ଆରମ୍ଭ ହେଲା ଚାଷ କାମ, ପଡ଼ିଆ ପଡ଼ିଛି ହଜାର ହଜାର ହେକ୍ଟର ଜମି

ବୁଣା କିଆରିରେ ଘାସ ମାଡ଼ି ଗଲାଣି

ବାଲିପାଟଣା: ଚଳିତ ଖରିଫ ଚାଷ ସମୟ ହୋଇ ଯାଇଛି। ହେଲେ ପାଣି ବିନା ଚାଷ କାମ ବିଳମ୍ବ ହୋଇଛି। ମାତ୍ର ଏବେ ବର୍ଷା ହେବା ପରଠାରୁ ଚାଷ କାମ ଆରମ୍ଭ ହୋଇଛି। ଚଳିତବର୍ଷ ମୌସୁମୀ ଆସିବା ପରେ ୧୫ ଦିନ ହେବ ବର୍ଷା ଉଭାନ ହୋଇଯାଇଥିଲା। ଫଳରେ କେନାଲରେ ପାଣି ନଥିଲା। ତଳି ଗଜା ହେବାରେ ମଧ୍ୟ ପାଣି ବାଧକ ସାଜିଛି। ହେଲେ ଏବେ ବର୍ଷା ପରେ ଚାଷୀ ଟିକିଏ ଆଶ୍ବସ୍ତ ହୋଇଛି।

ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ ଖରିଫ ଧାନ ଚାଷ। ଚଳିତ ବର୍ଷ ମଧ୍ୟ ବିଲ ବେଉଷଣ ହୋଇ ଧାନ ବୁଣା ଓ ରୁଆ ଧାନ ଲାଗି ତଳି ପଡିବା କାମ ସରିଥିଲା। ହେଲେ ଚାଷ ପାଇଁ ପାଣି ନଥିଲା। ମଟରରେ ବିଲକୁ ପାଣି ମଡ଼ାଇ ଚାଷୀ ତଳି ପକାଇଥିଲେ। ବୁଣା ଧାନରେ ଏତେ ବେଳକୁ ଲଙ୍ଗଳ ମରା ଓ ପ୍ରଥମ ପିଡ଼ିଆ ମରାଯିବା କଥା। କିନ୍ତୁ ପାଣି ନଥିବାରୁ ବିଲରେ ଘାସ ମାଡ଼ି ଗଲାଣି। ତେଣୁ ଘାସ ବାଛିବାରେ ମଧ୍ୟ ଚାଷୀ ଖର୍ଚ୍ଚାନ୍ତ ହେବେ। ତଳି ମୁଣ୍ତା ପାଣି ବିନା ଅନେକ ସ୍ଥାନରେ ପାଚି ଯାଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଫସଲ ପୋକ ଲାଗିବା ନେଇ ଚାଷୀମାନେ ଆଶଙ୍କା କରୁଛନ୍ତି। ଏବେ ବି ହଜାର ହଜାର ହେକ୍ଟର ଜମି ପଡ଼ିଆ ପଡ଼ିଛି। ଶୁଖିଲା ଚାଷ ହୋଇଥିବା ଜମିରେ ପାଣି ଅଭାବରୁ ଘାସ ମାଡ଼ିଯାଇଛି। ଆଗକୁ ଯଦି ସଠିକ ଭାବରେ ବର୍ଷା ନ ହୁଏ ତେବେ ଫସଲ ହାନି ହେବାର ଏକ ପ୍ରକାରର ସୁନିଶ୍ଚିତ ବୋଲି ଚାଷୀମାନେ କହିଛନ୍ତି।

ଅପରପକ୍ଷରେ ନିମାପଡ଼ା ବ୍ରାଞ୍ଚ କେନାଲରେ ପାଣି ଆସିବା ବିଳମ୍ବ ହେଉଛି। କେନାଲ ଗଛ, ଘାସ, ଲତା ଓ ଦଳରେ ପୋତି ହେଇ ପଡ଼ିଛି। ଫଳରେ କେନାଲରେ ପାଣି ଆସିଲେ ଘାଇ ସୃଷ୍ଟି ହେବ। ପାଣି ଜମିରେ ପହଞ୍ଚିବା ନେଇ ଅଶଙ୍କା ପ୍ରକାଶ ପାଇଛି। ବାଲିପାଟଣା କୃଷି ବିଭାଗ ଅଧିକାରୀ ତରୁଣ ଛୋଟରାୟଙ୍କ ସୂଚନା ଅନୁସାରେ ଚଳିତ ଋତୁରେ ୯୮୧୫ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୩୫୦୦ ହେକ୍ଟର ଜମିରେ ଧାନ ବୁଣା ସରିଛି। ୬୩୦ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ୩୪୦ ହେକ୍ଟର ଜମିରେ ତଳି ପଡ଼ିଛି। କିନ୍ତୁ ପାଣି ଯୋଗୁଁ ଚାଷ କାମରେ ବାଧା ଉପୁଜିଥିବା ଶ୍ରୀ ଛୋଟରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର