ପ୍ରଥମ ଅନ୍ତର୍ଜାତୀୟ ମୁକ୍ତାକାଶ ସ୍ଥାପତ୍ୟ ସଂଗ୍ରହାଳୟ ଉଦ୍‌ଘାଟିତ, ବର୍ଜ୍ୟବସ୍ତୁରେ ଚମତ୍କାର

ଖଣ୍ଡଗିରି: ଶିଳ୍ପୀ ହାତରୁ ରଙ୍ଗ ଛାଟି ହୋଇଗଲେ କାଗଜରେ ଆଙ୍କି ହୋଇଯାଏ ଚିତ୍ର। ନିହଣ ମୁନରେ ଆଘାତ କରି ସେ ପଥରରେ ଭରିଦିଏ ଜୀବନ। ନିଅାଁରେ ଜାଳି ଜାଳି ଧାତୁରୁ ଗଢ଼ିଦିଏ ଅପରୂପ କାରୁକାର୍ଯ୍ୟ। ସେମିତି ଶିଳ୍ପୀ ହାତରୁ ବାଦ୍‌ ପଡ଼ିନି ବର୍ଜ୍ୟବସ୍ତୁ। ଶିଳ୍ପୀର ହାତ ବାଜିଲେ ବର୍ଜ୍ୟବସ୍ତୁରେ ବି ଫୁଟି ଉଠେ କଳାର ସମ୍ଭାର। କଳିଙ୍କି ଲଗା ଲୁହାପାତିଆ, ଅଙ୍କାବଙ୍କା ଅବ୍ୟବହୃତ ଲୁହା ରଡ୍‌, ଭଙ୍ଗା ପ୍ଲାଷ୍ଟିକ୍ ଡବା, ବୋତଲ, ଭଙ୍ଗା ବାଇକ୍‌, ସ୍କୁଟର ଓ ସାଇକେଲର ରିମ୍‌, ଟାୟାର୍ ଚେନ୍ ସ୍ପକେଟ୍‌ ଭଳି ଯାବତୀୟ ବର୍ଜ୍ୟ ଅଂଶକୁ ନେଇ ଶିଳ୍ପୀ ଗଢ଼ିଜାଣେ ଜୀବନ୍ତ କଳାକୃତି। ଭୁବନେଶ୍ବର ଘାଟିକିଆ କଳିଙ୍ଗନଗର କେ-୭ ବିଡିଏ ପାର୍କରେ ସ୍ଥାନ ପାଇଥିବା ଏହି ସ୍ଥାପତ୍ୟ ସବୁକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ଅସମ୍ଭବ। ଭାରତ ସମେତ ୧୪ ଟି ଦେଶର ବିଶିଷ୍ଟ ଶିଳ୍ପୀମାନଙ୍କ ହାତରୁ ସଂଗ୍ରହ ହୋଇଥିବା ସ୍ଥାପତ୍ୟସବୁ ସ୍ଥାନ ପାଇଥିବା ଏହି ପ୍ରଥମ ମୁକ୍ତାକାଶ ସଂଗ୍ରହାଳୟକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଚୀନ୍‌ର ଜିଆଙ୍ଗ୍ ଚୁ, ସ୍ପେନ୍‌ର ଡାନି‌ଏଲ୍‌ ପେରେଜ୍, ଇଂଲଣ୍ଡର ନୋହା ରୋଜ୍‌, ଜର୍ମାନୀର ନିଲ୍‌ସ ହାନ୍‌ସେକ୍‌, ବେଲ୍‌ଜିୟମ୍‌ର ଡିଡିୟର ଲିମ୍ୟାନ୍‌, ମାଲେସିଆର ରୋସିଲ୍‌ ଜାକାରିଆ, ନେଦରଲ୍ୟାଣ୍ଡର ଅନିତା ମ୍ୟାରିଆ, ନ୍ୟୁଜିଲାଣ୍ଡର ଡୋନାଲ୍‌ଡ ବୁଗାସ୍ ଆୟାର୍ଲ୍ୟାଣ୍ଡର ପ୍ୟାଡି ବ୍ଲୁମର୍‌, ଇଟାଲୀର ମ୍ୟାଟିଓ ବ୍ୟାରୋନି ଓ ଆର୍ଜେଣ୍ଟିନାର ଅଗଷ୍ଟୋ ଡାନିଏଲ୍‌ ଗାଲୋଙ୍କ ସହ ଦେଶୀୟ ସ୍ଥପତି ବିହାରର ବାରା ବାବୁ ମାହାତୋ, ଆନ୍ଧ୍ରପ୍ରଦେଶ‌ର ଶନିବାଡ଼ା ଲକ୍ଷ୍ମଣ କୁମାର ଓଡ଼ିଶାର କାନ୍ତ କିଶୋର ମହାରଣା, ଜିତେନ୍ଦ୍ର କୁମାର ଓଝା ପ୍ରମୁଖଙ୍କ ନିଖୁଣ କଳାକୃତି ସ୍ଥାନ ପାଇଛି ଏହି ସଂଗ୍ରହାଳୟରେ। ଓଡ଼ିଶାର ଚର୍ଚ୍ଚିତ ବାଘୁଣୀ ସୁନ୍ଦରୀ(ଲୁହା ପାତିଆରୁ ତିଆରି), ଚୀନ୍‌ର ଇଗଲ୍‌(ଲୁହା ପାତିଆ), ନୃତ୍ୟ ଛନ୍ଦରେ ମୟୂର(ଭଙ୍ଗା ସାଇକଲେ ରିମ୍, ଚେନ୍ କ୍ରାଙ୍କ୍‌ରୁ ତିଆରି), ହାତୀ(ସାଇକେଲ ପାଇପ୍‌ରୁ ତିଆରି), ଗଛରେ ବସିଥିବା ମାଙ୍କଡ଼(ଲୁହା ରଡ୍‌, ସାଇକେଲ୍ ରିମ୍‌ରୁ ତିଆରି), ଅଲିଭ୍‌ ରିଡଲ୍(ଲୁହା ପାତିଆ ଓ କଂକ୍ରିଟ୍‌ ବୁହା ଭଙ୍ଗା କଡ଼େଇରୁ ତିଆରି), ମାଛ( ବୋତଲ, ଟାୟାର୍, ସ୍କୁଟର୍‌ର ଭଙ୍ଗା ବଡ଼ିରୁ ତିଆରି), ସିଂହ ମୁଣ୍ଡ, ଗୋବର ପୋକ ଆଦି ଉଡ଼ନ୍ତା ଛଞ୍ଚାଣ ଆଦି ଏହି ସଂଗ୍ରହାଳୟରେ ଶିଳ୍ପୀମାନଙ୍କ ହସ୍ତକଳାର ଅଭୁଲା ନିଦର୍ଶନ ପାଲଟିଛି। ଆର୍ଟିଷ୍ଟ ନେଟ୍‌ୱାର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର(ଆନ୍‌ପିକ୍‌), ବିଡିଏ, ବିଏମ୍‌ସି ମିଳିତ ଉଦ୍ୟମରେ ଗଢ଼ିଉଠିଛି ଏହି ସଂଗ୍ରହାଳୟ। ହକି ବିଶ୍ବକପ୍ ଅବସରରେ ବିଶ୍ବର ସମସ୍ତ ହକି ଖେଳୁଥିବା ଦେଶର ଶିଳ୍ପୀମାନେ ଏହି ସଂଗ୍ରହାଳୟ ପାଇଁ ନିଜ ନିଜର କଳାକୃତି ଗଢ଼ିଛନ୍ତି। ଏହି ସଂଗ୍ରହାଳୟର ମୂଳ ଲକ୍ଷ୍ୟ ବାବଦରେ ଆନ୍‌ପିକ୍ ମୁଖ୍ୟ ଶଶାଙ୍କ ମହାପାତ୍ର କହିଲେ ଯେ, ବର୍ଜ୍ୟବସ୍ତୁର ସୁବିନିଯୋଗ ଓ ଲୋକଙ୍କ ଭିତରେ ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁ ସଂରକ୍ଷଣର ସଚେତନତା ବାର୍ତ୍ତା ପ୍ରଚାର କରିବା। ଯୁବ କଳାକାରମାନଙ୍କ ଭିତରେ ସୃଜନଶୀଳତା ସୃଷ୍ଟି ସହ ନୂଆ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହା ଏକ ବଡ଼ ପ୍ରୟାସ ବୋଲି କ୍ଷୀତିଶ ଦାସ ସୂଚନା ଦେଇଥିଲେ। ଏହି ଅବସରରେ ଅତିଥିଭାବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଡିଏ ଉପାଧ୍ୟକ୍ଷ ଡ. କ୍ରିଷ୍ଣନ୍‌ କୁମାର ଓ ସ୍ଥାନୀୟ କର୍ପୋରେଟର୍‌ ଦିଲ୍ଲୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ସ୍ଥପତିମାନଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆର୍ଜେଣ୍ଟିନାର ଶିଳ୍ପୀ ଡାନିଏଲ୍‌ ଗାଲୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଦ୍ବାରା ପ୍ରସ୍ତୁତ ତାଙ୍କର ଏକ ଫଟୋଚିତ୍ର ପ୍ରଦାନ କରିଥିଲେ। ପରେ ପରେ ବିଶ୍ବକପ୍ ହକିର ମାସ୍କଟ୍‌ ଓଲି ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର