ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅଧିକାଂଶ ସ୍ମାର୍ଟ ସିଟିରେ ଲୋକମାନେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ଅନୁଭବ କରିପାରିବେ। କିନ୍ତୁ ଏହା ପୂର୍ବରୁ ଅଗ୍ରଣୀ ସ୍ମାର୍ଟ ସିଟି ପ୍ରତିଯୋଗିତା ହେବ। ଏଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବଛା ଯାଇଥିବା ସ୍ମାର୍ଟ ସିଟିଗୁଡ଼ିକ ସାମିଲ୍ ହେବେ। କେଉଁ ସ୍ମାର୍ଟ ସିଟି କେତେ କାର୍ଯ୍ୟ କରିଛନ୍ତି, ଭବିଷ୍ୟତ ପାଇଁ କ’ଣ ଯୋଜନା କରିଛନ୍ତି ତା’ର ସବିଶେଷ ତଥ୍ୟ ଦେବେ। ଯେଉଁ ସ୍ମାର୍ଟ ସିଟି ଦ୍ରୁତ ଗତିରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରୁଥିବେ ସେଗୁଡ଼ିକୁ ଅଗ୍ରଣୀ ସ୍ମାର୍ଟ ସିଟି ପୁରସ୍କାର ମିଳିବ ବୋଲି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ନିକଟରେ ନୂଆଦିଲ୍ଲୀରେ ୟୁଏନ୍ ହାବିଟାଟ୍ ପକ୍ଷରୁ ଆୟୋଜିତ ‘ଅର୍ବାନ୍ ଜର୍ଣ୍ଣାଲିଜିମ୍ ଏକାଡେମି ଫର୍ ଓ୍ଵାର୍ଲଡ ଅର୍ବାନ୍ ଫୋରମ୍-୯’ ଶୀର୍ଷକ କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ ଯୋଗଦେଇଥିବାବେଳେ ଏଥିରେ ସମ୍ବାଦ ପ୍ରତିନିଧିଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ଏହା କହିଛନ୍ତି। ସହରାଞ୍ଚଳ ବିକାଶ ମନ୍ତ୍ରୀ କହିଥିଲେ ଯେ, ସ୍ମାର୍ଟ ସିଟି ଯୋଜନା ବିଶ୍ୱର ସବୁଠୁ ଶୀଘ୍ର କାର୍ଯ୍ୟକାରୀ ହେଉଥିବା ଯୋଜନା। ଏହା କିପରି ସଫଳ ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସ୍ମାର୍ଟ ସିଟିକୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଇଛି। ନିୟମିତ ବ୍ୟବଧାନରେ କାର୍ଯ୍ୟର ସମୀକ୍ଷା ହେଉଛି। ଯେପରି ସ୍ମାର୍ଟ ସିଟି କାର୍ଯ୍ୟରେ ସ୍ୱଚ୍ଛତା ରହିବ ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଟେଣ୍ଡର ହୋଇଥିବାବେଳେ ୪୨ଟି ସହରରେ ୧୪ଟି ଅନ୍ତର୍ଜାତୀୟ କମ୍ପାନି କାର୍ଯ୍ୟାଦେଶ ପାଇଛନ୍ତି। ରାତାରାତି ସ୍ମାର୍ଟ ସିଟି ଗଠନ ହୋଇପାରିବନି। ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ସ୍ମାର୍ଟ ସିଟିରେ ମୁଖ୍ୟତଃ ପୁନଃବିକାଶ କାର୍ଯ୍ୟ ହେଉଛି। ବିଭିନ୍ନ ଅଞ୍ଚଳରେ ନିର୍ମାଣ ହୋଇଥିବା ବିଲଡିଂ ଓ ପ୍ରକଳ୍ପକୁ ଭାଙ୍ଗିବା ପରେ ଏଠାରେ ନୂଆ ପ୍ରକଳ୍ପ ହେବ। ଏହାକୁ ଭାଙ୍ଗିବା, ଲୋକ/ବ୍ୟବସାୟୀଙ୍କୁ ଥଇଥାନ କରିବା, ନୂଆ ଅତ୍ୟାଧୁନିକ ଯୋଜନା ପ୍ରସ୍ତୁତ କରିବା, ପିପିପି ମୋଡ଼ରେ ହେଉଥିବା ପ୍ରକଳ୍ପ ପାଇଁ ସଂସ୍ଥା ଓ ଅର୍ଥ ଯୋଗାଡ଼ କରିବା ସମୟସାପେକ୍ଷ। ତେଣୁ ଏଥିପାଇଁ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ସ୍ମାର୍ଟ ସିଟିର ଅସଲ ରୂପ ଦେଖିବାକୁ ଅପକ୍ଷୋ କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସ୍ମାର୍ଟ ସିଟି ପ୍ରକଳ୍ପ ଯଦି ବିଳମ୍ବ ହେଉଛି ତେବେ ଏଥିପାଇଁ କୌଣସି ରାଜ୍ୟ ସରକାରଙ୍କୁ ଦାୟୀ କରିହେବନି। କାରଣ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଏସ୍ପିଭି ଗଠନ ହୋଇଛି। ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଅଛନ୍ତି। ଯେଉଁଠି ଏସ୍ପିଭି ଯେତେ ସୁଦୃଢ ସେଠାରେ କାର୍ଯ୍ୟ ସେତେ ଜଲ୍ଦି ହେବ। ତେଣୁ ଏସ୍ପିଭିକୁ ସୁଦୃଢ କରିବାକୁ ଆମେ ନିୟମିତ ପ୍ରକଳ୍ପର ସମୀକ୍ଷା କରିବା ସହିତ ଅଧିକାରୀମାନଙ୍କ ପାଇଁ କର୍ମଶାଳା ଆୟୋଜନ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।