ରାଜ୍ୟ କୃଷି ଅଧିକାରୀଙ୍କୁ ଦିଲ୍ଲୀ ଡକାଯିବ, ଷ୍ଟାଣ୍ଡିଂ କମିଟି ଆଗରେ ମତ ରଖିବେ

ରାଜ୍ୟରେ ଚାଷୀ ଆତ୍ମହତ୍ୟା ନେଇ ସଂସଦୀୟ କୃଷି ଷ୍ଟାଣ୍ଡିଂ କମିଟିର ତନାଘନା

ଚନ୍ଦ୍ରଶେଖରପୁର : ରାଜ୍ୟରେ ବିଭିନ୍ନ କାରଣରୁ ହେଉଥିବା ଚାଷୀ ଆତ୍ମହତ୍ୟାକୁ ଗମ୍ଭୀର ଭାବରେ ନେଇଛି ଓଡ଼ିଶା ଗସ୍ତରେ ଥିବା ସଂସଦୀୟ ସ୍ଥାୟୀ କୃଷି ଷ୍ଟାଣ୍ଡିଂ କମିଟି। ଆଜି ରାଜଧାନୀରେ ଏନେଇ ବସିଥିବା କମିଟି ମିଟିଂରେ ବ୍ୟାପକ  ଆଲୋଚନା ହୋଇଛି। କେନ୍ଦ୍ର ବରିଷ୍ଠ କୃଷି ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରି ଚାଷୀ ଆତ୍ମହତ୍ୟାର କାରଣ ବୁଝିବାକୁ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କୀଟନାଶକ ପ୍ରୟୋଗ କରିଥିଲେ ମଧ୍ୟ ପୋକ ନମରିବା କାରଣରୁ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ହୋଇଛି। ତେଣୁ ଉକ୍ତ କୀଟନାଶକ ଉତ୍ପାଦନକାରୀ କମ୍ପାନୀ ବିଷୟରେ ଉଭୟ କେନ୍ଦ୍ର ଓ ରାଜ୍ୟ କୃଷି ଅଧିକାରୀମାନେ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ସ୍ଥାୟୀ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ସାଂସଦ ହୁକୁମଦେବ ନାରାୟଣ ଯାଦବ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୀଟନାଶକ ଠିକ୍‌ ଥିଲା ତେବେ କଣ ପାଇଁ ପୋକ ମଲେ ନାହିଁ? ନକଲି କୀଟନାଶକକୁ କିପରି ଚାଷୀମାନଙ୍କୁ ବିକ୍ରି କରାଗଲା ଆଦି ବିଭିନ୍ନ ବିଷୟରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଯାଦବ ପ୍ରକାଶ କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ଚାଷର ସଠିକ ମୂଲ୍ୟ ଆକଳନ କରିବା ନିମନ୍ତେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନେ ମିଳିତ ଭାବରେ ଯାଞ୍ଚ କରିବେ।

ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିବା ପରେ ଏନେଇ କମିଟି ଏହାର ରିପୋର୍ଟ ଦେବ। ରାଜ୍ୟର ବରିଷ୍ଠ କୃଷି ଅଧିକାରୀଙ୍କୁ ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେବାକୁ ଦିଲ୍ଲୀ ମଧ୍ୟ ଡକାଯିବାର ଯୋଜନା ରହିଥିବା ଶ୍ରୀ ଯାଦବ ‘ସମ୍ବାଦ’ ସହିତ ଆଲୋଚନା କାଳରେ ପ୍ରକାଶ କରିଛନ୍ତି। ସେଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ କୃଷି ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଚାଷୀମାନେ ନିଜ ଚାଷ କ୍ଷେତ ପୋଡ଼ିବା ଭଳି କଠୋର ନିଷ୍ପତି ନେବା ପଛର ପ୍ରକୃତ କାରଣ ଖୋଜିବା ସହିତ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଓ ନକଲି କୀଟନାଶକ ବିକ୍ରି କରିଥିବା କମ୍ପାନିକୁ କଠୋର ଦଣ୍ଡବିଧାନ କରାଯିବା ନେଇ ଷ୍ଟାଣ୍ଡିଂ କମିଟି ପକ୍ଷରୁ କଡ଼ା ନିଷ୍ପତି ନିଆଯାଇଥିଲା। ନକଲି କୀଟନାଶକ ମାନକୁ କିପରି କୌଣସି କୃଷି ଅଧିକାରୀ ଯାଞ୍ଚ କଲେ ନାହିଁ, ସେବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟଯେ ଶ୍ରୀ ଯାଦବଙ୍କ ନେତୃତ୍ୱରେ ଏକ ସଂସଦୀୟ କୃଷି ଷ୍ଟାଣ୍ଡିଂ କମିଟି ଓଡ଼ିଶା ଗସ୍ତରେ ଆସିଛି।

ସମ୍ବନ୍ଧିତ ଖବର