ଭୁବନେଶ୍ବର: ‘ଫାୟାର୍‌ ସାଇଡ୍‌ ଚାଟ୍‌’ରେ କୋର୍‌ ମେମ୍ବର ପ୍ରୀତିପଲ୍ଲବୀ ପଟ୍ଟନାୟକ ଓ ସୋଫିଆ ଫିରଦୋସ୍‌ ବଲିଉଡ୍‌ ଅଭିନେତା ଜାୟେଦ୍ ଖାନ୍‌ଙ୍କ ସହ ଆଲୋଚନା କରିଥିଲେ। ଜାୟେଦ ‘ନମସ୍କାର ଭୁବନେଶ୍ବର’ରୁ ବକ୍ତବ୍ୟ ଆରମ୍ଭ କରି କହିଲେ, ଓଡ଼ିଶା ଭଲ ରାଜ୍ୟ। ମତେ ଭଲ ଲାଗେ। ଏଠିକାର ଲୋକମାନେ ବହୁତ ଭଲ ଓ ପରିଶ୍ରମୀ ମଧ୍ୟ। ଏଠି ମହିଳାମାନେ ସମାଜର ଦାୟିତ୍ବ ନେଉଛନ୍ତି, ଏହା ଗର୍ବର କଥା। ବିଶେଷକରି ଆଜିର ଫ୍ୟାସନ୍‌ ମେଳା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ସାରା ଭାରତର ବିଭିନ୍ନ ବ୍ରାଣ୍ଡର ‌ସାମଗ୍ରୀ, ଖାଦ୍ୟ ଷ୍ଟଲ୍‌ ରହିଛି। ବିଭିନ୍ନ ଥିମ୍‌କୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ମଡେଲ୍‌ଙ୍କୁ ନେଇ ଫ୍ୟାସନ୍‌ ସୋ’ ପ୍ରଦର୍ଶନ ବି ଅନନ୍ୟ। ଫ୍ୟାସନ୍‌ ପାଇଁ ଏହାଠାରୁ ବଡ଼ ଦିନ ଆଉ କିଛି ହୋଇନପାରେ।

Advertisment

ଏହି ଅବସରରେ ସେ ପୁରୁଣା ଦିନ କଥା ମନେ ପକାଇ କହିଲେ, ହ୍ରିତିକ୍‌ଙ୍କ ଫିଲ୍ମ ସୁଟିଂ ହେଉଥାଏ। ମୁଁ ସେଟ୍‌ରେ ବସି ଦେଖୁଥାଏ। ଜଣେ ଆସି କହିଲେ, ତମେ ଭଲ ଦେଖାଯାଉଛ। ଫିଲ୍ମ କରିବ କି? ମୁଁ ଘରକୁ ଯାଇ ବାପାଙ୍କୁ ପଚାରିଲି। ବାପା ଖୁସି ହୋଇ ହଁ ଭରିଥିଲେ। ଏହାପରେ ମୋର ପ୍ରଥମ ଫିଲ୍ମ ‘ଚୁରାଲିୟା ହେ ତୁମ୍‌ ନେ’ ୨୦୦୩ରେ ଆସିଥିଲା। ‘ମେଁ ହୁଁ ନା’ ଚଳଚ୍ଚିତ୍ରରେ କାମ କରିବା ମୋ ଜୀବନର ବଡ଼ ଉପଲବ୍ଧି। ମୋର ମନେ ଅଛି, ଫରାହ ଖାନ୍‌ଙ୍କୁ ମୋର ଏକ ଗୀତର କୋରିଓଗ୍ରାଫି କରିବାକୁ ଫୋନ୍‌ କରିଥିଲି। ସେ ମୋତେ ଜାଣି ନଥିଲେ। ମୁଁ ପରିଚୟ ଦେଲା ପରେ ବି ଗୋଟିଏ ସପ୍ତାହ ପରେ ଯୋଗାଯୋଗ କରିବାକୁ କହିଲେ। ସପ୍ତାହ ପରେ ଫୋନ୍‌ କରିବା ପରେ ସେ ମୋତେ ଗୋଟେ ଅଫିସ୍‌ରେ ଦେଖା କରିବାକୁ କହିଲେ। ମୁଁ ପହଞ୍ଚିବା ପରେ ଜାଣିଲି, ତାହା ଶାହରୁଖ୍‌ ଖାନ୍‌ଙ୍କ ଅଫିସ୍‌ ଥିଲା। ସେ ପଚାରି‌ଲେ, ‘କ୍ୟାନ୍‌ ୟୁ ଆକ୍ଟ’। ମୁଁ ସଙ୍ଗେସଙ୍ଗେ ଉତ୍ତର ଦେଲି ‘ଆମ୍‌ ବର୍ଣ୍ଣ ଟୁ ଆକ୍ଟ’। ଏହାପରେ ଶାହରୁଖ୍‌ଙ୍କ ଫିଲ୍ମରେ କାମ କରିଥିଲି।