ବାଲିପାଟଣା/ବାଲିଅନ୍ତା : ବାତ୍ୟା ‘ଜୱାଦ’ ଜନିତ ଲଗାଣ ବର୍ଷା ଚାଷୀ ଆଖିରେ ଯେଉଁ ଲୁହ ଦେଇଯାଇଛି, ତାହା ଆଜି ପର୍ଯ୍ୟନ୍ତ ଶୁଖିନାହିଁ। ବିଲରୁ ପାଣି କମିନି ନି ଚାଷୀ ଆଖିରୁ ଲୁହ ଝରିବା ବନ୍ଦ ହୋଇନାହିଁ। ଆଜି ପାଣି ଭର୍ତ୍ତି ବିଲରୁ ବିକଳ ହୋଇ ଚାଷୀ ଧାନକେଣ୍ଡା ଛାଣୁଛି। ବହୁତ ଧାନ ପାଣିରେ ରହିରହି କଳା ପଡ଼ିଗଲାଣି। ମସୁରିଜାତୀୟ ଧାନ ଗଛରେ ଗଜା ହୋଇଯାଇଛି। କିଛି ଧାନ ପଙ୍କରେ ପୋତି ହୋଇଯାଇଛି। ଯେତିକି ବଞ୍ଚିଛି, ଚାଷୀ ‌ସେତକ ଛାଣିବାରେ ଲାଗିଛି। କିନ୍ତୁ ସେତିକି ବି ଆଦାୟ କରିବାକୁ ଚାଷୀକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ପାଣି ଶୁଖାଇବାକୁ ଭଡ଼ାରେ ପମ୍ପ ଆଣି ଲଗାଇବାକୁ ପଡ଼ୁଥିବା ମେସିନ୍ ଓ ଟ୍ରାକ୍ଟର ଭଡ଼ା ବାବଦରେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। କଷ୍ଟ ହେଲେ ବି ବଡ଼ ଚାଷୀ ସମ୍ଭାଳି ଯେନତେନ ପ୍ରକାରେ ସମ୍ଭାଳି ନେଉଛି। ମାତ୍ର କ୍ଷୁଦ୍ର ଓ ଭାଗଚାଷୀଙ୍କ ଦୁର୍ଦ୍ଦଶା ନକହିଲେ ଭଲ। ହାତରେ ପଇସା ନଥିବା‌ ବେଳେ ଏମିତି ଅମଳ କରି କିଛି ଲାଭ ହେବ ନାହିଁ ବୋଲି ସେମାନେ ହାତ ଟେକି ଦେଇଛନ୍ତି। ମଜୁରି ଖର୍ଚ୍ଚ ଅମଳ ଧାନର ମୂଲ୍ୟଠାରୁ ବଳେଇ ଯିବା ଆଶଙ୍କାରେ ସେମାନେ ଭାଗ୍ୟକୁ ଆଦରି ବସିଛନ୍ତି। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ଭାଗ ଚାଷୀ ଓ କ୍ଷୁଦ୍ର ଚାଷୀଙ୍କ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।

Advertisment

ଦୁଇ ଦିନ ହେଲା ବର୍ଷା ଛାଡ଼ିଲାଣି। କିନ୍ତୁ ଗହୀରରୁ ପାଣି କମିନି। ମାତ୍ର କିଛି ଢିପ ଜମିକୁ ବାଦ୍‌ ଦେଲେ ବାକି ସବୁ ଜମିରେ ପାଣିର ସୁଅ ଛୁଟୁଛି। ଦୁଇ ବ୍ଲକର ଶହ ଶହ ଏକର ପାଚିଲା ଧାନ ୫ ଦିନ ହେଲା ପାଣିରେ ବୁଡ଼ି ରହିଛି। ତେଣୁ କିଛି ଚାଷୀ ପାଣିରୁ ଛାଣି ଛାଣି ଧାନ କାଟୁଛନ୍ତି। ଆଉ କିଛି ଚାଷୀ ଖର୍ଚ୍ଚାନ୍ତ ହୋଇ ଭଡ଼ାରେ ପମ୍ପ ଆଣି ବିଲରୁ ପାଣି ବାହାର କରୁଛନ୍ତି। ‘ଚଷା ନିଲଠା’ ନ୍ୟାୟରେ ଚାଷୀ ବିକଳ ହୋଇ ଏମିତି ଅମଳ କରୁଛି। ଖର୍ଚ୍ଚ ପଡ଼ୁ ପଛେ କିଛି ଧାନ ଖଳାକୁ ଆସୁ ବୋଲି ଚାଷୀମାନେ ଏଭଳି କଷ୍ଟ କରୁଛନ୍ତି। କିନ୍ତୁ ଭାଗ ଚାଷୀ ଓ କ୍ଷୁଦ୍ର ଚାଷୀମାନେ ଅର୍ଥାଭାବରୁ ହାତବାନ୍ଧି ବସିଛନ୍ତି। ସେମାନେ ଜାଣି ସାରିଛନ୍ତି ବିଲରୁ ମୁଠାଏ ଆଦାୟ ହେବ ନାହିଁ। ଯେତିକି ଅମଳ କରିହେବା ସ୍ଥିତିରେ ଅଛି, ସେଥିପାଇଁ ଆବଶ୍ୟକ ମଜୁରି ଓ ମେସିନ୍‌ ଭଡ଼ା ଗଣିବାକୁ ପଇସା ନାହିଁ। ବର୍ଷକର ପରିଶ୍ରମ ଓ ଧାରକରଜ କରି ବିଲରେ ଖଟାଇଥିବା ପୁଞ୍ଜି ପାଣିରେ ଗଲା‌ ବୋଲି ସେମାନେ ନିଶ୍ଚିତ ହୋଇ ସାରିଛନ୍ତି। ଏବେ କରଜ ଶୁଝିବା ଚିନ୍ତା ସେମାନଙ୍କ ଦୁଃଖକୁ ବଢ଼ାଇଛି। ଅମଳ ଧାନ ବିକି କରଜ ଶୁଝିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ଏବେ ଭଗବାନଙ୍କୁ ଡାକୁଛି। କୃଷି ବିଭାଗ ଆକଳନ କରିବ ଓ କିଛି କ୍ଷୟକ୍ଷତି ମିଳିବ ବୋଲି କିଛି ଚାଷୀ ଆଶା ବାନ୍ଧିଛନ୍ତି। ମାତ୍ର ଭାଗଚାଷୀଙ୍କ କଥା ବୁଝିବ କିଏ, ଏହା ବଡ଼ ପ୍ରଶ୍ନ ହୋଇରହିଛି। ସେମାନଙ୍କ କ୍ଷୟକ୍ଷତି କିଏ ଆକଳନ କରିବ ଓ ସେମାନଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ବୋଲି ସେମାନେ ସନ୍ଦେହରେ ଅଛନ୍ତି। ତେଣୁ ସେମାନେ ତିନି ପାଞ୍ଜିରୁ ଗଲେ ବୋଲି କ୍ଷୋଭର ସହ କହିଛନ୍ତି।

publive-image

ଚାଷୀଙ୍କ ଦାବି ପୂରଣ ନ ହେ‌ଲେ ୧୫ରୁ ରାଜଭବନରେ ସମ୍ମୁଖରେ କିଷାନ କଂଗ୍ରେସର ଧାରଣା
ଭୁବନେଶ୍ବର : ବାତ୍ୟା ‘ଜୱାଦ୍’ ଜନିତ ଅଦିନିଆ ବର୍ଷା ରାଜ୍ୟର ଚାଷୀଙ୍କ ବର୍ଷକର ଆହାର ଛଡ଼ାଇ ନେଇଛି। କେବଳ ଧାନ ଚାଷୀ ନୁହନ୍ତି, ପରିବା ଓ ଅର୍ଥକାରୀ ଫସଲ କରିଥିବା ଚା‌ଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଭଳି ବିତ୍ପାତ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି। ଚାଷୀଙ୍କ ଦାବିକୁ ପୂରଣ ନ କଲେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି କୁହାଯାଇଛି।

ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପଦ୍ମାକର ଗୁରୁ, କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଓ ମୁଖପାତ୍ର ଅମିୟ ପାଣ୍ଡବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଏଭଳି ସଂଗିନ ସ୍ଥିତିରେ ସରକାର ଅବିଳମ୍ବେ ଚାଷୀଙ୍କ ଉପରୁ କୃଷି ଋଣ ଛାଡ଼ କରନ୍ତୁ। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ୍‌ ବ୍ୟବସ୍ଥାରେ ଚାଷୀକୂଳ ଠିକ୍ ଭାବେ ଉପକୃତ ହୋଇପାରୁ ନାହାନ୍ତି। ତେଣୁ ପ୍ରଚଳିତ ରିଲିଫ୍ କୋଡର ସଂଶୋଧନ କରାଗଲେ କୃଷକଙ୍କ ସ୍ବାର୍ଥରକ୍ଷା ହୋଇପାରିବ। ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଇନପୁଟ ସହାୟତା ଚାଷୀର କ୍ଷତି ଭରଣାରେ ଯଥେଷ୍ଟ ହେଉନାହିଁ। ତେଣୁ ଏହାକୁ ୩ଗୁଣା କରାଯାଉ।

ସରକାରଙ୍କ ତରଫରୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କୃଷି ଇନପୁଟ ସହାୟତାର ଯେଉଁ ପ୍ରଚଳିତ ବ୍ୟବସ୍ଥା ରହିଛି ତାହାକୁ ତୁରନ୍ତ ପରିବର୍ତନ କରାଯାଉ। ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଗୁଣ୍ଠ ପ୍ରତି ସର୍ବନିମ୍ନ ୩ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ, ରବି ଋତୁ ପାଇଁ ମାଗଣାରେ ଚାଷୀଙ୍କୁ ଉନ୍ନତ ମାନର ବିହନ, ସାର, କୀଟନାଶକ ଔଷଧ ଓ ଭାଗଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।