ପ୍ରଥମ ଦିନରେ ୩୬ ନୃତ୍ୟଶିଳ୍ପୀଙ୍କ କଳା ପ୍ରଦର୍ଶନ

ଆରମ୍ଭ ହେଲା ‘ବିଶ୍ବ ଓଡ଼ିଶୀ ଉତ୍ସବ’

ଭୁବନେଶ୍ବର: ଦିନ ସାରା ଭଞ୍ଜକଳା ମଣ୍ଡପ ପରିସରରୁ ଭାସି ଆସୁଥିଲା ନୂପୁରର ରୁଣୁଝୁଣୁ ଶବ୍ଦ। ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ୩୬ରୁ ଊର୍ଧ୍ବ ନୃତ୍ୟଶିଳ୍ପୀ। ଅବସର ଥିଲା ‘ସାଂସ୍କୃତିକୀ’ ପକ୍ଷରୁ ଆୟୋଜିତ ‘ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ’ ଉଦ୍‌ଘାଟନୀ ଉତ୍ସବର। ଚଳିତ ବର୍ଷର ଉତ୍ସବର ମୁଖ୍ୟ ଆକର୍ଷଣ ହେବ ପୁରୁଷ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ପରିବେଷଣ। ଏଥିରେ ଗୁରୁ ଦୁର୍ଗାଚରଣ ରଣବୀର୍, ଗୁରୁ ନବକିଶୋର ମିଶ୍ର, ଗୁରୁ ନିରଞ୍ଜନ ରାଉତ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପୀତାମ୍ବର ବିଶ୍ୱାଳ, ଗୁରୁ ଭରତ ଚରଣ ଗିରି ଓ ଗୁରୁ ମନୋରଂଜନ ପ୍ରଧାନ ପ୍ରମୁଖ ନୃତ୍ୟ ପରିବେଷଣ କରିବେ। ଆଜିର ଉଦ୍‌ଘାଟନୀ ଉତ୍ସବରେ ବହୁ କନିଷ୍ଠ ଓ ବରିଷ୍ଠ କଳାକାରମାନେ ମଞ୍ଚରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପ୍ରଥମ ସନ୍ଧ୍ୟା ଆରମ୍ଭ ହୋଇଥିଲା ରାଓ୍ୱା ଏକାଡେମିର ଅଞ୍ଜଳିଙ୍କ ଦ୍ୱାରା ‘ଶିବାଷ୍ଟକ’ ଏକକ ନୃତ୍ୟ ପରିବେଷଣରୁ। ଏହାପରେ ଋଷିଆର ନୃତ୍ୟଶିଳ୍ପୀ ସୋଫିଆ କୁଖାରେନକ ପ୍ରଥମେ ‘ପଲ୍ଲବୀ’ ଓ ପରେ ‘ମୁହାଁ ମୁହିଁ କିଶୋର’ ପରିବେଷଣ କରିଥିଲେ। ଏହାପରେ ଗୁରୁ ମନୋରଂଜନ ଓ ମିନତି ପ୍ରଧାନଙ୍କ ନୃତ୍ୟ ନିର୍ଦ୍ଦେଶନାରେ ‘ଶ୍ରୀରାଧା କଳାକୁଞ୍ଜ’ର ନୃତ୍ୟଶିଳ୍ପୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ, ଶେଷରେ ଆଦୃତା ଅନାଥ ଆଶ୍ରମର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ‘ଦଶାବତାର’ ପରିବେଷିତ ହୋଇଥିଲା। ଆଜି ସଂଧ୍ୟାରେ ୬ଟି ଏକକ ନୃତ୍ୟ ଓ ୫ଟି ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୩ ଦିନ ଧରି ଏହି ଉତ୍ସବ ଚାଲିବ। ଏହି ଅବସରରେ ୫୦୦ରୁ ଊର୍ଧ୍ବ ନୃତ୍ୟଶିଳ୍ପୀ ନୃ୍ତ୍ୟ ପ୍ରଦର୍ଶନ କରିବେ। ସଂଧ୍ୟାରେ ଅନୁଷ୍ଠାନ ଅଧ୍ୟକ୍ଷ ଗୁରୁ ରାମହରି ଦାଶ ଓ ସଂଯୋଜକ କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ୟାମହରି ଚକ୍ର ପରିଚାଳନା କରିଥିବା ବେଳେ ଅରୁସ୍ମିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର