ଭୁବନେଶ୍ବର: ସହିଦନଗର ଭବାନୀ ମଲ୍‌ ନିକଟରେ ଜଣେ ଯୁବକଙ୍କୁ ରାସ୍ତାରେ ଅଟକାଇ  ଛୁରି ଭୁସି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଶାନ୍ତିପଲ୍ଲୀ ବସ୍ତି ସାଇମନ୍ଦିର ଅଞ୍ଚଳର ପ୍ରକାଶ ମୁଦୁଲି ଓରଫ ଜଗା(୨୮), ବିକାଶ ସେଠୀ ଓରଫ ବାବାଜି(୨୦) ଓ ବିକି ସେଠୀ ଓରଫ ବଳିଆ(୨୦)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ କାର୍‌, ଛୁରି, ରଡ୍‌, ପାଇପ୍‌ ଆଦି ମାରଣାସ୍ତ୍ର ଜବତ କରିଛି। 

Advertisment

ସୂଚନା ମୁତାବକ, ଗତ ୧୩ ତାରିଖ ରାତି ପାଖାପାଖି ସାଢ଼େ ୧୦ଟା ସମୟରେ ସୋୟମ ନାୟକ ସହିଦନଗର ଭବାନୀ ମଲ୍‌ ନିକଟ ଏକ ଦୋକାନରୁ କୁକୁର ଖାଦ୍ୟ କିଣି ଘରକୁ ଫେରୁଥିଲେ। ଏହି ସମୟରେ ଜଗା, ବାବାଜି, ବିକି, ରାଜା, ହାପି ଓ ପାପୁନି ଏକ କାର୍‌ରେ ଆସି ହଠାତ୍‌ ସୋୟମଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଅତର୍କିତ ଭାବେ ରଡ୍‌ ଓ ପାଇପ୍‌ରେ ଆକ୍ରମଣ କରିଥିଲେ। ଏତିକିରେ ଥମିନଥିଲେ ଉତ୍ତ୍ୟକ୍ତ ଯୁବକ। ସୋୟମଙ୍କୁ ଛୁରିରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ସେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଯୁବକମାନ ତାଙ୍କୁ ରାସ୍ତାରେ ଫୋପାଡ଼ି ଫେରାର୍‌ ହୋଇଯାଇଥିଲେ। ଉତ୍ତ୍ୟକ୍ତ ଯୁବକମାନେ ସେଠାରେ ଏଭଳି ଆତଙ୍କ ଖେଳାଇଥିଲେ ଯେ ସେମାନଙ୍କୁ କେହି ଅଟକାଇବା ପାଇଁ ସାହସ ଜୁଟାଇପାରି ନଥିଲେ।  ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସୋୟମଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଏନେଇ ସୋୟମଙ୍କ ବାପା ଗୋପାଳ ଚନ୍ଦ୍ର ନାୟକ ଥାନାରେ ଅଭି‌ଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁକରି ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ୩ଜଣଙ୍କୁ ଗିରଫ କରି ଥାନାରେ ମାରାଥନ ଜେରା କରିଥିଲା। ତେବେ ଗତ ୨୦୨୦ ମସିହାରେ ସୋୟମଙ୍କ ବାଇକ୍‌ ଚୋରି ମାମଲା‌େର ସହିଦନଗର ଥାନା ପୁଲିସ ରାଜାକୁ ଗିରଫ କରିଥିଲା। ଯାହାକୁ ନେଇ ରାଜା ଓ ତାର ସହଯୋଗୀ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ  ବୋଲି ଅଭିଯୁକ୍ତ ସ୍ବୀକାର କରିଛନ୍ତି। ଆକ୍ରମଣ ପରେ ଜଗା ଅଭିଯୁକ୍ତ ରାଜା ଓ ହାପିକୁ ନିଜ କାର୍‌ରେ ପୁରୀକୁ ନେଇ  ସେଠାରେ ଛାଡ଼ିଥିଲା ବୋଲି ପୁଲିସ ସମ୍ମୁଖରେ ମାନିଥିଲା। ଜେରା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।