ପ୍ରଥମ ଅନ୍ତର୍ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ଶାନ୍ତିସ୍ତୂପସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ୨୨ଜଣ ଜାତୀୟସ୍ତରର ଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ଶିବିର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତଥି ଭାବେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା ଓ ଧଉଳି ଗ୍ରାମ ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣିମା ସାହୁ ଯୋଗ ଦେଇଥିଲେ। ଉତ୍ସବ ଅବସରରେ କୃତୀ ଶିଶୁ ଚିତ୍ରଶିଳ୍ପୀଙ୍କୁ ପୁରସ୍କୃତ କରାଯିବ ସହ ନିବେଦିତା ମହାପାତ୍ର, ରଂଜନ ମହାରଣା ଓ ନୀଳମଣି ମୁଦୁଲିଙ୍କୁ କଳା ଆଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ରଙ୍କ ପୌରୋହିତ୍ୟରେ ସମ୍ପାଦକ ମିହିରକାନ୍ତି ପ୍ରହରାଜ ସମ୍ପାଦକୀୟ ଅଭିଭାଷଣ ଦେଇଥିଲେ। ପରେ ଓଡ଼ିଶାର ପାରମ୍ପରିକ ଶିଳ୍ପୀ ଅବନ୍ତୀ ମହାରଣାଙ୍କ ଦ୍ୱାରା କାଗଜ ମୁଖା ତିଆରି କର୍ମଶାଳା ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ବିଶିଷ୍ଟ ଶିଳ୍ପୀମାନଙ୍କ ସହ ଅନ୍ତରଙ୍ଗ ଆଳାପ ହୋଇଥିଲା। ପ୍ରତି ସନ୍ଧ୍ୟାରେ କଳା ଓ କଳାକାର ଶୀର୍ଷକ ଫିଲ୍ମ ପ୍ରଦର୍ଶିତ କରାଯିବ। ଉତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର