କଟକ: ପୁଣି ଇତିହାସ ରଚିଛି କଟକ ବଡ଼ ଡାକ୍ତରଖାନା। ପୂର୍ବ ଭାରତର ପ୍ରଥମ ସରକାରୀ ମେଡିକାଲ କଲେଜ ଭାବେ ଏସ୍‌ସିବି ହେମାଟୋଲୋଜି ବିଭାଗରେ ୨୦୧୪ରୁ ଆଜି ସୁଦ୍ଧା ୭୫ଜଣ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ ହୋଇପାରିଛି। ଆମେରିକାରେ ଜଣେ ୭୫ବର୍ଷ ବୟସର ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ ହୋଇଥିବା ବେଳେ ଭାରତ‌ର ବିଭିନ୍ନ ରାଜ୍ୟରେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ବର୍ତ୍ତମାନ ସୁଦ୍ଧା କରାଯାଇଛି। କିନ୍ତୁ ସରକାରୀ ବ୍ୟବସ୍ଥାରେ ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବିରେ ଜଣେ ୭୪ ବର୍ଷର ରୋଗୀଙ୍କର ମଧ୍ୟ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ ହୋଇପାରିଛି। ସେ ସୁସ୍ଥ ଅଛନ୍ତି।

Advertisment

ଆଜି ଏସ୍‌ସିବିରେ ୭୫ତମ ରୋଗୀ ଭାବେ ଦେବଗଡ଼ ଭିତିରିଆ ସାହିର ରାଜେଶ ଅଗ୍ରୱାଲଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ ହୋଇଛି। ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କ ଟିମ୍‌ ଏଭଳି ସଫଳ ଅସ୍ତ୍ରୋପଚାର କରି ଏସ୍‌ସିବି ତଥା ରାଜ୍ୟର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ବାହାର ରାଜ୍ୟରେ ଏହି ଅସ୍ତ୍ରୋପଚାର କରାଗଲେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସ୍‌ସିବିରେ କିନ୍ତୁ ରାଜ୍ୟ ସରକାରଙ୍କ ମାଗଣା ସ୍ବାସ୍ଥ୍ୟ ଯୋଜନାରେ ରୋଗୀ ଏହି ଚିକିତ୍ସା ସୁବିଧା ପାଇପାରୁଛନ୍ତି। ସୂଚନା ଅନୁସାରେ, କଟକ ବଡ଼ ଡାକ୍ତରଖାନାରେ ପୂର୍ବ ଭାରତର ପ୍ରଥମ ଅସ୍ଥିମଜ୍ଜା ପ୍ରତିରୋପଣ କେନ୍ଦ୍ର ୨୦୧୪, ଫେବ୍ରୁଆରି ୨୬ ତାରିଖରେ ଉଦ୍‌ଘାଟିତ ହୋଇଥିଲା। ୭ କୋଟି ଟଙ୍କା ବ୍ୟୟରେ ତିଆରି ଏହି ଅତ୍ୟାଧୁନିକ ଜ୍ଞାନକୌଶଳରେ ୨ଟି ହେପାଫିଲଟର ବିଏମ୍‌ଟି ରୁମ୍‌ର ବ୍ୟବସ୍ଥା ରହିଛି।