ଟୋକନ୍‌ ପାଇ ବି ଚାଷୀ ଜଳକା, ମଣ୍ତିରେ ଭିଜିଲା ଧାନ

ଖଣ୍ଡଗିରି: ପୂର୍ବରୁ ଧାନ ବିକ୍ରି ଟୋକନ୍ ପାଇଁ ଚାଷୀ ଚାହିଁ ଚାହିଁ ଜଳକା ହେଉଥିଲା। ଏବେ ଟୋକନ୍‌ ପାଇବା ପରେ ମିଲର୍ସକୁ ଚାହିଁ ଚାହିଁ ଚାଷୀ ଆଖିରୁ ପାଣି ମଲାଣି। ମିଲର୍ସ ନ ଆସିବାରୁ ମଣ୍ଡିରେ ଧାନ ଗଦା ହୋଇ ରହୁଛି ଓ ବର୍ଷାରେ ଭିଜୁଛି। କେବଳ ସେତିକି ନୁହେଁ, ପାଳି ଅନୁସାରେ ଅଧିକ ଟୋକନ୍ ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଫଳରେ ମିଲର୍ସ ତା’ ଟାର୍ଗେଟ୍‌ ଅନୁସାରେ ଧାନ ଉଠାଉଥିବା ବେଳେ କିଛି ଚାଷୀ ଟୋକନ୍ ଧରି ବି ଧାନ ବିକି ପାରୁନାହାନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ରାଜଧାନୀ ଉପକଣ୍ଠ ଜଟଣୀ ବ୍ଲକ ଯାଁଳା ସେବା ସମବାୟ ସମିତିରେ ଏଭଳି ଅବ୍ୟବସ୍ଥାକୁ ନେଇ ଚାଷୀମାନେ ୧୬ନମ୍ବର ଜାତୀୟ ରାଜପଥ‌ରେ ଧାନ ରଖି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଯାଁଳା, ଓଗାଳପଡ଼ା, କୁସୁମାଟି ଛଣଘର ପଞ୍ଚାୟତର ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ବୁଧବାର ଯାଁଳା ମଣ୍ଡି‌ର ପାଳିଥିଲା‌। ୧୫ଜଣ ଚାଷୀଙ୍କୁ ୬୭୦ କ୍ବିଣ୍ଟାଲ ଧାନ ବିକିବା ପାଇଁ ଟୋକନ୍‌ ମିଳିଥିଲା। ତେଣୁ ଚାଷୀମାନେ ଧାନ ଧରି ମଣ୍ଡିରେ ପହଞ୍ଚିଥିଲେ। କିନ୍ତୁ ମିଲର୍ସ ମଣ୍ଡିକୁ ଆସି ନଥିଲେ। ଚାଷୀମାନେ ବିରକ୍ତ ହୋଇ ସମିତି ସମ୍ପାଦକଙ୍କୁ ଘେରିଥିଲେ। ଏନେଇ ମିଲର୍ସଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଲେ ଯେ ଯୋଗାଣ ବିଭାଗ ପକ୍ଷରୁ ତାଙ୍କୁ ଏହି ପାଳିରେ କେତେ ଧାନ ଉଠାଇବାକୁ ପଡ଼ିବ, ତା’ର ଟାର୍ଗେଟ୍‌ ଦିଆଯାଇନାହିଁ। ତେଣୁ ବିନା ଟାର୍ଗେଟ୍‌ରେ ସେ ଧାନ ଉଠାଇ ପାରିବେ ନାହିଁ ବୋଲି କହିଥିଲେ। ଏମିତି ଠେଲାପେଲା ଚାଲିଥିବା ବେଳେ ହଠାତ୍ ବର୍ଷା ହୋଇଥିଲା। ଚାଷୀମାନେ ପଲିଥିନ୍ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ବି କିଛି ଧାନବସ୍ତା ବର୍ଷାରେ ଭିଜିଥିଲା। ସ୍ଥାନୀୟ ଯାଁଳା ଓ ଓଗାଳପଡ଼ାର କିଛି ଚାଷୀ ଧାନ ଘରକୁ ଫେରାଇ ନେଇଥିଲେ। ମାତ୍ର ବିରଞ୍ଚି ନାରାୟଣ ଭଟ୍ଟାଚାର୍ଯ୍ୟ, ପ୍ରଭାତ ଛୋଟରାୟ ପ୍ରମୁଖ ଚାଷୀମାନେ ପ୍ରାୟ ୧୫କିଲୋମିଟର ଦୂର କୁସୁମାଟି ଛଣଘରରୁ ଆସିଥିବାରୁ ସେମାନେ ଧାନ ଫେରାଇ ନେବା ସମ୍ଭବ ହୋଇନଥିଲା। ସେହିଭଳି ଯାଁଳା ଅଞ୍ଚଳର ମାନଗୋବିନ୍ଦ ସ୍ବାଇଁ, ବାବୁଲି ସାହୁ ପ୍ରମୁଖ କିଛି ଚାଷୀ ମଧ୍ୟ ମଣ୍ଡିରୁ ପୁଣି ଗାଡ଼ି ଭଡ଼ା କରି ଧାନ ଫେରାଇ ନେଇପାରିନଥିଲେ। ଫଳରେ ମଣ୍ଡିରେ ସେମିତି ଧାନ ପଡ଼ି ରହିଛି।

ମଣ୍ଡିରୁ ଧାନ ଫେରାଇ ନେଇ ପାରିନଥିବା ଚାଷୀମାନେ ଚେତାବନୀ ଦେଇ କହିଛନ୍ତି ଯେ ଶୁକ୍ରବାର ସୁଦ୍ଧା ଯୋଗାଣ ବିଭାଗ ଧାନ ନ ନେଲେ, ସେମାନେ ୧୬ ନମ୍ବର ଜାତୀୟ ରାଜପଥରେ ଧାନ ରଖି ରାସ୍ତା ଅବରୋଧ କରିବେ। ଏନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରି ନଥିବା ବେଳେ ସମବାୟ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯୋଗାଣ ବିଭାଗର ଏଭଳି ଅନିୟମିତତା ପାଇଁ ସମବାୟ ବିଭାଗ ନିନ୍ଦିତ ହେବା ସହ ଚାଷୀଙ୍କ ଆକ୍ରୋଶର ଶିକାର ହେଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଆଗାମୀ ପାଳିଗୁଡ଼ିକରେ ଏଭଳି ସମସ୍ୟା ଅଧିକ ହେବ ବୋଲି ସେ ସୂଚ‌ାଇ ଦେଇଛନ୍ତି। ଯେଉଁଠି ପାଳି ପିଛା ମାତ୍ର ୭ ଶହ/୮ ଶହ କ୍ବିଣ୍ଟାଲ ଧାନ ଉଠୁଥିଲା, ସେଠାକୁ ପାଳି ପିଛା ୧୫ ଶହ କ୍ବିଣ୍ଟାଲ ଧାନ ବାବଦରେ ଚାଷୀମାନଙ୍କୁ ଟୋକନ୍‌ ଦିଆଯାଇଛି। ଯଦି ମିଲର୍ସଙ୍କୁ ସେହି ଅନୁପାତରେ ଟାର୍ଗେଟ୍‌ ନ ମିଳେ, ତେବେ ପରିସ୍ଥିତି ସଂଗିନ୍ ହୋଇପଡ଼ିବ ଓ ଚାଷୀମାନେ ସମିତି ଉପରେ ଆକ୍ରମଣ କରିବେ ବୋଲି ସେ ଆଶଙ୍କା କରିଛନ୍ତି।

ସମ୍ବନ୍ଧିତ ଖବର