦରେ ସେ ସୂଚନା ପାଇଛନ୍ତି। କିନ୍ତୁ ବିହନ ନିଗମରେ ଏବେ ଚାଷୀଙ୍କ ଚାହିଦା ବିହନ (ପୂଜା, ସ୍ୱର୍ଣ୍ଣର୍) ନାହିଁ। ତେଣୁ ସମସ୍ୟା ସୃଷ୍ଟି ହୋଇଛି। ସମବାୟ ସମିତିମାନଙ୍କ ମନମାନି ଉପରେ ଚାଷୀମାନଙ୍କ ଅଭିଯୋଗକୁ ମଧ୍ୟ ସେ ସ୍ୱୀକାର କରିଥିଲେ। ତେବେ ଭୁବନେଶ୍ୱର ଓ ଜଟଣୀ ବ୍ଲକରେ ଚଳିତ ବର୍ଷର ବିହନ ଅଭାବ ପୂରଣ ପାଇଁ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର