ରାଜଧାନୀରେ ପ୍ରଥମ ଡଲ୍‌ବି ଆଟ‌ମୋସ୍‌ ସାଉଣ୍ଡ ମଲ୍ଟିପ୍ଲେକ୍ସ

ଭୁବନେଶ୍ବର: ଆଇନକ୍ସ ଲିଜର୍ ଲିମିଟେଡ୍‌ ତମାଣ୍ଡୋସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ରେ ରାଜଧାନୀର ପ୍ରଥମ ଡଲ୍‌ବି ଆଟ‌ମୋସ୍‌ ସାଉଣ୍ଡ ମଲ୍ଟିପ୍ଲେକ୍ସ ଖୋଲିଛି। ୪ପରଦା ବିଶିଷ୍ଟ ଏହି ମଲ୍ଟିପ୍ଲେକ୍ସରେ ଏକ ସଙ୍ଗେ ୭୬୨ଜଣ ଫିଲ୍ମ ଦେଖିବାର ସୁଯୋଗ ପାଇବେ। ରାଜଧାନୀର ଅନ୍ୟ ମଲ୍ଟିପ୍ଲେକ୍ସଗୁଡ଼ିକଠାରୁ ଏହା ସଂପୂର୍ଣ୍ଣ ଭିନ୍ନ ହୋଇଥିବା ବେଳେ ଏଠାରେ ସମସ୍ତ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଉପଲବ୍ଧ ହେଉଛି।

ଏହି ମଲ୍ଟିପ୍ଲେକ୍ସର ବିଶେଷତ୍ବ ହେଲା, ଏଠାରେ ସିନେପ୍ରେମୀ ଟିକେଟ୍ କାଟିବା ପାଇଁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ଏଠାରେ ଥିବା କିଓସ୍କରେ କେଉଁ ସିନେମା କେଉଁ ହଲ୍‌ରେ ପଡ଼ିଛି, ତାହା ଜାଣି‌ହେବ। ଦର୍ଶକ ଏଠାରେ ଯେଉଁ ଚଳଚ୍ଚିତ୍ର ଦେଖିବାକୁ ଚାହୁଁଥିବେ, ତାହା ଉପରେ କ୍ଲିକ୍ କରି ଟିକେଟ୍ ସଂଗ୍ରହ କରିପାରିବେ। ଏହାସହ ଡଲ୍‌ବି ଆଟମୋସ୍‌‌ ସାଉଣ୍ଡ ଏବଂ ଭୋଲଫୋନି ଥ୍ରି ଡି’ ପରଦାରେ ଫିଲ୍ମ ଦେଖିବାର, ଲବିରେ ବିଭିନ୍ନ ଚଳଚ୍ଚିତ୍ରର ଟ୍ରେଲର, ଏଲ୍‌ଇଡି ଭିଡିଓ ୱାଲ୍‌ର ସୁବିଧା ବି ରହିଛି। ଦର୍ଶକଙ୍କୁ ଖାଦ୍ୟ ଅର୍ଡର ଦେବା ପାଇଁ ଇଣ୍ଟରଭାଲକୁ ଅପେକ୍ଷା କରିବାକୁ ପଡ଼ିବନି। କାରଣ ଏଠାରେ ସେଲ୍ଫ ଅର୍ଡରିଂ ଫୁଡ୍‌ କିଓସ୍କ ଲାଗିଛି। ଏକ ମିନିଟରେ ଖାଇବା ଅର୍ଡର ଦେଇପାରିବେ। ଜଣେ ଏଠାକୁ ଯାଇ କ’ଣ ଖାଇ‌ବେ, ତାହା ଉପରେ କ୍ଲିକ୍ କରିବା ପରେ ଅନଲାଇନ୍‌ରେ ବା କାର୍ଡ ସ୍ବାଇପ୍ କରି ବିଲ୍‌ ଦେଇପାରିବେ। ଅର୍ଡର ଦିଆଯାଇଥିବା ଖାଦ୍ୟ ଦର୍ଶକଙ୍କ ସିଟ୍‌ ପାଖରେ ଆସି ପହଞ୍ଚିଯିବ ବୋଲି ଆଇନକ୍ସ ଲିଜର୍ ଲିମିଟେଡର ପୂର୍ବାଞ୍ଚଳ ଆଞ୍ଚଳିକ ନିର୍ଦ୍ଦେଶକ ଅମିତାଭ ଗୁହା ଠାକୁରତା କହିଛନ୍ତି। ଆଇନକ୍ସ ସର୍ବଦା କିଛି ନୂଆ କରିବାକୁ ଚେଷ୍ଟା କରିଥାଏ। ଓଡ଼ିଶାରେ ଯେତେ ମଲ୍ଟିପ୍ଲେକ୍ସ ଖୋଲିଛି, ତନ୍ମଧ୍ୟରୁ ଏହି ମଲ୍ଟିପ୍ଲେକ୍ସ ସର୍ବୋତ୍କୃଷ୍ଟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର