ଖରାର ପ୍ରକୋପ କମ୍ ନଥିଲା। ଅସହ୍ୟ ଗୁଳିଗୁଳି ଅସ୍ତବ୍ୟସ୍ତ କରୁଥିଲା। ଧୋବ ଧୋବଳିଆ ଆକାଶ ତଳେ ବେଳେବେଳେ ଛାଇ ଆଲୁଅର ଖେଳ ବି ଚାଲିଥିଲା। ଅଥଚ ରଜମନସ୍କ ସହରବାସୀଙ୍କ ଉପରେ ଏହା ପ୍ରଭାବ ପକାଇ ନଥିଲା। ପାଗ ଶୁଖିଲା ଥିବାରୁ ପହିଲି ରଜରେ ବୁଲିବୁଲି ଦୋଳି ଖେଳିବାକୁ ମଉକାଟେ ମିଳିଥିଲା। ପୁଣି ପର୍ଯ୍ୟଟନସ୍ଥଳୀ ବୁଲାବୁଲି ସାଙ୍ଗକୁ ସିନେମା ଦେଖାରେ ବିତିଥିଲା ଅବଶିଷ୍ଟ ସମୟ। ଦେହରେ ରଙ୍ଗିନ ପୋଷାକ ଆଉ ହସହସ ମୁହଁରେ ଝିଅଙ୍କ ମେଳି ରାଜଧାନୀ ମାଟିରେ ଭଳିକି ଭଳି ରଙ୍ଗିନ ଫୁଲ ବିଛେଇ ହେବା ସଦୃଶ ପ୍ରତୀୟମାନ ହୋଇଥିଲା। ରଜରେ ଝିଅଙ୍କ ଦୋଳି ଖେଳିବା ସଉକ ମେଣ୍ଟାଇଥିଲେ କିଛି ସାମାଜିକ ଓ ସାଂସ୍କୃତିକ ସଂଗଠନ। ପାନ୍ଥ ନିବାସଠୁ ନେଇ ଧଉଳିର ପାନ୍ଥିକା ଯାଏଁ। ପୁଣି ରବୀନ୍ଦ୍ର ମଣ୍ଡପ ଖୋଲା ପଡ଼ିଆରୁ ଆରମ୍ଭ କରି ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଯାଏଁ ସବୁଠି ଥିଲା ଖେଳିଯାଇଥିଲା ପହିଲି ରଜର ପୁଲକ। କୃଷି ଭିତ୍ତିକ ପର୍ବ ରଜ ମଉଜକୁ ଆଉ ଟିକେ ପାରମ୍ପରିକ ଛାପ ଦେବାକୁ କେତେକ ଜାଗାରେ ଚାଲିଥିଲା ଦଉଡ଼ି ଡିଆଁ, ପୁଚି, କବାଡ଼ି, ଲୁଡୁ ପାଲି ଓ ତାସ୍ ଖେଳର ପ୍ରତିଯୋଗିତା। ପିଠା ପାଇଁ ବି ହାଉଜାଉ ସମ୍ଭାର ଖୋଲିଥିଲା।
ଦୋଳିଗୀତ କଥା ପଚାରିଲେ ରାଜ୍ୟପାଳ
ରଜ ପର୍ବ ବାବଦରେ ଶୁଣିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଅପରାହ୍ଣରେ ପହଞ୍ଚିଥିଲେ ପାନ୍ଥ ନିବାସରେ। ପରମ୍ପରା ବାବଦରେ ଜାଣିବାକୁ ଆଗ୍ରହୀ ପ୍ରଫେସର ଗଣେଶୀ ଲାଲ ପୋଡ଼ ପିଠା, ଓଡ଼ିଆ ପିଠାପଣା, ରଜପାନ, ରଜଦୋଳି ଓ ଦୋଳିଗୀତ ସମ୍ପର୍କରେ ବିଭିନ୍ନ କଥା ପଚାରି ବୁଝିଥିଲେ। ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଟିଡିସିର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ ଦେବ, ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ପର୍ଯ୍ୟଟନସ୍ଥଳୀ ବୁଲିଲେ, ସିନେମା ଦେଖିଲେ
ପାଗ ଭଲ ଦେଇଥିବାରୁ ରାଜଧାନୀର ପର୍ଯ୍ୟଟନସ୍ଥଳୀରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର, ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି, ଧଉଳି ଭଳି ସ୍ଥାନରେ ବ୍ୟାପକ ଭିଡ଼ ଦେଖିବାକୁ ମିଳିଥିଲା। ପୁଣି ଅପରାହ୍ଣରେ ପାର୍କରେ ବି ପ୍ରବଳ ଜନ ସମାଗମ ହୋଇଥିଲା। ଲୋକେ ସପରିବାର ରଜ ଉତ୍ସବ ପାଳିବାକୁ ଭିଡ଼ ଲଗାଇଥିଲେ। କିଛି ରେସ୍ତୋରାଁରେ ପିଠା ଖାଇବାକୁ ବି ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା। ସେହିପରି ରଜରେ ମୁକ୍ତିଲାଭ କରିଥିବା ୪ ଇଡିଅଟ୍ସ, ସୁନ୍ଦରଗଡ଼ର ସଲମନ୍ ଖାନ୍, ଜୁରାସିକ୍ ଓ୍ଵାର୍ଲଡ୍: ଫଲେନ୍ କିଙ୍ଗ୍ଡମ ଭଳି ସିନେମା ଦେଖିବାକୁ ଭିଡ଼ ଜମିଥିବା ବେଳେ ଆସନ୍ତା କାଲି ସଲ୍ମନ ଖାନ୍ଙ୍କ ‘ରେସ୍-୩’ ଦେଖିବାକୁ ଅନେକ ଯୋଜନା କରିସାରିଛନ୍ତି।
୩ ଲକ୍ଷରୁ ଊର୍ଧ୍ୱ ଟଙ୍କାର ପିଠା ବିକ୍ରି
ରଜ ପାଇଁ ପାନ୍ଥ ନିବାସରୁ ନେଇ ପାନ୍ଥିକା ଏବଂ ପ୍ରଦର୍ଶନୀ ପଡ଼ିଆରୁ ନେଇ ଏକାମ୍ର ହାଟ ଯାଏଁ ପିଠାର ପେଡ଼ି ଖୋଲି ଦେଇଥିଲେ ବ୍ୟବସାୟିକ ସଂଗଠନ ଓ ହୋଟେଲ୍। ହୋଟେଲ୍ ପୁଷ୍ପକରେ ରଜରେ ୧୪ରୁ ୧୭ ପର୍ଯ୍ୟନ୍ତ ପିଠା ଉତ୍ସବ ଆୟୋଜିତ ହେଉଥିବା ବେଳେ ନିମାପଡ଼ା ସୁଇଟ୍ସ ପକ୍ଷରୁ ରଜ ଅବସରରେ ପିଠା ଉପଲବ୍ଧ ହେଉଛି। ପୁଣି କିଛିକିଛି ବ୍ୟବସାୟିକ ସଂଗଠନ ଭ୍ରାମ୍ୟମାଣ ପିଠା ଷ୍ଟଲ୍ ବି ଖୋଲି ଦେଇଥିଲେ। ହେଲେ ପିଠାପ୍ରେମୀ ସହରିଆଙ୍କୁ ପିଠା କିଣିବା ପାଇଁ ଲମ୍ବା ଲାଇନ୍ ଲଗେଇବାକୁ ପଡ଼ିଥିଲା। ମଣ୍ଡା, ଆରିସା, କାକରା, ଚକୁଳି, ଚନ୍ଦ୍ରକଳା ଭଳି ବିଭିନ୍ନ ପ୍ରକାରର ପିଠା ଥିଲେ ହେଁ ଲୋକଙ୍କର ପ୍ରଥମ ଡିମାଣ୍ଡ୍ ଥିଲା ପୋଡ଼ ପିଠା। ଝାଉଁ କାଠରେ ପ୍ରସ୍ତୁତ ପୋଡ଼ ପିଠାର ଟେଷ୍ଟ୍ ନେବା ପାଇଁ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଥିଲା। ଖାଇବା ଅପେକ୍ଷା ଅନେକ ଲୋକ ଚୁଲାରୁ ବାହାରୁ ବାହାରୁ ଘରକୁ ପ୍ୟାକ୍ କରି ନେଉଥିଲେ। କେବଳ ପାନ୍ଥ ନିବାସରେ ପ୍ରଥମ ଦିନରେ ୭୫ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ୨ ଦିନରେ ମୋଟ୍ ୩ ଲକ୍ଷ ୮୧ ହଜାର ଟଙ୍କାର ପିଠା ବିକ୍ରି ହୋଇଥିଲା। ।
କଏଦୀ ପିଲାଙ୍କ ସହ ରଜ
ରାଜ୍ୟର ୨୨ଟି ଜେଲ୍ରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଶିଶୁମାନଙ୍କ ଗହଣରେ ରଜ ଉତ୍ସବ ମନାଇଥିଲେ ଭୁବନେଶ୍ୱର ମହା ସଂଗଠନ। ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ରହୁଥିବା କୋମଳମତି ପିଲାଙ୍କୁ ନୂଆ ପୋଷାକ ପ୍ରଦାନ ସହ ପୋଡ଼ ପିଠା ଓ ରଜପାନର ଆୟୋଜନ କରାଯାଇଥିଲା। ନୃତ୍ୟଗୀତର ଆୟୋଜନ ମଧ୍ୟ କରାଯାଇଥିଲା। ଶିକ୍ଷା ନିକେତନର ଅଧ୍ୟକ୍ଷା ନିରୋଜା ଲକ୍ଷ୍ମୀ ମହାପାତ୍ରଙ୍କ ସମେତ ସଂଗଠନର ଲିଟୁ ରାଉତରାୟ, ପ୍ରକାଶ କୁମାର ମଲ୍ଲିକ, ସିଦ୍ଧାନ୍ତ ଆଚାରୀ, ସରୋଜ ଜେନା ଏବଂ ସୁନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସିଲ୍କ ଶାଢ଼ିରେ ରଜ
ସିଲ୍କ ଶାଢ଼ିରେ ଉତୁରିଛି ରଜର ପରମ୍ପରା। ରଜ ଦୋଳିଠୁ ନେଇ ଧାନକେଣ୍ଡା, ପାନପତ୍ର, ପୋଡ଼ପିଠା ଓ ନୃତ୍ୟକୁ ନେଇ ଏହିଭଳି ଏକ ସ୍ୱତନ୍ତ୍ର ଡିଜାଇନ୍ କରିଛନ୍ତି ବିଶିଷ୍ଟ ଟେକ୍ସଟାଇଲ୍ ଡିଜାଇନର୍ ତଥା ରାଧିକା ଏକ୍ସକ୍ଲୁସିଭ୍ ଶାଢ଼ି ସୋ’ ରୁମ୍ର ସ୍ୱତ୍ତ୍ୱାଧିକାରୀ ବଙ୍କିମ କୁମାର ମିଶ୍ର। ସିଲ୍କ ଶାଢ଼ି ଅକ୍ଷତ ଅବସ୍ଥାରେ ପିଢ଼ି ପରେ ପିଢ଼ି ରହୁଥିବାରୁ ଏହା ଉପରେ ରଜ ପରମ୍ପରାକୁ ବେଶ୍ ନିଖୁଣ ଢଙ୍ଗରେ ସେ ଉପସ୍ଥାପନ କରିଛନ୍ତି।
ଝୁଲିଲା ୧୫୧ ଦୋଳି
ରାଜଧାନୀରେ ଏକାଠି ଝୁଲଲା ୧୫୧ ଦୋଳି। ପାତ୍ରପଡ଼ା ଓ ଭଗବାନପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମହାରାଜା କ୍ରିକେଟ୍ ଆସୋସିଏସନ୍ ପଡ଼ିଆରେ ସିମୁଳିଆ ଗଛରେ ଦୋଳି ଖେଳିବାର ସୁଯୋଗ ନେଇଛନ୍ତି ରାଜଧାନୀବାସୀ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଠାରେ ଦୋଳି ଖେଳିବାର ସୁଯୋଗ ମିଳିବ ବୋଲି ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏଥିସହିତ ଏଠାରେ ୧୫ରୁ ଊର୍ଧ୍ୱ ଫୁଡ୍ ଷ୍ଟଲ୍ରେ ପାରମ୍ପରିକ ପିଠା ଓ ଅନ୍ୟ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେଉଛି। ମହିଳାମାନଙ୍କ ମଧ୍ୟରେ ପୋଡ଼ପିଠା, ହୁଳହୁଳି ଓ ଶଙ୍ଖ ଫୁଙ୍କା ଏବଂ ଝିଅମାନଙ୍କ ମଧ୍ୟରେ ମେହେନ୍ଦି ଓ ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଉଛି।