ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ‘ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇସିଏଫ୍ଏଆଇର କୁଳାଧିପତି ପ୍ରଫେସର ରାମପାଲ୍ କୌଶିକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୭ଟି ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରିଥିଲେ। ପ୍ରଫେସର କୌଶିକ କହିଥିଲେ, କଳା, ସଂସ୍କୃତି ଓ ଐତିହ୍ୟ ଭଳି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନୁରୂପ ଗାରିମା ବଜାୟ ରଖିପାରିଛି। ଆଞ୍ଚଳିକ ସ୍ତରରେ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରିବାର ଏହି ପରମ୍ପରା ସ୍ବାଗତ ଯୋଗ୍ୟ ବୋଲି ସେ କହିଥିଲେ। ମନ୍ତ୍ରୀ ଡ. ସାହୁ କହିଲେ, ଶିକ୍ଷାକୁ ନେଇ ସମାରୋହ କରିବା ଏବଂ ଶିକ୍ଷାନୁଷ୍ଠାନକୁ ଏକାଠି କରି ସମ୍ବର୍ଧିତ କରିବା ଦ୍ବାରା ଏହା ଅନ୍ୟ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବ।
ଓଡ଼ିଆ ମିଡିଆର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପ୍ରାକ ବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ୧୬୦ଟି ଶିକ୍ଷାନୁଷ୍ଠାନଠାରୁ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ ୧୭ଟି ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ବିଚାରକ ମଣ୍ଡଳୀ ସଦସ୍ୟ ପ୍ରଫେସର କୁମରବର ଦାସ, ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଶରତ କୁମାର ଦାଶ ଓ ଡ. ଆର୍ତତ୍ରାଣ ମିଶ୍ରଙ୍କୁ ମଧ୍ୟ ଉତ୍ସବରେ ସମ୍ବର୍ଧିତ କରାଯାଇଥିଲା। ସତ୍ୟ-ସତ୍ୟବ୍ରତ ଓ ପ୍ରେମକୁମାର-ଦୀପ୍ତି ଯୋଡ଼ିଙ୍କ ବ୍ୟଙ୍ଗ ଆସରକୁ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। ଅଗ୍ନିବେଶ ମହାପାତ୍ର ଓ ଗାୟତ୍ରୀ ମଂଚ ପରିଚାଳନା କରିଥିଲେ। ଗିରୀଶ, ରଜନୀକାନ୍ତ, ଆଶିଷ, ପ୍ରଦ୍ୟୁମ୍ନ, ମିଲନ, ଜିତେନ୍ଦ୍ର, ଶୁଭଲକ୍ଷ୍ମୀ ଓ ବୀରେନ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।