ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେଲା ଶ୍ରୀଜଗନ୍ନାଥଙ୍କ ୧୧୫ ଭୋଗ

‘ଓଡ଼ିଶା ମନ୍ଦିରର ଭୋଗ ପରମ୍ପରା’, ‘ଶ୍ରୀଜଗନ୍ନାଥ ଜ୍ଞାନକୋଷ’ ଲୋକାର୍ପିତ

ଭୁବନେଶ୍ୱର: ମହାପ୍ରସାଦର ମହ ମହ ବାସ୍ନାରେ ମହକୁଥିଲା ଚତୁର୍ଦିଗ। ଅମୃତପ୍ରାୟ ଅନୁଭବ ହେଉଥିଲା ଏଭଳି ଏକ ପରିବେଶ। ଦେଖିବା କ୍ଷଣି ଆଖି ଲାଖି ଯାଉଥିଲା। ସ୍ୱାଦ ଟିକେ ପାଇବାକୁ ମନ ବ୍ୟାକୁଳ ହେଉଥିଲା। ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍‍ ଏବଂ ଶିକ୍ଷା ଓ ଅନୁସନ୍ଧାନର ମିଳିତ ସହଯୋଗରେ ଆଇଟିଇଆର୍‌ ବାଂଶୁରୀ ଗୁରୁ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ୧୧୫ରୁ ଊର୍ଧ୍ୱ ଭୋଗର ପ୍ରଦର୍ଶନୀ ସୃଷ୍ଟି କରିଥିଲା ଏହିଭଳି ଏକ ନିଆରା ଅବକାଶ। ଘିଅ ଅନ୍ନ, କାନିକା, ରସାବଳି, ରାବିଡ଼ି, ମସଲା ଡାଲେମା, ମୁଗଡାଲି, ମିଷ୍ଟାନ୍ନଠୁ ନେଇ କଦଳୀ ରସା, ଟାକୁଆ, ମାଠପୁଳି, ବିରି ନଡ଼ୁ, ପାଗ ଆରିସା, ଛାଚି କାକେରା, ସୁଆର ପିଠା, ଚୁଡ଼ା ଭଜା, ବେଟମୁଆଁ, ଚନ୍ଦ୍ରକାନ୍ତି, ହଂସକେଳି, ବଲ୍ଲଭ ଖଇ, ପାରିଜାତକ, ଅନ୍ନ ରସାବଳି, ତିପୁରୀ, ଖୁଆମଣ୍ଡା, ୬ କିସମର ପଖାଳ ସାଙ୍ଗକୁ ଆଖି ଦେଖିନଥିବା ଏବଂ କାନ ଶୁଣିନଥିବା ବହୁ କିସମର ଭୋଗ ପ୍ରଦର୍ଶିତ ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଶ୍ରୀମନ୍ଦିରରେ ପ୍ରସ୍ତୁତ ଏହି ଭୋଗ ମଧ୍ୟରୁ ଅନେକ ଆନନ୍ଦ ବଜାରରେ ମଧ୍ୟ ଉପଲବ୍ଧ ହେଉନଥିବା ବେଳେ ଆଜି ବିଶ୍ୱରେ ପ୍ରଥମଥର ପାଇଁ ଏମିତି ଏକାଠି ଏତେ କିସମର ଭୋଗ ପ୍ରଦର୍ଶନୀ ଲୋକଙ୍କୁ ରୋମାଞ୍ଚିତ କରିଥିଲା। ଖାଲି ସେତିକି ନୁହେଁ ଶ୍ରୀମନ୍ଦିରର ରୋଷଶାଳାରେ ଭୋଗର ପ୍ରସ୍ତୁତି ବି କୌଣସି ରୋମାଞ୍ଚଠାରୁ କମ୍‌ ନଥିଲା। ବରିଷ୍ଠ କୋଠଭୋଗ ସୂପକାର ବିଶ୍ୱନାଥ ସାମନ୍ତରା କହିଲେ, ଏଠି ପ୍ରଦର୍ଶିତ ହୋଇଥିବା ମହାପ୍ରସାଦ ଷଡ଼ଋତୁର ଭୋଗ। ମନ୍ଦିରର ରୋଷଘରକୁ ପ୍ରବେଶ ପୂର୍ବରୁ ସେବକମାନେ ଗଣେଶଙ୍କୁ ପ୍ରାର୍ଥନା କରି ଭିତରକୁ ପ୍ରବେଶ କରିବାକୁ ହୁଏ। ଦାଢ଼ି ନିଶ, ପାନ, ଗୁଟ୍‌ଖା, ଘଣ୍ଟା, ଦେବଦେବୀଙ୍କ ସିନ୍ଦୂର ପିନ୍ଧି ରୋଷଘରକୁ ଯିବା ସେବକମାନଙ୍କୁ ବାରଣ ରହିଥାଏ। ସେହିଭଳି ଚାଉଳ ବାଛିବା ପାଇଁ ଚାଉଳ ବଛା କରଣ ଥିବା ବେଳେ ବହୁ ସେବକ ନିୟୋଜିତ ହୋଇଥାଆନ୍ତି। ରୋଷଘରେ ଥିବା ଚୁଲା ୫ ପାଖୁଡ଼ା ବିଶିଷ୍ଟ ହୋଇଥିବା ବେଳେ ୫ଟି ଅନ୍ନ କୁଡ଼ିଆରେ ରନ୍ଧାଯିବା ଭଳି ବହୁ ରୋଚକ ବକ୍ତବ୍ୟ ରଖିଥିଲେ।

