ଜଟଣୀ: ଜଟଣୀ ବ୍ଲକ୍ କନ୍ତିଆ ପଞ୍ଚାୟତର ବିକାଶ ଆଖିଦୃଶିଆ ନୁହେଁ। ଶ୍ମଶାନ, ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ସୁବିଧାରୁ ଲୋକେ ବହୁ ଦୂରରେ। ତେବେ ବଡ଼ ସମସ୍ୟା ହେଉଛି କୃଷି। ଏଠାରେ କୃଷି ବୁଡ଼ିବାକୁ ବସିଲାଣି। ଏଠାରେ ଚାଷୀଙ୍କ ହାତରେ ଚାଷ ଜମିର ମାଲିକାନା ନାହିଁ କି ଚାଷ ଜମିକୁ ଜଳସେଚନର ସୁବିଧା ନାହିଁ। ତେଣୁ ଗତ କିଛି ବର୍ଷ ହେଲା ଚାଷୀମାନେ ଚାଷରୁ ମୁହଁ ଫେରାଇବା ଲକ୍ଷ୍ୟ କରାଯାଉଛି। ବହୁ ଜମିରୁ ଚାଷୀଙ୍କ ନାଁ କଟି ଜଗନ୍ନାଥଙ୍କ ମାଲିକାନାକୁ ଚାଲିଯାଇଥିବାରୁ ଚାଷୀମାନେ ଦୀର୍ଘ ୧୦ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି। ଏହାବାଦ୍ ଦୀର୍ଘ ବର୍ଷ ଧରି ଏହି ପଞ୍ଚାୟତରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲେ ହେଁ କିଛି ସୁଫଳ ମିଳିନାହିଁ।
ଏହି ପଞ୍ଚାୟତରେ କନ୍ତିଆ, ନିରଞ୍ଜନପୁର, ବୁଢ଼ାପଡ଼ା ଓ ରଥୀପୁର ଗାଁର ମୋଟ ୧୭ ୱାର୍ଡ ରହିଛି। ୨୦୧୩ ମସିହାରେ ଏହି ପଞ୍ଚାୟତବାସୀଙ୍କ ମୁଣ୍ଡରେ ଚଡ଼କ ମାଡ଼ ହୋଇଥିଲା। ବାପ-ଅଜା ଅମଳରୁ ସ୍ଥିତିବାନ ପ୍ରଜାମାନେ ଭୋଗଦଖଲ କରୁଥିବା ଚାଷ ଜମି ହଠାତ୍ ଜଗନ୍ନାଥଙ୍କ ମାଲିକାନାକୁ ଚାଲିଗଲା। ଅମୃତମଣୋହୀ ଜମି ଦର୍ଶାଇ ଚାଷୀମାନଙ୍କ ମାଲିକାନାକୁ ସମ୍ପୂର୍ଣ୍ଣ ବାତିଲ କରାଗଲା। ଫଳରେ ଚାଷୀମାନେ କେବଳ ଚାଷ କଲେ ସିନା ବିକାକିଣା କରିବା କ୍ଷମତା ହରାଇଲେ। ଫଳରେ ଚାଷୀଟିଏ ଝିଅ ବାହାଘର, ପିଲାଙ୍କ ଉଚ୍ଚଶିକ୍ଷା, ରୋଗ ଚିକିତ୍ସା ଭଳି ଅସମୟରେ ଆଉ ଜମି ବିକି ପାରିଲେ ନାହିଁ। ଏନେଇ ୧୦ ବର୍ଷ ହେଲା ଚାଷୀମାନେ ସଂଗ୍ରାମ କରିଚାଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ବି କଥା ଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଜମି ରେକର୍ଡ ସଂଶୋଧନ ହୋଇପାରିନାହିଁ। ସେହିଭଳି ଏଠାରେ ଚାଷ ଜମିକୁ କେନାଲ ସୁବିଧା ନାହିଁ। ରଥୀପୁର ଗହୀରକୁ ଦୟାୱେଷ୍ଟ କେନାଲରୁ ପାଣି ମିଳୁଥିଲା। କିନ୍ତୁ ଗତ ପ୍ରାୟ ୧୦ ବର୍ଷରୁ ଅଧିକ କାଳ ହେଲାଣି ଦୟାୱେଷ୍ଟ କେନାଲ ପାଣି ମିଳିବାରେ ନିୟମିତତା ନାହିଁ। ତେଣୁ ଖରାଦିନିଆ ଧାନ ଚାଷ ଏହି ଅଞ୍ଚଳରୁ ପୂରା ବୁଡ଼ିଯାଇଛି।
ଏହି ପଞ୍ଚାୟତ ପ୍ରାୟ ସବୁ ଗାଁରେ ରହିଛି ମୋରମ୍ ଓ ମାଙ୍କଡ଼ା ଭଳି ଲଘୁ ଖଣିଜ ପଦାର୍ଥ। ବର୍ଷ ବର୍ଷ ଧରି ଖଣି ମାଫିଆମାନେ ଚୋରାରେ ମାଙ୍କଡ଼ା ପଥର ଓ ମୋରମ ଲୁଟି ଚାଲିଛନ୍ତି। ଫଳରେ ଗୋଚର ଜମି ଆଉ ନାହିଁ କହିଲେ କିଛି ଭୁଲ ହେବ ନାହିଁ। ବହୁ ପଡ଼ିଆରେ ଗଭୀର ଗାତ ସୃଷ୍ଟି ହୋଇଛି। ଗୋସମ୍ପଦ ପ୍ରତି ବେଆଇନ ଖଣି ଖନନ ବିପଦ ବଢ଼ାଇଛି। ଚାରଣ ଭୂମି କମୁଛି ଏବଂ ବିଶାଳ ଗର୍ତ୍ତରେ ପଡ଼ି ଗାଈଗୋରୁଙ୍କ ମୃତ୍ୟୁ ହେଉଛି। ଏହି ପଞ୍ଚାୟତରେ କୌଣସି ଶ୍ମଶାନର ଉନ୍ନତୀକରଣ ହୋଇପାରିନାହିଁ। ସେହିପରି ଏଠାରେ ବହୁ ୱାର୍ଡକୁ ପାଇପ୍ ଜଳ ଯୋଗାଣ ମଧ୍ୟ ହୋଇପାରିନାହିଁ। କିଛି ୱାର୍ଡକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ହେଁ ଆବଶ୍ୟକ ପରିମାଣର ପାଣି ଆସୁନାହିଁ ବୋଲି ଅଭିଯୋଗ ହେଉଛି। ଏଠାରେ ଥିବା ଉପ-ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର, କର୍ମଚାରୀ ନିୟମିତ ଆସନ୍ତି ନାହିଁ। ତେଣୁ ଲୋକମାନଙ୍କୁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି।
ଏନେଇ ସରପଞ୍ଚ ମନୋଜ ବେହେରାଙ୍କ କହିବା କଥା ପଞ୍ଚାୟତର ଉନ୍ନତୀକରଣ ପାଇଁ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା ଜଗନ୍ନାଥଙ୍କ ଜମି ବିବାଦ ପାଇଁ ଅଟକି ଯାଉଛି। ଜମି ବିବାଦ ପାଇଁ ଶ୍ମଶାନଗୁଡ଼ିକର ଉନ୍ନତୀକରଣ କାମ ହୋଇପାରୁନାହିଁ। କିନ୍ତୁ ରାସ୍ତା ମରାମତି, ବିଦ୍ୟାଳୟ ମରାମତି, ମନ୍ଦିର, ସପ୍ଲାଏ ପାଣି ଆଦି କାମ ହୋଇଛି। ୨ ବର୍ଷ ମଧ୍ୟରେ ୫୦ ପ୍ରତିଶତ ଅଞ୍ଚଳକୁ ପାଇପ୍ ଜଳ ଯୋଗାଣ ହୋଇପାରିଛି। ୫-ଟି ଅଧୀନରେ ନିରଞ୍ଜନପୁର ଉଚ୍ଚ ବିଦ୍ୟାଳୟ ଓ କନ୍ତିଆ ଉଚ୍ଚ ବିଦ୍ୟାଳୟର ଉନ୍ନତୀକରଣ ହୋଇଛି। ବାନାମ୍ବର ମହାଦେବ ମନ୍ଦିର ଉନ୍ନତୀକରଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟରେ କାମ ଚାଲିଛି।