ଭୁବନେଶ୍ବର: ନାଚଗୀତରେ ଝୁମିଥିଲା ପୂରା ଓଡ଼ିଆ ଚଳଚ୍ଚିତ୍ର ଜଗତ। କେବେ ଲୁବୁନ୍ ଟୁବୁନ୍ଙ୍କ ନୃତ୍ୟ ସଂଯୋଜନାରେ ପରିବେଷିତ ‘ବନ୍ଦେ ମାତରଂ’ ଦଳଗତ ନୃତ୍ୟରେ ଶୀତୁଆ ସଂଧ୍ୟାକୁ ରୋମାଞ୍ଚିତ କରୁଥିଲା ତ’ ଆଉ କେତେବେଳେ ଯୁବ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଫ୍ୟୁଜନ୍ ସଙ୍ଗୀତରେ ଉପସ୍ଥିତ ଶ୍ରୋତା ମନ୍ତ୍ରମୁଗ୍ଧ ହେଉଥିଲେ। ମଞ୍ଚରେ ଓଡ଼ିଆ ସଙ୍ଗୀତ ଦୁନିଆର ନାମୀଦାମୀ ସଙ୍ଗୀତ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ନୂଆ ପୁରୁଣା କଣ୍ଠଶିଳ୍ପୀ ଓ ଗୀତିକାରଙ୍କ ଏକ ଅପୂର୍ବ ସମାଗମ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ସମସ୍ତ ତାରକା ମଧ୍ୟ ପହଞ୍ଚି ଯାଇଥିଲେ ଉତ୍କଳ ମଣ୍ଡପ ମୁକ୍ତମଞ୍ଚରେ। ଅବସର ଥିଲା ବ୍ରାଇଟ୍ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଓଡ଼ିଶା ସଙ୍ଗୀତ ସମ୍ମାନ’ର ପ୍ରଥମ ସଂସ୍କରଣର।
ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭବ୍ୟ ସମ୍ବର୍ଦ୍ଧନାରୁ। ସଙ୍ଗୀତ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଜୀବନ ପାଇଁ ଆଜି ତାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପରେ ପରେ ପ୍ରେମାନନ୍ଦଙ୍କୁ ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନ’, ନିର୍ମଳ ନାୟକଙ୍କୁ ‘ଶ୍ରେଷ୍ଠ ଗୀତିକାର ସମ୍ମାନ’, ହ୍ୟୁମାନ ସାଗରଙ୍କୁ ‘ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ ସମ୍ମାନ’, ଦୀପ୍ତିରେଖା ପାଢ଼ୀଙ୍କୁ ‘ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ସମ୍ମାନ’, ଅସୀମା ପଣ୍ଡାଙ୍କୁ ‘ଲୋକପ୍ରିୟ ସେଲିବ୍ରିଟି କଣ୍ଠଶିଳ୍ପୀ ସମ୍ମାନ’, ଆଶୁତୋଷ ମହାନ୍ତିଙ୍କୁ ‘ଶ୍ରେଷ୍ଠ ମନୋରଞ୍ଜନକାରୀ କଣ୍ଠଶିଳ୍ପୀ ସମ୍ମାନ’ ଓ ଅନ୍ୟ ୧୩ ଜଣଙ୍କୁ ବିଭିନ୍ନ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ‘ଶ୍ରେଷ୍ଠ ମ୍ୟୁଜିକ୍ ଟିଭି ଚ୍ୟାନେଲ୍’ ଭାବେ ତରଙ୍ଗ ମ୍ୟୁଜିକ୍, ‘ଶ୍ରେଷ୍ଠ ରେଡିଓ ଏଫ୍ଏମ୍ ଚ୍ୟାନେଲ୍’ ଭାବେ ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍, ’ଶ୍ରେଷ୍ଠ ମ୍ୟୁଜିକ୍ ଉପସ୍ଥାପକ’ ଭାବେ ଅଶ୍ବିନୀ ତ୍ରିପାଠୀ, ‘ଜାତୀୟ ରିୟଲିଟି ସୋ’ କଣ୍ଠଶିଳ୍ପୀ’ ଭାବେ ଚେଲ୍ସି ବେହୁରା ଓ ‘ବଲିଉଡ୍ ଓଡ଼ିଆ ସେନ୍ସେସନ୍’ ଭାବେ ପ୍ରକୃତି ମିଶ୍ରଙ୍କ ସମେତ ୭ ଜଣଙ୍କୁ ସ୍ପେସାଲ ଜୁରି ଆୱାର୍ଡ ବିଭାଗରେ ସମ୍ମାନିତ କରାଯାଇଛି। ମ୍ୟୁଜିକ୍ ଆଲ୍ବମ୍ ସମ୍ମାନ ବିଭାଗରେ ବୈଦ୍ୟନାଥ ଦାଶଙ୍କୁ ‘ଶ୍ରେଷ୍ଠ ମ୍ୟୁଜିକ ଆଲ୍ବମ୍ ନିର୍ଦ୍ଦେଶକ’, ଅରୁଣ ମନ୍ତ୍ରୀଙ୍କୁ ‘ଶ୍ରେଷ୍ଠ ମ୍ୟୁଜିକ ଆଲ୍ବମ୍ ଗୀତିକାର’, ଲବୁନ୍ ଟୁବୁନ୍ଙ୍କୁ ‘ଶ୍ରେଷ୍ଠ ମ୍ୟୁଜିକ ଭିଡିଓ ନିର୍ଦ୍ଦେଶକ’, ଶୁଭାଶିଷ ଶର୍ମା ଓ ଅନୀଷା ଶର୍ମାଙ୍କୁ ‘ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍ବମ୍ ଅଭିନେତା ଓ ଅଭିନେତ୍ରୀ’ଙ୍କ ସମେତ ୯ ଜଣଙ୍କୁ ସମ୍ମାନିତ କରାଯାଇଛି। ସାର୍ଥକ ମ୍ୟୁଜିକ୍, ଶଶାଙ୍କ ଶେଖର ଓ ଓଡ଼ିଆ ୱାନ୍କୁ ‘ସାମାଜିକ ଗଣମାଧ୍ୟମ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ତଥା ‘ଓଡ଼ିଶା ମୋର ପରିବାର’ର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ, ଏଲ୍ ଏନ୍ ଅଗ୍ରୱାଲ୍, ବିଶିଷ୍ଟ କବି ଶରତ ଦାସ, ତରଙ୍ଗ ମ୍ୟୁଜିକ୍ର ଚ୍ୟାନେଲ୍ ମୁଖ୍ୟ ଶ୍ୟାମାପ୍ରସାଦ ଓ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଶ୍ବିନୀ ତ୍ରିପାଠୀ ଓ ସୁଲଗ୍ନା ରାଉତରାୟ ମଞ୍ଚ ସଂଯୋଜନା କରିଥିଲେ।