ପରେ ‘ଓଡ଼ିଶା ମନ୍ଦିରର ଭୋଗ ପରମ୍ପରା’ ଏବଂ ଏକେ ମିଶ୍ର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ଭାସ୍କର ମିଶ୍ରଙ୍କ ରଚିତ ‘ଶ୍ରୀଜଗନ୍ନାଥ ଜ୍ଞାନକୋଷ’ ଲୋକାର୍ପିତ ହୋଇଥିଲା। ବହି ଦୁଇଟି ପ୍ରଥମେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଦାଶଙ୍କୁ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସଂସ୍କୃତି ଗବେଷକ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ.ସୁବାସ ପାଣି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ରାଜେନ୍ଦ୍ର ପ୍ରସାଦ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଡ.ଭାସ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ୍‍ର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀମନ୍ଦିର ଧ୍ୱଜାବନ୍ଧା ସେବକ ଡ.ଶରତ ଚନ୍ଦ୍ର ମହାନ୍ତି, ଆଡ୍‌ଭୋକେଟ୍‌ ପୂର୍ଣ୍ଣଚନ୍ଦ୍ର ଦାସ, ନନ୍ଦକିଶୋର ଜେନା, ଡ.କଲ୍ୟାଣୀ ନନ୍ଦୀ, ପ୍ରଫେସର ମାନସ କୁମାର ମଲ୍ଲିକ, ଦେବେନ୍ଦ୍ର ସୁଆର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ‘ଓଡ଼ିଶା ମନ୍ଦିରର ଭୋଗ ପରମ୍ପରା’ରେ ନିବନ୍ଧ ଲେଖିଥିବା ୨୬ ଜଣ ଗବେଷକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଟ୍ରଷ୍ଟ୍‍ ପକ୍ଷରୁ ଆସନ୍ତା ଦିନରେ ଶ୍ରୀଜଗନ୍ନାଥ ଚେତନା ପାଠାଗାର ଓ ଗବେଷଣା କେନ୍ଦ୍ର ଏବଂ ପ୍ରଭୁଙ୍କ ବେଶ ଉପରେ ଆଲୋଚନାଚକ୍ର ଓ ପ୍ରଦର୍ଶନୀ କରାଯିବ ବୋଲି ସଭାପତି ଶ୍ରୀ ଦାସମହାପାତ୍ର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର