ଭୁବନେଶ୍ବର: କରୋନା ପାଇଁ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ସମେତ କଳାକାର, ସେଲୁନ୍, ସ୍ପା’ ଆଦି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସରକାର ଜୀବିକା ସୁରକ୍ଷା ଭତ୍ତା ଦିଅନ୍ତୁ। ଚାଷୀମାନଙ୍କୁ ୫ ହଜାର ଟଙ୍କା ହିସାବରେ ୩୬ ଲକ୍ଷ ପରିବାରଙ୍କୁ ୨୧ହଜାର ୬ଶହ କୋଟି ଏବଂ କଳାକାର, ଜିମ୍, ସେଲୁନ୍, ସ୍ପା’ ଭଳି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମାସିକ ୫ ହଜାର ଟଙ୍କା ହିସାବରେ ୧୧ଶହ କୋଟିର ସୁରକ୍ଷା ଭତ୍ତା ଘୋଷଣା କରିବାକୁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ।
ସଂଗଠନ ପକ୍ଷରୁ ଆଜି ଉତ୍କଳ ସାମ୍ବାଦିକ ଭବନ ପରସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ କହିଲେ ଯେ ସରକାର ଜୀବନକୁ ସୁରକ୍ଷା ଦେବା ଆଳରେ ଜୀବିକାକୁ ମାରିଦେଲେ। ଜୀବିକାକୁ ବାଦ୍ ଦେଲେ ଜୀବନର ଅସ୍ତିତ୍ବ କ’ଣ, ଏହି ସର୍ବନିମ୍ନ କଥା ଲୋକପ୍ରତିନିଧି ଓ ଅମଲାତନ୍ତ୍ର ବୁଝିଲେନି। ଲକ୍ଡାଉନ, ସଟ୍ଡାଉନ୍ କରୋନାଠାରୁ ଆହୁରି ଭୟଙ୍କର। ତେଣୁ ରାଜ୍ୟ ସରକାର ସାମ୍ବିଧାନିକ ବିଧି ବ୍ୟବସ୍ଥା ମାନି ଧାରା-୨୧ ଅନୁସାରେ କରୋନା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଜୀବିକା ସୁରକ୍ଷା ଭତ୍ତା ଦିଅନ୍ତୁ। ଏହାସହ ବିୟୁଟି ପାର୍ଲର୍, ସେଲୁନ୍, ଜିମ୍, କଳାକାରଙ୍କୁ ଲୋନ୍ ଦିଆଯାଇ ଏଗୁଡ଼ିକୁ ଏମ୍ଏସ୍ଏମ୍ଇ ଅନ୍ତର୍ଭୁକ୍ତ କରାଯାଉ।
ଏହାଦ୍ବାରା ୧୮% ଜିଏସ୍ଟି ବଦଳରେ ୬% ଦେଇ ସେମାନେ ସୁଲଭ ଲୋନ୍ ପାଇପାରିବେ। ଯେଉଁମାନେ ଚଳିତ ବର୍ଷ ଲୋନ୍ ନେଇଛନ୍ତି, ସେମାନଙ୍କୁ ୨ବର୍ଷ ପର୍ଯ୍ୟନ୍ତ ଶୁଝିବା ପାଇଁ ସମୟ ଦିଆଯାଉ। ସେମାନେ କରୋନା କାଳରେ ବ୍ୟବସାୟ ପାଇଁ ନେଇଥିବା ଘରଭଡ଼ା ଇତ୍ୟାଦି ଖର୍ଚ୍ଚ ମଧ୍ୟ ସରକାର ବହନ କରନ୍ତୁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ, ଆସନ୍ତା ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସରେ ସଂଗଠନ ପକ୍ଷରୁ ଭୁବନେଶ୍ବର ସମେତ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭରତ, ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍.ଡି ମନୱର୍ ଅଲ୍ଲୀ, ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଂପାଦକ ରମେଶ ଚନ୍ଦ୍ର ନାୟକ (ଆର.କେ. ହୀରାଲାଲ), ଉପଦେଷ୍ଟା ବାପି ପଣ୍ଡା, ସହ ସମ୍ପାଦକ ଗୌରଦାସ ଜିମ୍ର ସତ୍ୟଜିତ ଦାସ, ଅମ୍ରିତା ମିଶ୍ର, ଦ୍ବିତୀକୃଷ୍ଣ ବେହେରା, ବିୟୁଟି ପାର୍ଲର୍ ସଂଘର ବୈଶାଳୀ ମହାପାତ୍ର, ସୁପ୍ରିୟା ମିଶ୍ର, ଶୁଭ୍ରସୀମା ନାୟକ, ସବିତା ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/f564h56sf4h56s4f56shffhfshfhhffh.jpg)