ଭୁବନେଶ୍ବର: ସାଲିଆସାହି ଅଞ୍ଚଳ ୱାର୍ଡ ନଂ୨୦ରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣାରେ ମୈତ୍ରୀବିହାର ପୁଲିସ୍‌ ଆଜି ଆଉ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହିର ଭାଗୀରଥି ସାହୁ(୪୩) ଓରଫ ଭାଗୀ ଓ ପ୍ରକାଶ ସେନାପତି(୪୦) ଓରଫ ନଟ। ଏହି ଘଟଣାରେ ୨୯ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ‌ ବି ମୁଖ୍ୟ ଅଭିଯୁକ୍ତ କର୍ପୋରେଟର୍‌ ପ୍ରେମାନନ୍ଦ ଜେନା ଫେରାର୍‌ ଅଛନ୍ତି। ତେବେ ଏହା ଭିତରେ ପ୍ରେମାନନ୍ଦ ବସ୍ତି ମଧ୍ୟରେ ଥିବ‌ା ଏକ ମନ୍ଦିର ପ୍ରାଙ୍ଗଣରେ ବସ୍ତି ମହିଳାମାନଙ୍କୁ ନେଇ ବୈଠକ କରିବାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଏହି ଘଟଣାର ସଲାସୁତରା କରିବା ପାଇଁ ପ୍ରେମାନନ୍ଦ ମହିଳାମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ଏହାସହ ଆଇନକୁ ସମ୍ମାନ ଦେବା ପାଇଁ ସେ ମହିଳାମାନଙ୍କୁ ଶପଥ ପାଠ କରାଉଛନ୍ତି। ସେହିପରି ବସ୍ତି ମଧ୍ୟକୁ ବାହାର ଲୋକଙ୍କୁ ପୂରାଇ ନ ଦେବାକୁ ସେ କହୁଛନ୍ତି।

Advertisment

ସୂଚନାଯୋଗ୍ୟ, ସାଲିଆସାହି ବସ୍ତିରେ ମୋଟ ୪ଟି ୱାର୍ଡ ରହିଛି। କିନ୍ତୁ ପ୍ରେମା‌ନନ୍ଦ ସଂପୂର୍ଣ୍ଣ ବସ୍ତିରେ ନିଜ ଆଧିପତ୍ୟ ଜାରି ରଖିବାକୁ ଚାହୁଥିଲେ। ଏଥିପାଇଁ ଅନ୍ୟ ତିନି କର୍ପୋରେଟର୍‌ଙ୍କ ସହ ତାଙ୍କର ବିଭିନ୍ନ ସମୟରେ ଛୋଟବଡ଼ ବିବାଦ ହେଉଥିଲା। ଗତ ୧୨ତାରିଖ ଦିନ ପ୍ରେମାନନ୍ଦ ଅନ୍ୟ ଜଣେ କର୍ପୋରେଟର୍‌ଙ୍କ ଅଞ୍ଚଳରେ ‌ବୈଠକ କରୁଥିବା ବେଳେ କୌଣସି କଥାକୁ ନେଇ ସନ୍ତୋଷଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି କଥାକୁ କେନ୍ଦ୍ର କରି ଗତ ୨୬ ତାରିଖ ଦିନ ପ୍ରେମା ଓ ତାଙ୍କ ସମର୍ଥକମାନେ ସନ୍ତୋଷ ଓ ସହଯୋଗୀ ଜିତୁଙ୍କୁ ଆକ୍ରମଣ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ‌ମୋଟ ୨୯ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।