ଚାଷୀ ମୁଣ୍ତରେ ଚଡ଼କ, ଚକଡ଼ା ପୋକରେ ଧାନ ଫସଲ ନଷ୍ଟ

ବାଲିପାଟଣା: ବାଲିପାଟଣା ବ୍ଲକ୍ ଅନ୍ତର୍ଗତ କୁରୁଞ୍ଜିପୁର ପଞ୍ଚାୟତ ସାନମାଛପୁର ଗ୍ରାମର ଧାନ ବିଲରେ ଏବେ ଚକଡ଼ା ପୋକ ଲାଗି ବ୍ୟାପକ ଧାନ ଫସଲ ନଷ୍ଟ ହୋଇସାରିଲାଣି। ଥୋଡ଼ ଧରୁଥିବା ଧାନ, ପାଚିଲା ଧାନ ବିଲରେ ରୋଗ ପୋକ ବ୍ୟାପିବାରୁ ଧାନ ଗଛ ମରିଯିବା ସହ ଶସ୍ୟ ନଷ୍ଟ ହୋଇଯାଉଛି। ରୋଗ ପୋକକୁ ଦମନ କରିବା ପାଇଁ ଚାଷୀମାନେ ଯେତେ ପ୍ରକାର ଔଷଧ ସିଞ୍ଚନ କଲେ ବି ପୋକ ମରୁନାହାନ୍ତି। ଏହାକୁ ନେଇ ଏବେ ଚାଷୀକୁଳ ଚିନ୍ତାରେ ପଡ଼ି ଯାଇଛି। ଏନେଇ ଚାଷୀମାନେ ସ୍ଥାନୀୟ କୃଷି ବିଭାଗକୁ ଅବଗତ କରାଇଥିଲେ ହେଁ ଜଣେ ବି କୃଷି କର୍ମଚାରୀ ସେମାନଙ୍କ ନିକଟରେ ପହଞ୍ଚିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସାନମାଛପୁର ଗ୍ରାମର ବାଉରୀବନ୍ଧୁ ନାୟକ, ରଘୁନାଥ ଭୋଳଙ୍କ ମଥା ନଇଁ ଥିବା ଧାନ ବିଲରେ ଏବେ ଚକଡ଼ା ପୋକ ଲାଗିଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇ ସାରିଲାଣି। ସେହିପରି କୈଳାସ ସେଠୀ, ବିପିନ ବିହାରୀ ନାୟକ (ଭାଗ ଚାଷୀ)ଙ୍କ ଧାନ ବିଲରେ ବି ଚକଡ଼ା ପୋକ ଲାଗି ପାଚିଲା ଧାନ ନଷ୍ଟ ହେବାକୁ ବସିଲାଣି। ଏହା ଧୀରେଧୀରେ ଅନ୍ୟ ବିଲକୁ ବ୍ୟାପିବାରେ ଲାଗିଛି। ଚାଷୀ ରଘୁନାଥଙ୍କ କହିବା ମୁତାବକ, ସେମାନେ ଚକଡ଼ା ବା ମାଟି ଆଗୁଣ୍ତି ପୋକକୁ ଦମନ କରିବା ପାଇଁ ଔଷଧ ସିଞ୍ଚନ କରିବା ପରେ ବି ରୋଗପୋକ କମୁ ନାହାନ୍ତି। ଫଳରେ ନିରୁପାୟ ହୋଇ ସେମାନଙ୍କ ବିଲର ଧାନକୁ ପୋକ ଖାଇବାକୁ ଛାଡ଼ି ଦେଇଥିବା ଦୁଃଖର ସହ କହିଛନ୍ତି। ଏନେଇ ଚାଷୀମାନେ ସ୍ଥାନୀୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧୢ ଆଜି ଯାଏ ସେମାନଙ୍କ ନିକଟରେ ଜଣେ କେହି ବି କୃଷି କର୍ମଚାରୀ ପହଞ୍ଚିନଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର