ଓଡ଼ିଶାରେ ପ୍ରଥମ, ଭୁବନେଶ୍ବରରେ ହେବ ବିଶ୍ବସ୍ତରୀୟ ପୁସ୍ତକ ମେଳା

୨୦୧୯ ଫେବ୍ରୁଆରି ୨୦ରୁ ୨୮ ପର୍ଯ୍ୟନ୍ତ ଚାଲିବ ମେଳା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତାବର୍ଷ ଫେବ୍ରୁଆରି ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଶ୍ବସ୍ତରୀୟ ପୁସ୍ତକ ମେଳା ଆୟୋଜିତ ହେବ। ବିଭାଗୀୟ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ବରଠାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ପୁସ୍ତକମେଳାରେ ବିଶ୍ବର ବିଭିନ୍ନ ଦେଶରୁ ଶତାଧିକ ପୁସ୍ତକ ପ୍ରକାଶନ ସଂସ୍ଥା ଅଂଶଗ୍ରହଣ କରିବେ। ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ଶହେ ବର୍ଗଫୁଟ କ୍ଷେତ୍ରଫଳ ବିଶିଷ୍ଟ ଷ୍ଟଲ ନିମନ୍ତେ ସା‌ଢ଼େ ୪ ହଜାର ଟଙ୍କା ଦେୟ ଅଟକଳ କରାଯାଇଛି। ଓଡ଼ିଆ ଏବଂ ଅନ୍ୟାନ୍ୟ ଭାଷାରେ ପ୍ରକାଶିତ ପୁସ୍ତକଗୁଡ଼ିକର ବିକ୍ରି ଉପରେ ଯଥାକ୍ରମେ ୧୦ ଓ ୫ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି। ପୁସ୍ତକ ମେଳାର ପ୍ରତି ସନ୍ଧ୍ୟାରେ ପୁସ୍ତକ ଉନ୍ମୋ‌ଚନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରତି ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଆ ଭାଷା ପ୍ରତିଷ୍ଠାନ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ମେଳା ପରିଚାଳନାର ଦାୟିତ୍ବ ନିର୍ବାହ କରିବେ। ଆଜି ଅପରାହ୍ଣରେ ସଂସ୍କୃତି ଭବନଠାରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ମେଳାର ସଫଳତା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ ନାୟକ, ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ତମସାରାଣୀ ଦାସମହାପାତ୍ର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ଗ୍ରନ୍ଥାଧ୍ୟକ୍ଷ ସନ୍ତୋଷ ଚାଟାର୍ଜୀ, ଶୁଭେନ୍ଦୁ ଶେଖର ରଥ, ଅଜୟ କୁମାର ପଣ୍ଡା, ବିଭୁପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର