ପେଟ୍ରୋଲ୍ ପମ୍ପରେ ଫାର୍ସା ମାଡ଼, ୪ ଆହତ; ଲୋକେ ନିଧୂର୍ମ୍‌ ଛେଚିଲେ, ପୁଲିସ ଜିମାଦେଲେ

ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କଳ୍ପନା ଛକସ୍ଥିତ ପେଟ୍ରୋଲ୍ ପମ୍ପରେ ୩ ଯୁବକ ଫାର୍ସାରେ ଆକ୍ରମଣ କରି ୩ କର୍ମଚାରୀ ଓ ଅନ୍ୟ ଜଣେ ଗ୍ରାହକଙ୍କୁ ଗୁରୁତର କରିଛନ୍ତି। ତେବେ ଉପସ୍ଥିତ ଲୋକେ ସାହସ କରି ୩ ଯୁବକଙ୍କୁ କାବୁ କରି ବହେ ଛେଚିବା ପରେ ବଡ଼ଗଡ଼ ଥାନା ପୁଲିସ ଜିମା ଦେଇଛନ୍ତି। ସେମାନେ ହେଲେ ସତ୍ୟନଗର ଦୁର୍ଗା ମଣ୍ଡପ ବସ୍ତି ଅଞ୍ଚଳର ମାନସ ବାରିକ(୨୭), ବିକ୍ରମ ଦାସ(୨୪) ଓ ସତ୍ୟନଗର ପଞ୍ଜାବୀ କଲୋନିର ଚିନ୍ମୟ ଖୁଣ୍ଟିଆ(୨୫)। ପେଟ୍ରୋଲ୍‌ ପକାଇବା ପରେ ପଇସା ଦେଣନେଣକୁ କେନ୍ଦ୍ର କରି ଘଟିଥିବା ବଚସାରୁ ଏଭଳି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ଅଭିଯୁକ୍ତ ମାନସ ବାରିକ(୨୭)ର ବାଇକ୍‌ରୁ ପେଟ୍ରୋଲ୍ ସରିଯାଇଥିଲା। ତେଣୁ ସେ ବାଇକ୍‌ ଗଡ଼ାଇ ଗଡ଼ାଇ ପେଟ୍ରୋଲ୍‌ ପମ୍ପକୁ ଆସିଥିଲା ଏବଂ ୧୧୦ ଟଙ୍କାର ତେଲ ପକାଇବାକୁ କହିଥିଲା। କିନ୍ତୁ କର୍ମଚାରୀଜଣଙ୍କ ଭଲ ଭାବେ ଶୁଣିପାରିନଥିଲେ। ତେଣୁ ସେ ଭୁଲ୍‌ରେ ୨୩୩ ଟଙ୍କାର ପେଟ୍ରୋଲ୍‌ ପକାଇ ଦେଇଥିଲେ। କର୍ମଚାରୀଜଣଙ୍କ ଭୁଲ୍‌ ମାନିଥିଲେ ବି ମାନସ ୧୧୦ ଟଙ୍କାରୁ ଅଧିକ ପାହୁଲାଏ ଦେ‌ବନି କହି ପାଟି କରିଥିଲା। ତେଣୁ ପେଟ୍ ରୋଲ୍‌ ପମ୍ପର କର୍ମଚାରୀମାନେ ଉକ୍ତ ବାଇକ୍‌ରୁ ସମସ୍ତ ତେଲ ବାହାର କରିଦେଇଥିଲେ। ଏଥିରେ ମାନସ ଅପମାନିତ ଅନୁଭବ କରି ବାଇକ୍‌ ଛାଡ଼ି ଚାଲିଯାଇଥିଲା।

କିଛି ସମୟ ପରେ ସେ ତା’ର ଦୁଇ ସାଙ୍ଗ ବିକ୍ରମ ଓ ଚିନ୍ମୟକୁ ଧରି ପେଟ୍ରୋଲ୍‌ ପମ୍ପରେ ପହଞ୍ଚିଥିଲା। ସେମାନେ ଫାର୍ସା ଭଳି ମାରଣାସ୍ତ୍ରରେ ସଜ୍ଜିତ ହୋଇଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଉକ୍ତ କର୍ମଚାରୀମାନଙ୍କୁ ଫାର୍ସାରେ ଆକ୍ରମଣ କରିଥିଲେ। ଫାର୍ସା ମାଡ଼ରେ ୩ଜଣ ପେଟ୍ ରୋଲ ପମ୍ପ କର୍ମଚାରୀ ଓ ଜଣେ ଗ୍ରାହକ ଆହତ ହୋଇଥିଲେ। ଅଭିଯୁକ୍ତମାନେ ଭୟଙ୍କର ଭାବେ ଫାର୍ସା ବୁଲାଉଥିବାରୁ କେହି ସେମାନଙ୍କୁ ପ୍ରତିରୋଧ କରିବାକୁ ସାହସ କରିନଥିଲେ। ତେବେ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଧାଇଁଆସି ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲେ। ସ୍ଥାନୀୟ ଯୁବକମାନେ ଏକାଠି ହୋଇଯିବା ଦେଖି ୩ ଜଣଯାକ ଫାର୍ସା ବୁଲାଇ ବୁଲାଇ ଖସିଯିବାକୁ ବସିଥିଲେ। ମାତ୍ର ବାଟ ପାଇନଥିଲେ। ପ୍ରାୟ ଅଧ ଘଣ୍ଟାର ଛକାପଞ୍ଝା ପରେ ଉପସ୍ଥିତ ଲୋକେ ସେମାନଙ୍କୁ କାବୁ କରିଥିଲେ। ଏହାପରେ ସେମାନଙ୍କ ଉପରେ ବିଧାଗୋଇଠା ବର୍ଷିଥିଲା। ବହେ ଛେଚିବା ପରେ ବଡ଼ଗଡ଼ ଥାନାକୁ ଖବର ଦିଆଯାଇଥିଲା ଏବଂ ସେମାନଙ୍କୁ ପୁଲିସ ଜିମା ଦିଆଯାଇଥିଲା। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର