ପିସିଆର୍ କର୍ମଚାରୀଙ୍କ ଅଶାଳୀନ ବ୍ୟବହାର, ରାସ୍ତାରେ ପରିବା ଢାଳିଦେଲେ ଚାଷୀ

ବାଲିପାଟଣା : ପିସିଆର୍ କର୍ମଚାରୀଙ୍କ ଆଶାଳୀନ ବ୍ୟବହାର ବିରୋଧରେ ଗୁରୁବାର ସ୍ଥାନୀୟ ଧାନହରା ହାଟକୁ ଆସିଥିବା ଚାଷୀମାନେ ରାସ୍ତାରେ ପରିବା ଢାଳି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏଥିସହିତ ଚାଷୀମାନେ ରାଜପଥ ଉପରେ ବସି ରହିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ପ୍ରାୟ ଘଣ୍ଟାକ ପରେ ବାଲିପାଟଣା ଥାନା ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀମାନେ ରାସ୍ତାରୁ ହଟିଥିଲେ।

 

ଗୁରୁବାର ସାପ୍ତାହିକ ପାଳି ଥିବାରୁ ଧାନହରା ହାଟକୁ ସ୍ଥାନୀୟ ଚାଷୀମାନେ ପରିବା ନେଇ ଆସିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ହାଟ ପିଣ୍ଡିରେ ନ ବସି ରାସ୍ତାକଡ଼ରେ ବସିବା ପାଇଁ ଚାଷୀମାନଙ୍କୁ କୁହାଯାଇଥିଲା। ରାସ୍ତା କଡ଼ରେ ସାମାଜିକ ଦୂରତା ରଖି ଚାଷୀମାନେ ବସିଥିଲେ। ମାତ୍ର କିଛି ଚାଷୀଙ୍କ ଭିତରେ ସାମାଜିକ ଦୂରତା ନଥିଲା। ସେଠାରେ ଥିବା ପିସିଆର୍ କର୍ମଚାରୀମାନେ ତାଗିଦ୍ କରିଥିଲେ। କିନ୍ତୁ ଜଣେ କର୍ମଚାରୀ ଚାଷୀମାନଙ୍କୁ ଅଶାଳୀନ କଟୁ ଭାଷା ପ୍ରୟୋଗ କରିଥିଲେ। ଏହାକୁ ବିରୋଧ କରି ନରଣପୁରର ଚାଷୀ ସୁରେଶ ପରିଡ଼ା, ଦିଲ୍ଲୀପ ରାଜ, ଭାକରସାହିର ବାବୁଲି ସାହୁ, ବିଶ୍ୱାଳସାହିର ଶରତ ବିଶ୍ୱାଳ ପ୍ରମୁଖ ଅଠାନ୍ତର-ବନମାଳୀପୁର ରାସ୍ତାରେ ପରିବା ଢାଳି ରାସ୍ତାରୋକ କରିଥିଲେ। ଏହାକୁ ଅନ୍ୟ ପରିବା ‌ବେପାରୀ ତଥା ଚାଷୀମାନେ ସମର୍ଥନ କରିଥିଲେ। ଥାନା ଅଧିକାରୀ ରାଧାକାନ୍ତ ସାହୁ ଏବଂ ମଝିହରା ସମିତି ସଭ୍ୟ ଦୀପ୍ତିମାନ ପୃଷ୍ଟି ସେଠାରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର