ଭୁବନେଶ୍ୱର: ଓଡ଼ିଆ ବଧୂବେଶରେ ରୢାମ୍ପରେ ଚାଲୁଥିଲେ ସୁନ୍ଦରୀ ମଡେଲମାନେ। ଓଡ଼ିଆ ବେଶଭୁଷା ଓ ହସ୍ତତନ୍ତରେ ପ୍ରସ୍ତୁତ ପୋଷାକ ଓଡ଼ିଶାର ପ୍ରଚ୍ୟୁର୍ଯ୍ୟଭରା ସଂସ୍କୃତି, ପରମ୍ପରା ଓ କାରିଗରୀର ପ୍ରଦର୍ଶନ କରୁଥିଲା। ପରମ୍ପରା ସହ ଆଧୁନିକତାର ଏଭଳି ଏକ ନିଆରା ମିଶ୍ରଣ ଦେଖଣାହାରୀଙ୍କୁ ଅପଲକ ନୟନରେ ଚାହିଁ ରହିବାକୁ ବାଧ୍ୟ କରିଥିଲା। ଅବସର ଥିଲା ‘ଓଡ଼ିଶା ଆର୍ଟ ଏଣ୍ଡ୍ କଲଚର୍ ଫାଉଣ୍ଡେସନ୍’ ତରଫରୁ ଓଡ଼ିଶାର କଳା ଓ ସଂସ୍କୃତିକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ନିମନ୍ତେ ଆୟୋଜିତ ଫେସନ୍ ସୋ’ ‘ନାୟକୀ’ର। ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସ୍ନାଲ୍ ପରିସରରେ ଅନୁଷ୍ଠିତ ଏହି ସୋ’ରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସ ସଭାପତିତ୍ୱ କରିଥିଲେ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାରୁ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଯେଉଁମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ। ସେହି ୧୦ଜଣ ବଛାବଛା ପ୍ରତିଯୋଗୀ ଏବଂ ଆହୁରି ଅନେକ କୁନିକୁନି ପିଲା ଖଦି ଓ ହସ୍ତତନ୍ତ ପୋଷାକ ପରିଧାନ କରି ରୢାମ୍ପରେ ଚାଲିଥିଲେ। ଏହି ସବୁ ପୋଷାକକୁ ଡ୍ରେସ ଡିଜାଇନର ‘ବିଭାବରୀ’ ଓ ‘ବସ୍ତ୍ରମ୍’ ପ୍ରସ୍ତୁତ କରିଥିଲେ। ଓଡ଼ିଆ ଘରର ବିବାହ ଏବଂ ସରକାରୀସ୍ତରରେ ସ୍କୁଲ/କଲେଜରେ ପିଲାମାନଙ୍କର ୟୁନିଫର୍ମରେ ଖଦି ଓ ହସ୍ତତନ୍ତର ବ୍ୟବହାର ମାଧ୍ୟମରେ ଖଦି ଓ ହସ୍ତତନ୍ତ ଉଦ୍ୟୋଗର ବିକାଶ ହୋଇପାରିବ ବୋଲି ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବରିଷ୍ଠ ଟେଲିଭିଜନ ତାରକା ତଥା ମଡେଲ ରଜତ ଟୋକାସ ଓ ଓଲିଉଡ୍ ତାରକା ଶିବାନୀ। ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତିନିଜଣ ବିଜୟୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା
ଫେସନ୍ ସୋ’ ‘ନାୟକୀ’ ବଧୂବେଶରେ ରୢାମ୍ପ୍ରେ ଚାଲିଲେ
/sambad/media/post_attachments/wp-content/uploads/2020/02/65gj46dg4j65dg4j56gd4j56gdjjjjjjjjjjjjjjjjjjjjj.jpg)