ଟୋକନ୍‌ ମିଳୁନି, ମଣ୍ତି ଛାଡ଼ି ବେପାରୀମୁହାଁ ଚାଷୀ

ଖଣ୍ଡଗିରି: ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ୍‌କୁ ଚାହିଁ ଚାହିଁ ଚାଷୀ ଆଖି ଜଳକା ହେଲାଣି। ଗୋଟିଏ ଗୋଟିଏ ମଣ୍ଡିରୁ ୭/୮ଥର ଲେଖାଏଁ ଧାନ ବିକ୍ରି ହେବା ପରେ ବି ବହୁ ଚାଷୀଙ୍କୁ ଟୋକୋନ୍‌ ମିଳି ନାହିଁ। ଫଳରେ ଅମଳ ପରେ ଧାନ ସାଇତିବା ସମସ୍ୟା କାରଣରୁ ବହୁ ଚାଷୀ ଏବେ ମଣ୍ଡି ଆଶା ଛାଡ଼ି ଘରୋଇ ବେପାରୀଙ୍କ ଦ୍ବାରସ୍ଥ ହେବାରେ ଲାଗିଛନ୍ତି। ଏହି ମଉକାରେ ଘରୋଇ ବେପାରୀମାନେ ଚାଷୀଙ୍କଠାରୁ କମ୍ ଦାମ୍‌ରେ ଧାନ କିଣି ମାଲେମାଲ୍ ହେଉଛନ୍ତି। ରାଜଧାନୀ ଉପକଣ୍ଠରେ ଏହି ସମସ୍ୟା ଏବେ ବହୁ ଚାଷୀଙ୍କୁ ମୁଣ୍ଡରେ ହାତ ଦେଇ ବସିବାକୁ ବାଧ୍ୟ କରିଛି।

ସୂଚନାନୁସାରେ, ଖଣ୍ଡଗିରି, ନଁପୁଟ, ଯାଁଳା, କାଶୀପୁର ଓ ଜଟଣୀ ଆଦି ସେବା ସମବାୟ ସମିତି ଅଧୀନରେ ଥିବା ବହୁ ଚାଷୀ ଏବେ ଟୋକନ୍‌ ନ ପାଇ ହତାଶ ହୋଇପଡ଼ିଛନ୍ତି। ମଣ୍ଡି ଖୋଲିବା ପରଠାରୁ ପ୍ରତି ସମିତିରେ ପ୍ରାୟ ୭/୮ଥର ଲେଖାଏଁ ଧାନ ଉଠି ସାରିଲାଣି। କିନ୍ତୁ ବହୁ ବଡ଼ବଡ଼ ଚାଷୀମାନଙ୍କୁ ଟୋକନ୍‌ ମିଳୁ ନାହିଁ। ଫଳରେ ଧ‌ାନ ଅମଳ କରି ସେମାନେ ବାହାରେ ବସ୍ତା କରି ରଖିଛନ୍ତି। ଏହି ଅବସ୍ଥାରେ ଏବେ ଲାଗି ରହିଥିବା ଅଦିନିଆ ବର୍ଷା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ପ୍ରତି ପାଳିରେ ଏକ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ସମବାୟ ସମିତି ପକ୍ଷରୁ କୁହାଯାଇଥିଲା। ମାତ୍ର ଏବେ କେବଳ ଛୋଟ ଚାଷୀମାନଙ୍କୁ ଟୋକନ୍‌ ଦିଆଯାଉଛି ଓ ପ୍ରାୟ ୪ରୁ ୫ଶହ କ୍ବିଣ୍ଟାଲ ଧାନ କିଣାଯାଉଛି। ଫଳରେ ବହୁ ଚାଷୀ ପାଳିରୁ ବାଦ୍ ପଡ଼ୁଛନ୍ତି। ଏଣେ ଚାଷୀଙ୍କୁ ଟୋକନ୍‌ ନ ଦେଇ କିଛି ମଣ୍ଡିରେ ଗୋଟିଏ ଦୁଇଟି ଧାନ କିଣା ପାଳି ମଧ୍ୟ ବନ୍ଦ କରାଯାଇଥିବା ଅଭିଯୋଗ ହେଉଛି। ତେଣୁ ସରକାରୀ ମଣ୍ଡିର ଏଭଳି ଅବ୍ୟବସ୍ଥା ଦେଖି ବହୁ ଚାଷୀ ଘରୋଇ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଯାଁଳା ପଞ୍ଚାୟତ ମୁଣ୍ଡମୁହାଁଣ ଗ୍ରାମର ଚାଷୀମାନଙ୍କ ଅଭିଯୋଗ ଯେ ଦୀର୍ଘ ବର୍ଷ ଧରି ସେମାନଙ୍କୁ ଗୋବିନ୍ଦପୁର ଜଟଣୀ ସେବା ସମବାୟ ସମିତିରେ ସଂଯୋଗ କରି ରଖାଯାଇଛି। ନିକଟରେ ଯାଁଳା ମଣ୍ଡି ଥିବା ସତ୍ତ୍ବେ ସେମାନଙ୍କୁ ଜଟଣୀ ମଣ୍ଡି ଅଧୀନରେ ରଖା ଯାଉଛି। ଫଳରେ ଯାଁଳାରୁ ଜଟଣୀ ମଣ୍ଡିର ଅଧିକ ଦୂରତା ଜନିତ ପରିବହନ ସମସ୍ୟା ଓ ମଣ୍ଡିରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା କାରଣରୁ ସେମାନେ ଘରୋଇ ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ସମବାୟ ବିଭାଗ ଏଆର୍‌ସିଏସ୍‌ଙ୍କ କହିବା କଥା, ଚଳିତ ବର୍ଷ ଜିଲ୍ଲା ଯୋଗାଣ ବିଭାଗ ଟୋକନ୍‌ ଦେବା ଦାୟିତ୍ବ ନେଇଛି। ତେବେ ବିଳମ୍ବ ହେଲେ ବି ସମିତିରେ ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀଙ୍କୁ ଟୋକନ୍‌ ମିଳିବ ଓ ସେମାନେ ମଣ୍ଡିରେ ଧାନ ବିକି ପାରିବେ। ସେହିଭଳି ଚାଷୀମାନେ ସମବାୟ ସମିତିରେ ନାମ ପଞ୍ଜୀକୃତ କରିବା ସମୟରେ ମଣ୍ଡିର ଦୂରତାଜନିତ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ, ତାହାକୁ ବିଚାର କରାଯାଇପାରିଥାନ୍ତା। ତେଣୁ ଆଗାମୀ ବର୍ଷ ଚାଷୀମାନେ ଏହି ସମସ୍ୟାକୁ ଦୃଷ୍ଟିକୁ ଆଣିଲେ, ସେମାନଙ୍କୁ ନିକଟସ୍ଥ ସମବାୟ ସମିତିରେ ସଂଯୋଗ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର