ବାଲିଅନ୍ତା/ବାଲିପାଟଣା: ଧାନଚାଷୀଙ୍କ ବଇରୀ ସାଜିଛି ବର୍ଷା। ପୁଷ ମାସରେ ଚାଷୀଙ୍କର ସର୍ବନାଶ କରିଦେଇଛି ଲଘୁଚାପ ବର୍ଷା। ବାଡ଼ିପଟେ ଖଳା ଫାଙ୍କା ପଡିଥିବା ବେଳେ ପାଚିଲା ଧାନବିଲରେ ପାଣି ଲହଡ଼ି ମାରୁଛି। ହଜାର ହଜାର ହେକ୍ଟର ଧାନ ଅମଳ ହୋଇ ନପାରି ବିଲରେ ଗଜା ହୋଇଗଲାଣି। ଚାଷୀ ଆଖିରୁ ଲୁହ ଶୁଖୁନି। ସାରା ବର୍ଷର ଝାଳବୁହା ପରିଶ୍ରମରେ ପାଣି ପଶି ଯାଇଛି। ଆଖି ସାମନାରେ ଆହାର ଭାସୁଛି। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍ର ହଜାର ହଜାର ଏକର ଚାଷଜମି ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଛି।
୨୦ ଓ ୨୧ ତାରିଖ ଦୁଇଦିନ ଲଘୁଚାପ ବର୍ଷା ହୋଇଥିଲା। ଚାଷୀ ଭାବିଥିଲେ ବର୍ଷା ଛାଡ଼ୁ ଛାଡ଼ୁ ଧାନକୁ ବଞ୍ଚାଇବେ। ହେଲେ ୪୮ ଘଣ୍ଟା ନ ବିତୁଣୁ ପୁଣି ଲଗାଣ ବର୍ଷା ବୋଝ ଉପରେ ନଳିତା ବିଡ଼ା ହୋଇଯାଇଛି। ପାଣିରୁ ଛାଣି ଆଣିଲେ ସିନା, ହେଲେ ଅମଳ କରିବାକୁ ସୁଯୋଗ ନାହିଁ। ଏଭଳି ସ୍ଥିତି ଉଭୟ ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍ରେ ରହିଛି। ଆକଳନ ମୁତାବକ ବାଲିପାଟଣା ବ୍ଲକ୍ରେ ମାତ୍ର ୨୩.୭୫% ଧାନ ଅମଳ ହୋଇଥିବା ବେଳେ ୭୬.୨୫% ଧାନ ବିଲରେ ପାଣିରେ ମିଶି ଯାଇଛି। ଏଥିରୁ ୧ ପ୍ରତିଶତ ମଧ୍ୟ ଅମଳ ହେବ ନାହିଁ ବୋଲି ଚାଷୀ କହିଛନ୍ତି। ବ୍ଲକ୍ରୁ ମିଳିଥିବା ସୂଚନା ଅନୁସାରେ ବାଲିପାଟଣାର ୧୭ପଞ୍ଚାୟତରେ ୯୫୨୦ ହେକ୍ଟର ଖରିଫ ଧାନ ଫସଲ ହୋଇଥିଲା। ସେଥିରୁ ୪.୫ ହଜାର ହେକ୍ଟର ଖାଲୁଆ ଜମି ଥିଲା। ଏ ଯାବତ୍ ୨୨୬୧ ହେକ୍ଟର ଜମିରୁ ଅମଳ ହୋଇଛି। ୯୫୦ ହେକ୍ଟର ଜମିରେ ଧାନ କଟା ହୋଇ ବିଲରେ ପଡ଼ିଥିଲା। ବାକି ଫସଲ କଟା ହୋଇନାହିଁ। ପମ୍ପାଲୋ ପଞ୍ଚାୟତରେ ସର୍ବାଧିକ ୧୦୭ ହେକ୍ଟର କଚଡ଼ା ପଡ଼ି ରହିଥିବା ବେଳେ, ଗାରେଡ଼ିପାଞ୍ଚଣରେ ୮୬ ହେକ୍ଟର, ଅଠାନ୍ତରରେ ୩୧, ମଝିହରାରେ ୪୭, ଗୁଆପୁରରେ ୪୪, କୁରୁଞ୍ଜିପୁରରେ ୬୮, ତୁରିନ୍ତିରାରେ ୫୯, ରାଜସରେ ୩୨, ଆଳିସିଶାସନରେ ୭୦, ମୁକୁନ୍ଦଦାସପୁରରେ ୨୫, ସୋମଣା ଶାସନରେ ୪୮, ଆମଣାକୁଦରେ ୪୭, ଭାପୁରରେ ୨୨, ଭାକରସାହିରେ ୫୮, ମାର୍ଥାପୁରରେ ୬୦, ନରିସୋରେ ୮୫, ଦେଉଳିଧରପୁରରେ ୬୧ ହେକ୍ଟର ଧାନ କଚଡ଼ା ପଡିଛି। ପରିବା ଚାଷ ବି ପ୍ରଭାବିତ ହୋଇଥିବା ବ୍ଲକ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସେହିଭଳି ବାଲିଅନ୍ତା ବ୍ଲକ୍ରେ ୧୬ଟି ପଞ୍ଚାୟତର ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପଞ୍ଚାୟତରେ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲିଅନ୍ତା ତହସିଲଦାର ବିମଳ କୁମାର ଲେଙ୍କା, ଝିଣ୍ଟିଶାସନ ରାଜସ୍ବ ନିରୀକ୍ଷକ ସାରଦା ପ୍ରସନ୍ନ ପତି, ସମୀର ବେହେରା, ଦୁଃଖୀଶ୍ୟାମ ସ୍ବାଇଁ, ବ୍ଲକ୍ ସହକାରୀ କୃଷି ଅଧିକାରୀ ସ୍ଥିତିପ୍ରଜ୍ଞା ଖମାରୀ ଓ ଗ୍ରାମ କୃଷି କର୍ମଚାରୀ ସୁଶାନ୍ତ ସ୍ବାଇଁଙ୍କ ସମେତ ଅନ୍ୟ ଗ୍ରାମ କୃଷି କର୍ମଚାରୀ, ରାଜସ୍ବ ନିରୀକ୍ଷକ ଏବଂ ପଞ୍ଚାୟତ ଅଧିକାରୀ ବିଭିନ୍ନ ମୌଜା ବୁଲି ଆକଳନ କରୁଛନ୍ତି। ଅଞ୍ଜିରା, ବୁଦ୍ଧିପଡ଼ା, ରଣପୁର, ସରକଣା ଆଦି ଅଞ୍ଚଳରେ ମୁଖ୍ୟ ରାସ୍ତାକଡ଼ରେ ଚାଷୀମାନେ ଗଦାକରି ରଖିଥିବା ଧାନ ଯାଞ୍ଚ କରୁଛନ୍ତି। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଲିଅନ୍ତା ବ୍ଲକ୍ରେ ମୋଟ ୯.୮୭୦ ହଜାର ହେକ୍ଟର ଜମିରେ ଖରିଫ ଧାନଫସଲ କରାଯାଇଥିଲା। ସେଥିରୁ ୩୫ ପ୍ରତିଶତ ଧାନଫସଲ ବର୍ଷାରେ ନଷ୍ଟ ହୋଇଛି। ୩୦ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନ ନିକଟକୁ ଚୂଡ଼ାନ୍ତ ଚିଠା ପଠାଯିବ। ଏହି ପରିମାଣ ଦୁଇଗୁଣା ହୋଇଯିବ ବୋଲି ଆଜିର ବର୍ଷା ପରେ ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/26/DHpCIqVQqBdGJ2Vrd0nP.jpg)