ପ୍ରଥମ ରବି ରାୟ ସ୍ମାରକୀ ବକ୍ତତା: ଭାରତୀୟ ସମ୍ବିଧାନ ଊର୍ଧ୍ୱରେ କେହି ନୁହନ୍ତି

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ ଊର୍ଧ୍ୱରେ କେହି ନୁହନ୍ତି। ଉନିବେଶବାଦ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ଭାରତୀୟ ସମ୍ବିଧାନ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥିଲା। ପ୍ରାୟ ଅଢ଼େଇ ବର୍ଷ ଧରି ଭାରତୀୟ ସମ୍ବିଧାନ ପ୍ରବକ୍ତା ଡାକ୍ତର ବି.ଆର୍‌ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତିତ୍ୱ ଏହାକୁ ପ୍ରସ୍ତୁତ କରିଥିଲେ। ଏଥିରେ ଶାସନ ତଥା ପ୍ରଶାସନିକ ବ୍ୟବସ୍ଥାର ସମସ୍ତ ଉପାଦେୟ ତଥ୍ୟ ରହିଛି। ଏହାକୁ ରାଜନୈତିକ ଦଳ ମାନି କାର୍ଯ୍ୟ କଲେ ଶାସନ ବ୍ୟବସ୍ଥା ସୂଚାରୁ ରୂପେ ଚାଲିପାରିବ। ଜାତୀୟ ସମ୍ବିଧାନ ଦିବସ ଅବସରରେ ଆଜି ଲୋହିଆ ଏକାଡେମିରେ ଆୟୋଜିତ ‘ପ୍ରଥମ ରବି ରାୟ ସ୍ମାରକୀ ବକ୍ତତା’ ଦେଇ ଏହା କହିଛନ୍ତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କୃଷ୍ଣଦେବ ରାଓ।

ବକ୍ତତାର ଶୀର୍ଷକ ଥିଲା ‘ସମ୍ବିଧାନର ସାର୍ବଭୌମତ୍ୟ: ପ୍ରସଙ୍ଗ ଓ ଆହ୍ଵାନ’। ଏହି ଅବସରରେ ଶ୍ରୀ ରାଓ ସାମ୍ପ୍ରତିକ ସମୟରେ ସମ୍ବିଧାନକୁ ନେଇ ମୁଣ୍ଡ ଟେକିଥିବା ବିଭିନ୍ନ ଆହ୍ଵାନ ଓ ଘଟଣାବଳୀ ଉପରେ ବିସ୍ତତ ଆଲୋଚନା କରିଥିଲେ। ଏହା ସହ ସମ୍ବିଧାନର ମହାନୀୟତାକୁ ପ୍ରତିପାଦନ କରିଥିଲେ। ଏକାଡେମିର ସମ୍ପାଦକ ଦେବପ୍ରିୟ ରାୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ବୀରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏକାଡେମିର ଉପସଭାପତି ସତ୍ୟବ୍ରତ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର