ଭୁବନେଶ୍ୱର: ନୂତନ ପେନ୍‌ସନ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଏକ ଗୋଷ୍ଠୀ ୩ ଦଫା ଦାବିରେ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ହଜାର ହଜାର ଶିକ୍ଷକ ଆଜି ବିଧାନସଭା ସମ୍ମୁଖରେ ମହାସମାବେଶ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ପ୍ରାଥମିକ ଶିକ୍ଷକଙ୍କ ମୂଳ ଦରମା ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଦେଇ ସପ୍ତମ ବେତନ କମିସନକୁ ସଂଶୋଧନ କରି ପିଛିଲା ଭାବେ ୨୦୧୬ ଜାନୁଆରି ପହିଲାରୁ ଲାଗୁ କରିବାକୁ ଦାବି କରାଯାଇଛି। ଏଥିସହ ଶିକ୍ଷା ସହାୟକ ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ୬ଟି ଇନ୍‌କ୍ରିମେଣ୍ଟ ଦେବା ଓ ଶିକ୍ଷା ସହାୟକ ପଦବି ଉଚ୍ଛେଦ କରି କନିଷ୍ଠ ଶିକ୍ଷକ ପଦବି ଘୋଷଣା କରିବାକୁ ସଂଘ ଦାବି କରିଛି। ଏନେଇ ପୂର୍ବରୁ ବ୍ୟାପକ ଆଲୋଚନା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଭଣ୍ଡେଇ ଚାଲିଛନ୍ତି। ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏଥର ଯଦି ୩ ଦଫା ଦାବି ପୂରଣ କରା ନ ଯାଏ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷକମାନେ ରାଜରାସ୍ତାରେ ଧାରଣାରେ ବସିବେ ବୋଲି ସଂଘ ଆବାହକ ବ୍ରହ୍ମାନନ୍ଦ ମହାରଣା, ଚକାନନ୍ଦ କାମ୍ପା ପ୍ରମୁଖ କହିଛନ୍ତି।