ଭୁବନେଶ୍ୱର: ଆଇଏନ୍‌ଡବ୍ଲୁ୍ଇସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ୍‌ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲୁଇସି)ର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ମେଳା। ପଟିଆସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡ୍‌ରେ ଆରମ୍ଭ ହୋଇଥିବା ଏହି ମେଳାକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ହସ୍ତତନ୍ତ ହେଉଛି ଓଡ଼ିଶାର ପୁରାତନ ଶିଳ୍ପ। ସ୍ବତନ୍ତ୍ର କାରିଗରୀ, ଜୀବନ୍ତ ରଙ୍ଗ, ସୂକ୍ଷ୍ମ କାରୁକାର୍ଯ୍ୟ ହେଉଛି ଆମ ବୁଣାକାରଙ୍କ ସ୍ବାତନ୍ତ୍ର୍ୟ। ହସ୍ତତନ୍ତ ଏବେ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଆଦୃତ ହେଉଛି। ଏଥିରେ ଯୋଗ ଦେଇଥିବା ଡିଜାଇନର୍‌ ଓ ଉଦ୍ୟୋଗୀମାନେ ଓଡ଼ିଶାରେ ନିବେଶ କରିବା ସହ ବୁଣାକାରଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

Advertisment

ଯୁବପିଢ଼ିଙ୍କ ମଧ୍ୟରେ ଆଦୃତ ହେଉଛି ହସ୍ତତନ୍ତ: ମୁଖ୍ୟମନ୍ତ୍ରୀ
ମେଳାରେ ୧୨୦ ଉଦ୍ୟୋଗୀଙ୍କ ଷ୍ଟଲ, ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ
ଯୋଗଦେବେ ମନୀଷ ମଲହୋତ୍ରା, ଦିଆ ମିର୍ଜା, ଜାୟେଦ ଖାନ୍‌

ସମ୍ମାନିତ ଅତିଥି ବିଏମ୍‌ସି ମେୟର୍‌ ସୁଲୋଚନା ଦାସ କହିଲେ, ବୁଣାକାର ତଥା ସ୍ବୟଂସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା ହେଉଛି। ଆଗାମୀ ଦିନରେ ୬୦ ମହିଳା ଏସ୍‌ଏଚ୍‌ଜିଙ୍କୁ ଭେଣ୍ଡିଂ ଜୋନ୍‌ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛୁ। ଅନ୍ୟତମ ସମ୍ମାନିତ ଅତିଥି ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଯୋଗଦେଇ ଏକବିଂଶ ଶତାବ୍ଦୀରେ ଫ୍ୟାସନ ଓ ଲାଇଫ୍‌ ଷ୍ଟାଇଲ୍‌ରେ ଆମେ କିଭଳି ନିରବଚ୍ଛିନ୍ନ ହୋଇପାରିବା, ତାହା ଉପରେ ଚିନ୍ତା କରିବାକୁ ଆହ୍ବାନ ଦେଇଥିଲେ। ଆଇଏନ୍‌ଡବ୍ଳୁଇସି ଆବାହିକା ସୁକୀର୍ତ୍ତି ପଟ୍ଟନାୟକ ଯୋଗଦେଇ କହିଲେ, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏହି ମେଳାରେ ୧୨୦ଟି ଷ୍ଟଲ୍‌ ଖୋଲା ଯାଇଛି। ସହ-ଆବାହିକା ତନୟା ପଟ୍ଟନାୟକ କହିଲେ, ୩୦ରୁ ଅଧିକ ଡିଜାଇନ୍‌ର ଗୋଟିଏ ଛାତ ତଳେ ଏକାଠି ହୋଇ ଓଡ଼ିଶାର ଗୌରବମୟ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଡିଜାଇନର୍‌ଙ୍କ ସହ ୨୦ଜଣ ମିସନ ଶକ୍ତିର ଉଦ୍ୟୋଗୀ ବି ଯୋଡ଼ି ହୋଇଛନ୍ତି।

publive-image

ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶା ଶାଖା ଅଧ୍ୟକ୍ଷ ଜେ.ବି ପାଣି, ଏମ୍‌ଏସ୍‌ଏମ୍‌ଇଡିଏଫ୍‌ଓର ଯୁଗ୍ମ ନିର୍ଦ୍ଦଶକ ପୱନ ଗୁପ୍ତା, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ଇଭୋସ୍ ବିଲ୍ଡକନ୍‌ ପ୍ରା.ଲି.ର ସହ-ପ୍ରତିଷ୍ଠାତା କଳିଙ୍ଗ କେଶରୀ ରଥ, ଅରୁନ୍ଧତୀ ଜୁଏଲାର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ଆଇସିସି ଓଡ଼ିଶା ଶାଖା ସହ-ଅଧ୍ୟକ୍ଷ ଏମ୍‌.କେ ଗୁପ୍ତା, କୋର ମେମ୍ବର ପ୍ରୀତିପଲ୍ଲବୀ ପଟ୍ଟନାୟକ, ଆଇସିସି ଓଡ଼ିଶା କାଉନସିଲର ଆଞ୍ଚଳିକ ମୁଖ୍ୟ ଜେ.ପି ପାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପୂର୍ବତନ ଭାରତୀୟ କ୍ରିକେଟର୍‌ ଇରଫାନ ପଠାନ୍‌ଙ୍କ ପ୍ରେରଣାଦାୟୀ ବକ୍ତୃତା ଦର୍ଶକଙ୍କୁ ବାନ୍ଧି ରଖିଥିଲା।
ସେହିପରି ଭୁବନେଶ୍ୱର ସୁପର ବାଇକର୍‌ କ୍ଲବର ରାମ୍ପ-ସୋ’ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସୋ’ ଷ୍ଟପର୍‌ ଭାବେ ଆସି ଦର୍ଶକଙ୍କ ମନ ଜିଣିଥିଲେ। ଅଭିନେତ୍ରୀ ଶିବାନୀ, ଶୀତଲ, ଭୂମିକା, ଦେବଯାନୀ, ପୁନମ୍, ଅଭିନେତା ଜ୍ୟୋତି, ଦ୍ୱୀପନିତ୍‌, ପାର୍ଥସାରଥି, ଶୁଭାଶିଷ ରୢାମ୍ପରେ ନିଜର ଜଲୱା ଦେଖାଇଥିଲେ। ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତିଙ୍କୁ ଏଥିରେ ସୋ’ ଷ୍ଟପର ଭାବେ ଦେଖିବାକୁ ମିଳିଥିଲା। ଡିଜାଇନର ବେଦିକା ଖଣ୍ଡେଲ୍‌ୱାଲ୍‌, ଜୁବିନା ଅଲ୍ଲୀ, ଲୋପାମୁଦ୍ରା ଭଞ୍ଜ, ରିତିକା ରୁଲହନ୍‌ ଓ ଦେବସ୍ମିତା ଗିରିଙ୍କ ଦ୍ବାରା ପ୍ରସ୍ତୁତ ଡିଜାଇନ୍‌ ପ୍ରଦର୍ଶିତ ହୋଇଥିଲା।

publive-image

ଏହି ଅବସରରେ ପଦ୍ମିନୀ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ବର୍ଣ୍ଣାଳୀ ହୋତା ସଙ୍ଗୀତ ପରିବେଷଣ କରିଥିଲେ। ୧୨ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ପ୍ରଖ୍ୟାତ ଫ୍ୟାସନ୍‌ ଡିଜାଇନର୍‌ ମନୀଷ ମଲହୋତ୍ରା, ବଲିଉଡ୍‌ ଅଭିନେତ୍ରୀ ଦିଆ ମିର୍ଜା, ଅଭିନେତା ଜାୟେଦ ଖାନ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମେଳାରେ ସମ୍ମିଳନୀ, କର୍ମଶାଳା, ଟକ୍ ସୋ’, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାସନ୍ ସୋ’ ଆୟୋଜନ ହେବ। ମେଳା ଅବସରରେ ଓଡ଼ିଶା ଫ୍ୟାସନ୍ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଡିଜାଇନର ପ୍ରଦର୍ଶନ ଲାଗି ୩୦ରୁ ଅଧିକ ଫ୍ୟାସନ୍ ସୋ’ ମଧ୍ୟ କରାଯିବ। ଏହାର ‘ମମ୍ ଆଣ୍ଡ୍ ମି’ ବିଭାଗରେ ମହିଳା ମଡେଲମାନେ ନିଜ ପିଲାଙ୍କ ସହ ରାମ୍ପ ସୋ’ରେ ଭାଗ ନେଇ ପାରଦର୍ଶିତା ପ୍ରଦର୍ଶନ କରିବେ।

ବିଶ୍ବକପ୍‌ ଜିତିବା କେବେ ଭୁଲି ପାରିବି ନାହିଁ: ଇର୍ଫାନ ପଠାନ

publive-image

ଭୁବନେଶ୍ବର: ଭାରତ ପାଇଁ ଖେଳିବା ଛଡ଼ା ମୋ ପାଇଁ ଆଉ କିଛି ବଡ଼ ଉପଲବ୍‌ଧି ନାହିଁ। ଏହା ସବୁଠାରୁ ବଡ଼ ସୌଭାଗ୍ୟ। ୨୦୦୭ରେ ଟି-୨୦ ବିଶ୍ବକପ୍‌ ଜିତିବା ମୁହୂର୍ତ୍ତକୁ କେବେ ବି ଭୁଲି ପାରିବି ନାହିଁ। ପରିବାରଲୋକେ ଆମକୁ ସବୁବେଳେ ଉତ୍ସାହିତ କରିଥିଲେ। ଯେଉଁଥିପାଇଁ ଆମେ ଦୁଇ ଭାଇ ଆଗକୁ ଯାଇ ପାରିଥିଲୁ। ଫ୍ୟାସନ୍‌ ଆଣ୍ଡ ଲାଇଫ୍ ଷ୍ଟାଇଲ୍‌ ମେଳାରେ ସ୍ବାତୀ କେଜ୍ରିୱାଲଙ୍କ ସହ ଆଲୋଚନା ବେଳେ ପୂର୍ବତନ ଭାରତୀୟ ଅଲରାଉଣ୍ଡର୍‌ ଇର୍ଫାନ୍ ପଠାନ ଆଜି ଏହା କହିଛନ୍ତି। ପ୍ରଥମଥର ପାଇଁ ଦେଶର ପ୍ରତିନିଧିତ୍ବ ପାଇଁ ମୋ ନାଁ ଘୋଷଣା ବେଳେ ମୁଁ ଶୋଇ ପଡ଼ିଥିଲି। ପରଦିନ ଆନ୍ଧ୍ରପ୍ରଦେଶ ସହ ବରୋଦାରେ ମ୍ୟାଚ୍‌ ଥିଲା। ସକାଳ ୬ଟାରେ ଉଠିବାକୁ ପଡ଼ିଥାନ୍ତା। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ ମଧ୍ୟ ଚାଲିଥିଲା। ମ୍ୟାଚ୍‌ ଶେଷ ପରେ ରାତିରେ ଚୟନ କମିଟି ବୈଠକ ବସିଥିଲା। ସେତେବେଳେ ପାକିସ୍ତାନ ଗସ୍ତରେ କନିଷ୍ଠ ଦଳରୁ ଖେଳି ୯ ୱିକେଟ୍‌ ନେଇ ରେକର୍ଡ କରିଥାଏ। ଏହା ପୂର୍ବରୁ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୧୦୦ ‌ୱିକେଟ୍‌ ନେଇ ସାରିଥାଏ। ତେଣୁ ଚୟନ ହେବା ନେଇ ମୋ ନାଁ ଚର୍ଚ୍ଚାରେ ଥିଲା, ବିଶ୍ବାସ ବି ଥିଲା। ତେଣୁ ଶୋଇ ପଡ଼ିଥିଲି। ରାତିରେ ଯେତେବେଳେ ମୋ ଘର ବାହାରେ ବାଣ ଫୁଟିଲା ପରେ ନିଦ ଭାଙ୍ଗିଲା, ଜାଣିପାରିଥିଲି ମୁଁ ଜାତୀୟ ଦଳକୁ ଚୟନ ହୋଇଛି।

ବାରବାଟୀ ସ୍ମୃତି ନିଆରା

ବାରବାଟୀ ଅନୁଭୂତି ସବୁବେଳେ ମୋ ପାଇଁ ନିଆରା। ଆହତରୁ ମୁକୁଳିବା ପରେ ୨୦୦୮ରେ ସୁସ୍ଥ ହୋଇ ପ୍ରଥମଥର ଲାଗି ବାରବାଟୀରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିଲା। ପଞ୍ଜାବ ପକ୍ଷରୁ ଖେଳୁଥିବା ବେଳେ ବାରବାଟୀରେ ଏକ ମ୍ୟାଚ୍‌ରେ ଆର୍‌.ପି ସିଂକୁ ପାଖାପାଖି ୧୦୦ ମିଟର ଦୂରର ଛକା ମାରିଥିଲି। ସେହିପରି ଭାଷ୍ୟକାର ଭାବେ ଏଠାକୁ ଆସିବା ସମୟରେ ପ୍ରଶଂସକଙ୍କ ଏଭଳି ଗହଳି ହୋଇଥିଲା ଯେ ବାହାରିବାକୁ ୪୫ ମିନିଟ୍‌ ସମୟ ଲାଗି ଯାଇଥିଲା।

ଧୋନି କୁଲ୍‌, ସଚିନଙ୍କ ଚେତାବନୀ

ଡ୍ରେସିଂ ରୁମ୍‌ରେ ଧୋନି ସବୁବେଳେ କୁଲ୍‌। ଏହା ବି ସତ୍ୟ ଯେ ଯେତେବେଳେ ସମସ୍ୟା ଆସେ, ସେ ନିଜକୁ ସହଜ ଓ ସରଳ ରଖିଥା’ନ୍ତି। ମୋ ଖେଳ ଜୀବନ ସମୟରେ ହରଭଜନ ସିଂ ଓ ଯୁବରାଜ ସିଂ ନଟଖଟିଆ ଥିଲେ, ସମସ୍ତଙ୍କୁ ମଜାଥଟ୍ଟାରେ ଅଡୁଆରେ ପକାଇଥା’ନ୍ତି। ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବି ଛାଡ଼ୁ ନଥିଲେ। ସଚିନ ପାଜି ଥରେ ମୋତେ ପରୋକ୍ଷ ଚେତାବନୀ ଦେଇଥିଲେ। ଲାହୋରରେ ଭାରତ-ପାକିସ୍ତାନ ମ୍ୟାଚ୍‌ ମଝିରେ ମଧ୍ୟାହ୍ନ ୧ଟାରେ ବହୁ ଖାଦ୍ୟ ଆଣି ଖାଇବାକୁ ବସିଥିଲି। ୨୫ ମିନିଟ୍‌ ପରେ ବୋଲିଂ ଥାଏ। ଏହି ସମୟ‌ରେ ସଚିନ୍‌ ବଡ଼ବଡ଼ ଆଖି କରି ମୋତେ ଅନାଇଥିଲେ। ବୋଲିଂ କରିବାକୁ ଥିବାରୁ ଏତେ ନ ଖାଇବାକୁ ପରୋକ୍ଷରେ ଇଙ୍ଗିତ କରିଥିଲେ। ଗାଳି ନୁହେଁ, ବରଂ ଚେତାବନୀ ଥିଲା, ଏତେ ଖାଅନି। ମୁଁ ଏବେ କ୍ରିକେଟ୍‌ ଏକାଡେମି ଅଫ୍‌ ପଠାନ୍‌ ଆରମ୍ଭ କରିଛି। ଓଡ଼ିଶାରେ ଖୁବ୍‌ଶୀଘ୍ର ଆମେ ଆସୁଛୁ।