ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁ ମାମଲା: ୨ଲକ୍ଷ କ୍ଷତିପୂରଣ ପ୍ରଦାନ ଆଦେଶ

ଭୁବନେଶ୍ୱର: ୨୦୧୬ ମସିହାରେ ବିଦ୍ୟୁତ୍‌ ଆଘାତରେ ଡେଲାଙ୍ଗର ଜଣେ ଚାଷୀଙ୍କ ମୃତ୍ୟୁ ମାମଲାର ବିଚାର କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ମାମଲାର ବିଚାର କରି କମିସନ ମୃତ ଚାଷୀ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା (ସେସୁ )କୁ ଆଦେଶ ଦେଇଛନ୍ତି। ୩୦ ଦିନ ମଧ୍ୟରେ ଆଦେଶକୁ କାର୍ଯ୍ୟକାରୀ କରି କମିସନଙ୍କୁ ଅବଗତ କରାଇବା ପାଇଁ ଆଦେଶ ହୋଇଛି।

ସୂଚନା ମୁ୍ତାବକ, ୨୦୧୬ ମେ’ ୪ ତାରିଖରେ ‌ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଖଣ୍ଡିମଙ୍ଗଳପୁର ଗ୍ରାମର ଗୋପାଳ ପ୍ରଧାନ(୫୬) ନିଜ ବିଲକୁ ଯାଉଥିଲେ। ସେଠାରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ସେଥିରେ ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ପ୍ରବାହିତ ହେଉଥିଲା। ତାର ସଂସ୍ପର୍ଶରେ ଆସି ଗୋପାଳଙ୍କର ମୃତ୍ୟୁ ହୋଇଥିଲା। ଗୋପାଳ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଓ ୪ ଝିଅଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା‌। ଏହାକୁ ଆଧାର କରି ହାଇକୋର୍ଟ ଓକିଲ ନିଶିକାନ୍ତ ମିଶ୍ର ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ସେସୁର ଅବହେଳା ଯୋଗୁଁ ଗୋପାଳଙ୍କ ମୃତ୍ୟୁ ହୋଇଥିବାରୁ ସେସୁ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବା ସହ ପରିବାରବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ପ୍ରାର୍ଥନା କରିଥିଲେ। କମିସନ ପୁରୀ ଏସ୍‌ପି, ଜିଲ୍ଲାପାଳ ଓ ବିଦ୍ୟୁତ୍‌ ବିଭାଗକୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟକୁ ଆଧାର କରି ଏହି ଆଦେଶ ହୋଇଛି।

ସମ୍ବନ୍ଧିତ ଖବର