ବସନ୍ତମାଳ ହାଟ ନିଲାମକୁ ବିରୋଧ, ଧାରଣାରେ ବସିଲେ ଚାଷୀ

ବାଲିପାଟଣା: ସ୍ଥାନୀୟ ବସନ୍ତମାଳ ସାପ୍ତାହିକ ହାଟ ନିଲାମକୁ ବିରୋଧ କରି ଆଜି ବହୁ ଚାଷୀ କୁରୁଞ୍ଜିପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। କୋଭିଡ୍‌ ସଂକଟ ବେଳେ ପରିବା ବେପାର ମାନ୍ଦା ରହୁଥିବାରୁ ଚାଷୀମାନେ ତୋଳା ବା ପଞ୍ଚାୟତ ଟିକସ ଦେଇ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ କରି ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ତେଣୁ ଆଜି ହାଟ ନିଲାମ ହୋଇପାରିନଥିଲା। ଧାରଣାସ୍ଥଳରେ ବିଧାୟକ ଅରବିନ୍ଦ ଢାଲି ପହଞ୍ଚି ସରପଞ୍ଚ ବନିତା ପ୍ରଧାନଙ୍କ ସହ ଆଲୋଚନା କରିବା ସହ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଥିଲେ। ଶେଷରେ ନିଲାମ ସ୍ଥଗିତ ରହିଲା ବୋଲି କୁହାଯିବା ପରେ ଚାଷୀମାନେ ଧାରଣାରୁ ହଟିଥିଲେ। ତେବେ ପରେ ପୁଣି ହାଟ ନିଲାମ ହୋଇଛି ବୋଲି ପ୍ରଚାର ହୋଇଛି ଓ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ହାଟପାଳିରେ ଟିକସ ଆଦାୟ ହେଲେ, ସେମା‌‌ନେ ପୁଣି ଆନ୍ଦୋଳନ କରିବେ ବୋଲି କୁହାଯାଇଛି।

ଚାଷୀମାନଙ୍କ ଅଭିଯୋଗ ଅନୁସା‌ରେ, କୋଭିଡ୍‌ କାଳରେ ପରିବା ଓ ପାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ପାନ ରପ୍ତାନି ହୋଇନପାରିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସମାନ ଅବସ୍ଥା ଭୋଗିଛନ୍ତି ପରିବା ଚାଷୀମାନେ। ଏବେ ବି ପରିବା ଦର ବହୁ କମ୍ ରହିଛି। ତେଣୁ ଏହି ହାଟକୁ ଆସୁଥିବା ଛୋଟ ଚାଷୀମାନେ ଟିକସ ଦେଲେ, ଆହୁରି କ୍ଷତିଗ୍ରସ୍ତ ହେବେ। ତେଣୁ ଏବେ ସ୍ବାଭାବିକ ପରିସ୍ଥିତି ଆସିବା ପର୍ଯ୍ୟନ୍ତ ହାଟ ନିଲାମ ବନ୍ଦ ରହୁ ବୋଲି ସେମାନେ ଦାବି କରିଥିଲେ। ଉକ୍ତ ଧାରଣାରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୁରେନ୍ଦ୍ର ସେଠୀ, ଗଦାଧର ମାଝୀ, ସହଦେବ ସାମନ୍ତରାୟ, ଅକ୍ଷୟ କୁମାର ବାରିକ, ପ୍ରସନ୍ନ କୁମାର କୁଣ୍ଡୁ, ବ୍ରଜବିହାରୀ ଦାସ, ଦାଶରଥୀ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ବୁଧବାର ଓ ରବିବାର ବସୁଥିବା ଏହି ହାଟରେ ଚାଷୀମାନଙ୍କଠାରୁ ୧୦ ଟଙ୍କାରୁ ୨୦ ଟଙ୍କା ତୋଳା ବା ଟିକସ ଆଦାୟ କରାଯାଏ। ସେହିଭଳି ଏହି ହାଟରୁ ପାନ କିଣିବାକୁ ଆସୁଥିବା ବାହାର ବ୍ୟବସାୟୀଙ୍କଠାରୁ ୫ ଶହରୁ ହଜାରେ ଟଙ୍କା ଟିକସ ଆଦାୟ କରାଯାଏ। ନିଲାମଧାରୀ ବାର୍ଷିକ ଦରରେ ପଞ୍ଚାୟତଠାରୁ ନିଲାମ ନେଇଥାନ୍ତି। ଚଳିତ ବର୍ଷ ୮ ମାସ ପାଇଁ ୧ ଲକ୍ଷ ୬୩ ହଜାର ଟଙ୍କାରେ ହାଟ ନିଲାମ ହୋଇଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର