ଭୁବନେଶ୍ୱର: ପୂର୍ବରୁ ପର୍ବପର୍ବାଣି ଆସିଲେ ମା’ମାନେ ବାଡ଼ିରେ ଥିବା ମଞ୍ଜୁଆତି ଗଛରୁ ପତ୍ର ତୋଳିଆଣି ବାଟି ଲଗାଉଥିଲେ। ହେଲେ ବର୍ତ୍ତମାନ ଯୁଗ ବଦଳିଛି, ବଦଳିଛି ଯୁବପିଢ଼ିଙ୍କ ମାନସିକତା। ମଞ୍ଜୁଆତିର ସ୍ଥାନ ନେଇଛି ମେହେନ୍ଦି। ମେହେନ୍ଦି ଡିଜାଇନ୍ର ସ୍ୱରୂପ ମଧ୍ୟ ବଦଳିବାରେ ଲାଗିଛି। ଜଗତୀକରଣ ପ୍ରଭାବ ଯୋଗୁ ମେହେନ୍ଦିରେ ପାଶ୍ଚାତ୍ୟ କଳାର ଛାପ ଦେଖିବାକୁ ମିଳୁଛି। ସେହିଭଳି କିଛି ମେହେନ୍ଦିର ନୂଆ ଡିଜାଇନ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।
ପ୍ରିୟଙ୍କା ରାୟ
ଇଣ୍ଡିଆନ ବା ଫ୍ଲୋରାଲ୍ ଡିଜାଇନ୍: ପୂଜାପାର୍ବାଣରେ ସବୁଠାରୁ ଲୋକପ୍ରିୟ ତଥା ସାଧାରଣ ଡିଜାଇନ୍ କହିଲେ ଇଣ୍ଡିଆନ୍ ଡିଜାଇନ୍ ବା ଫ୍ଲୋରାଲ୍ ଡିଜାଇନ୍କୁ ବୁଝାଏ। ଏଥିରେ ପୂରା ହାତ ହେଉ କିମ୍ବା ପାପୁଲିର ଅଳ୍ପଅଳ୍ପ ସ୍ଥାନରେ ବିଭିନ୍ନ ଫୁଲ, ଡାଳି ଡିଜାଇନ୍ କରାଯାଇଥାଏ। ଏହି ଡିଜାଇନ୍ ସମସ୍ତେ ସହଜରେ କରି ଦେଉଥିବାରୁ ସବୁବେଳେ ଏହାର ଚାହିଦା ରହିଥାଏ। ପୁଣି ଆରବିକ୍ ଡିଜାଇନ୍ର ମିଶ୍ରଣ ଏହାକୁ ଆହୁରି ଆକର୍ଷଣୀୟ କରିଛି। ପାର୍ଲର୍ ଓ ବିଭିନ୍ନ ମଲ୍ ସମ୍ମୁଖରେ ଏହାର ମୂଲ୍ୟ ୪୦୦ରୁ ଆରମ୍ଭ ହୋଇ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି।
ପ୍ରୋଟ୍ରେଟ୍ ଡିଜାଇନ୍: ବର୍ତ୍ତମାନ ବାହାଘର ଓ ନିର୍ବନ୍ଧରେ ଏହି ଡିଜାଇନ୍ର ଚାହିଦା ବଢ଼ିବାରେ ଲାଗିଛି। ଏଥିରେ ବରକନ୍ୟାଙ୍କ ପ୍ରତିଛବି, ଚିତ୍ର ସମେତ ବିବାହମଣ୍ଡପ, ଯୋଡ଼ା ହାତ ଭଳି ଡିଜାଇନ୍ ରହିଥିବାରୁ ଏହା ଚାହିଦାରେ ରହୁଛି। ଡିଜାଇନ୍ ଅନୁସାରେ ଏହାର ମୂଲ୍ୟ ୮୦୦୦ରୁ ଆରମ୍ଭ ହୋଇ ୨୫୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସାଧାରଣତଃ ସେଲିବ୍ରିଟି ବା ସମ୍ଭ୍ରାନ୍ତ ଶ୍ରେଣୀର ମହିଳାମାନେ ଏହି ଡିଜାଇନ୍ କରୁଛନ୍ତି। ଫିଙ୍ଗର ମେହେନ୍ଦି ଡିଜାଇନ୍: ଅଭିନେତ୍ରୀ ଆଲିଆ ଭଟ୍ଟ ହୁଅନ୍ତୁ ବା ଅଭିନେତ୍ରୀ ୟାମି ଗୌତମ୍ ପ୍ରମୁଖ ସେମାନଙ୍କ ବାହାଘରରେ ମିନିମାଲ ମେହେନ୍ଦି ଲୁକ୍ ପାଇଁ ଚର୍ଚ୍ଚାରେ ଥିଲେ। ତେଣୁ ଯେଉଁମାନଙ୍କୁ ହାତଭର୍ତ୍ତି ମେହେନ୍ଦି ଲଗାଇବା ପସନ୍ଦ ନୁହେଁ, ସେମାନଙ୍କ ପାଇଁ ଫିଙ୍ଗର ମେହେନ୍ଦି ଡିଜାଇନ୍ ସବୁଠୁ ଭଲ ବିକଳ୍ପ ସାଜିଛି।
ଗ୍ଲିଟର୍ ଓ ଚାଇନା ମେହେନ୍ଦି: ଅନ୍ୟ ସବୁ ମେହେନ୍ଦି ଡିଜାଇନ୍ ତୁଳନାରେ ବର୍ତ୍ତମାନ ଗ୍ଲିଟର୍ ଓ ଚାଇନା ମେହେନ୍ଦି ଅନେକଙ୍କୁ ଆକୃଷ୍ଟ କରିଛି। ଗ୍ଲିଟର୍ ଡିଜାଇନ୍ରେ କେବଳ ମେହେନ୍ଦିର ଗୋଟିଏ ରଙ୍ଗ ନୁହେଁ ବରଂ ଏହା ସହ ବିଭିନ୍ନ ପ୍ରକାର ଗ୍ଲିଟର୍ ରଙ୍ଗ ରହୁଛି। ଫଳରେ ଡିଜାଇନ୍ ରଙ୍ଗିନ ଓ ସୁନ୍ଦର ଲାଗୁଛି। ସେହିପରି ଚାଇନା ମେହେନ୍ଦି ଜଲ୍ଦି ଶୁଖି ଯାଉଥିବାରୁ ଏହା ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି। ମେହେନ୍ଦି ଆର୍ଟିଷ୍ଟ ଲୋପାମୁଦ୍ରା ପଟ୍ଟନାୟକଙ୍କ କହିବା ଅନୁଯାୟୀ, ପୂର୍ବରୁ ମେହେନ୍ଦି ଲଗାଇବା କେବଳ ରୁଚିରେ ସୀମିତ ଥିଲା। ମାତ୍ର ବର୍ତ୍ତମାନ ଏହା ପେସାରେ ପରିଣତ ହୋଇଛି। ଯୁବପିଢ଼ି ନୂଆନୂଆ ଡିଜାଇନ୍ ମଧ୍ୟ ବଜାରକୁ ଆଣୁଛନ୍ତି। ତେଣୁ ଏମାନଙ୍କୁ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।