ବାଲିପାଟଣା: ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା କରି ଚାଷୀ ଅଖିମୁଠି ଅନୁକୂଳ କରିଛନ୍ତି। ସେହିଦିନଠାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଅଭାବ ଚାଷ କାର୍ଯ୍ୟକୁ ବିଳମ୍ବିତ କରିଥିବା ବେଳେ ଏବେ ଧାନ ବିହନ ଗଜା ନହେବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବାଲିପାଟଣା ଅଞ୍ଚଳରେ କିଛି ଚାଷୀ ବୁଣାବୁଣି କରିଥିବା ବେଳେ ଅନ୍ୟମାନେ ବିଲରେ ତଳି ପକାଇଛନ୍ତି। ଚାଷୀ ସୋସାଇଟି ଓ ଡିଲରଙ୍କ ଠାରୁ ବିହନ କିଣି ତଳି ପକାଉଛନ୍ତି। ହେଲେ ଅଧିକ ଅମଳ ଲୋଭରେ ‌ଘରୋଇ ସଂସ୍ଥାରୁ କିଣିଥିବା ଅଧିକାଂଶ ବିହନ ଗଜା ହେଉନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଖର୍ଚ୍ଚାନ୍ତ ହୋଇ ପୁଣି ବିହନ ଆଣି ଗଜା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହଜାର ହଜାର ହେକ୍ଟର ଚାଷ ଜମିରେ ହାତଗଣତି ଉଠା ଜଳସେଚନ ବ୍ୟବସ୍ଥା ହୋଇଛି। ଖରା ଦିନରେ ଗଡ଼ିଆ ପୋଖରୀ ଶୁଖି ଆଁ କରିଛି। ମୌସୁମୀ ଆସିଥିଲେ ବି କାଁଭାଁ ବର୍ଷା ହୋଇଛି। ବାଲିପାଟଣା ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ବ ସରକାରୀ ବୋରିଂ ଥିବା ସ୍ଥଳେ ୨୭୦ଟି ଘରୋଇ ବୋରିଂ ରହିଛି। ଯାହା ସମୁଦ୍ରକୁ ଶଙ୍ଖେ। ଏତିକି ବେଳେ ବର୍ଷା ନଥିବାରୁ କେନାଲ ପାଣି ବହୁ ବିଳମ୍ୱରେ ଆସିବ ବୋଲି ସୂଚନା ମିଳିଛି। ତେଣୁ ଚାଷକାର୍ଯ୍ୟ ଏକପ୍ରକାର ପଛରେ ପଡ଼ିଛି।

Advertisment

ବାଲିପାଟଣା କୃଷି କାର୍ଯ୍ୟାଳୟ ସୂଚନା ଅନୁସାରେ ବାଲିପାଟଣାରେ ୯୪୭୦ ହେକ୍ଟର ଖରିଫ ଧାନ ଚାଷ ଲକ୍ଷ୍ୟ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୭ ସେବା ସମବାୟ ସମିତି ଏବଂ ୬ ଡିଲର ଓଡ଼ିଶା ବିହନ ନିଗମରୁ ୯୭୮. ୫ କୁଇଣ୍ଟାଲ ଧାନ ବିହନ ଆଣିଛନ୍ତି। ସେହିପରି ଡିଲରମାନେ ଘରୋଇ ସଂସ୍ଥାରୁ ପ୍ରାୟ ୫୦୦ କୁଇଣ୍ଟାଲ ବିହନ ଆଣି ବିକ୍ରି କରୁଛନ୍ତି। ସେଥିମଧ୍ୟରେ ପୂଜା, କଳାଚମ୍ପା, ୧୦୯ ସବ୍‌ୱାନ, ସାରଳା, ଆରଜେଏଲ, ୧୦୧୮ ଭଳି ବିହନ ଉପଲବ୍ଧ ଅଛି। ସରାଟ ସେବା ସମବାୟ ସମିତିକୁ ୬୬ କୁଇଣ୍ଟାଲ, ଆମଣାକୁଦ ବାରଭୁଜା ସୋସାଇଟିକୁ ୫୫ କୁଇଣ୍ଟାଲ, ତୁରିନ୍ତିରା ସୋସାଇଟିକୁ ୫୦ କୁଇଣ୍ଟାଲ, ନରିଶୋ ଏବଂ କୁରୁଞ୍ଜିପୁର ସୋସାଇଟିକୁ ୨୦ କୁଇଣ୍ଟାଲ, ନରଦା ସୋସାଇଟିକୁ ୩୩ କୁଇଣ୍ଟାଲ, ଗାରେଡ଼ିପାଞ୍ଚଣ ସେବା ସମବାୟ ସମିତିକୁ ୩୩.୬୦ କୁଇଣ୍ଟାଲ ବିହନ ଆସିଥିବା ସ୍ଥଳେ କୁରୁଞ୍ଜିପୁରର କେଦାର ନାଥ ସ୍ୱାଇଁ ୨୮୬ କୁଇଣ୍ଟାଲ, ଦେଉଳିଧରପୁର ମା’ ବରାହୀ ସିଡ୍‌ସ ସେଲ ସେଣ୍ଟର ୮୮ କୁଇଣ୍ଟାଲ, ମାର୍ଥାପୁରର ପ୍ରସନ୍ନ ମହାପାତ୍ର ୧୬୧ କୁଇଣ୍ଟାଲ, ସୋମଣା ଶାସନର ଆନନ୍ଦ ଚନ୍ଦ୍ର ସାହୁ ୩୧.୯୦ କୁଇଣ୍ଟାଲ, ଚାଷବାସ ଫାର୍ମର ପ୍ରଡ୍ୟୁସର କମ୍ପାନି ୨୮ କୁଇଣ୍ଟାଲ, ମୁରଲୀଧର ବେହେରା ୬ କୁଇଣ୍ଟାଲ ସରକାରୀ ବିହନ ବିକ୍ରି କରୁଛନ୍ତି। ବିହନ ପ୍ୟାକେଟ ପିଛା ୨୮୫ରୁ ୩୧୭ ଟଙ୍କା ରିହାତି ଚାଷୀଙ୍କ ଆକାଉଣ୍ଟକୁ ଯିବ ବୋଲି ସରାଟ ସେବା ସମବାୟ ସମିତି ସମ୍ପାଦକ ପ୍ରଭୁ ପ୍ରସାଦ ଜେନା କହିଛନ୍ତି। ଏହିସବୁ ବିହନ କେନ୍ଦ୍ରକୁ ବାଦ ଦେଇ ଚାଷୀ ବାଲିଅନ୍ତା ବ୍ଲକର କିଛି ଡିଲରଙ୍କ ଠାରୁ ବିହନ କିଣି ତଳି ପକାଇଛନ୍ତି।

ସରାଟ ଶାସନର ଚାଷୀ କାର୍ତ୍ତିକ ଚନ୍ଦ୍ର ଦାଶଙ୍କ କହିବା କଥା ସିଶୋଲେ ବଜାର ବିହନ ବିକ୍ରୟ କେନ୍ଦ୍ରରୁ କଳାଚମ୍ପା ଏବଂ ୧୦୬୨ ଧାନ ବିହନ ୨ପ୍ୟାକେଟ ଆଣିଥିଲେ। ହେଲେ ୧୦୬୨ ବିହନ ଗଜା ହୋଇଥିବା ବେଳେ କଳାଚମ୍ପା ଗଜା ହୋଇନଥିଲା। ସେହିପରି କୁଳମଣି ସାହୁଙ୍କ କହିବା କଥା ସେ ଖମଙ୍ଗରୁ ପୂଜା ବିହନ ଆଣିଥିଲେ। ସୋସାଇଟିରୁ ଆରଜେଏଲ ବିହନ କିଣିଥିଲେ। ସୋସାଇଟି ବିହନ ଗଜା ହୋଇଥିବା ବେଳେ ପୂଜା ଧାନରୁ ଗଜା ବାହାରିଲା ନାହିଁ। ଏହିପରି ଅନେକ ଚାଷୀ ଏବେ ସମଦଶା ଭୋଗୁଛନ୍ତି। ବାଲିପାଟଣା ବ୍ଲକ କୃଷି ଅଧିକାରୀ ନକ୍ଷତ୍ର ମୋହନ ରାଉଳଙ୍କ ସୂଚନା ଅନୁସାରେ ଚାଷୀଙ୍କୁ ବିହନ ପ୍ରାଥମିକ ପରୀକ୍ଷଣ କରି ଧାନ ଗଜା ପାଇଁ ପରାମର୍ଶ ଦିଆଯାଉଛି। ଗଜା ନହେବା ନେଇ ଅଭିଯୋଗ ଆସି ନଥିବା ସେ କହିଛନ୍ତି।