ଭୁବନେଶ୍ଵର : ଜଳଖିଆ ଦୋକାନୀଙ୍କ ପୁଅ ଓଏଏସ୍

ଦୁଇ ଦୃଷ୍ଟିବାଧିତ କୃତକାର୍ଯ୍ୟ

ଭୁବନେଶ୍ଵର : ଅର୍ଥାଭାବ କେବେ ପ୍ରତିଭା ଆଗରେ ବାଧକ ହୁଏ ନାହିଁ। ନିଷ୍ଠା ଓ ଲକ୍ଷ୍ୟ ନିର୍ଧାରିତ ଥିଲେ ଶିଖରରେ ପହଞ୍ଚିବାରେ କୌଣସି ସମସ୍ୟା ହୁଏ ନାହିଁ। ଏହା ପ୍ରମାଣିତ କରି ଦେଖାଇଛନ୍ତି ବରମୁଣ୍ଡା ରେଣ୍ଟାଲ୍‌ କଲୋନିର ବୀରେନ୍ଦ୍ର ତ୍ରିପାଠୀ। ବାପା ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପୁଅ ବି ବାପାଙ୍କୁ ଜଳଖିଆ ଦୋକାନରେ ସାହାଯ୍ୟ କରନ୍ତି। ଏହି କାମ ମଧ୍ୟରେ ବି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ପୁଅ ବୀରେନ୍ଦ୍ର। ଏହି ସଫଳତାର ଶ୍ରେୟ ସେ ତାଙ୍କ କକେଇ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କୁ ଦେଇଛନ୍ତି। ବାପା ମାୟାଧର ତ୍ରିପାଠୀ ଓ ମା’ ବାସନ୍ତୀ ତ୍ରିପାଠୀଙ୍କଠାରୁ ଜନ୍ମିତ ବୀରେନ୍ଦ୍ରଙ୍କ କହିବା ମୁତାବକ, ଛୋଟବେଳୁ ଆଇଏଏସ୍‌ ହେବାର ଲକ୍ଷ୍ୟ ରହିଥିଲା। ସିଆର୍‌ପିସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରୁ ସ୍କଲ୍‌ ଶିକ୍ଷା ପରେ ବିଜେବିରେ ବିଏସ୍‌ସି ଶିକ୍ଷା ଲାଭ କରିଥିଲି। ଏଗ୍ରିକଲ୍‌ଚର ଇକୋନୋମିକ୍ସରେ ଏମ୍‌ଏସ୍‌ସି ପଢ଼ୁଥିବା ବେଳେ ଓଏଏସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ଆପ୍ଟି ପ୍ଲସ୍‌ ପକ୍ଷରୁ ବୃତ୍ତି ପାଇ ସେଠାରେ କୋଚିଂ ନେବାର ସୁଯୋଗ ପାଇଥିଲି। ବୀରେନ୍ଦ୍ର କହିଛନ୍ତି ଯେ, ମୁଁ ସବୁବେଳେ ଏକ ନିର୍ଦିଷ୍ଟ ବିଷୟ ଶେଷ କରି ହିଁ ଶୋଇବାକୁ ଯାଉଥିଲି। କେଉଁଦିନ ବି ପଢ଼ାରେ ଅବହେଳା କରୁ ନ ଥିଲି। ବାପାଙ୍କୁ ବେ‌ଳେବେଳେ ଯାଇ ଜଳଖିଆ ଦୋକାନରେ ସହଯୋଗ କରୁଥିଲି। ତେବେ ଏତିକିରେ ମୋ’ର ଲକ୍ଷ୍ୟ ସାଧିତ ହୋଇନି। ଆଇଏଏସ୍‌ ହେବା ମୋ’ର ଲକ୍ଷ୍ୟ ବୋଲି ବୀରେନ୍ଦ୍ର କହିଛନ୍ତି।

ଦୁଇ ଦୃଷ୍ଟିବାଧିତ କୃତକାର୍ଯ୍ୟ
ଭୁବନେଶ୍ବର : ଗତ ଓଏଏସ୍‌ ପରୀକ୍ଷାରେ ୧୦୦ ପ୍ରତିଶତ ଦୃଷ୍ଟିବାଧିତ ସନ୍ୟାସୀ କୁମାର ବେହେରା କୃତକାର୍ଯ୍ୟ ହୋଇ ଉଦାହରଣ ସୃଷ୍ଟି କରିଥିବା ‌ବେଳେ ୨୦୧୮ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପୁଣି ଦୁଇ ଦୃଷ୍ଟିବାଧିତ କୃତକାର୍ଯ୍ୟ ହୋଇ ପ୍ରେରଣା ସାଜିଛନ୍ତି। ଅନନ୍ତ ନାୟକ ଓ ତପସ୍ବିନୀ ରାଉତ ଏହି କୃତିତ୍ବ ହାସଲ କରିଛନ୍ତି। ଶହେ ପ୍ରତିଶତ ଦୃଷ୍ଟି ବାଧିତ ହୋଇଥିଲେ ହେଁ ଅନନ୍ତ ୧୩୦ ଓ ତପସ୍ବିନୀ ୧୬୧ ରୢାଙ୍କ ପାଇଛନ୍ତି। ସଂପ୍ରତି ଏସ୍‌ଏସ୍‌ଇପିଡି ଡିଏସ୍‌ଏସ୍‌ଓ ଭାବେ କାର୍ଯ୍ୟରତ ସନ୍ନ୍ୟାସୀ ବେହେରା ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର