ଖଣ୍ଡଗିରି: ଗୋଟିଏ ମିଟର ଉଚ୍ଚତା ବଢ଼ିଗଲା। ଏଥିଯୋଗୁଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ଅପେକ୍ଷାରେ ଝୁଲି ରହିଛି ଧର୍ମବିହାରସ୍ଥିତ ଖାରବେଳ ଏନକ୍ଲେଭ୍‌ର ୧୦୪ ଗ୍ରାହକଙ୍କ ଭାଗ୍ୟ। ଅପରପକ୍ଷରେ ପ୍ରତିଶ୍ରୁତିର ୧୩ ବର୍ଷ ପରେ ମଧ୍ୟ ଫ୍ଲାଟ୍‌ ହସ୍ତାନ୍ତର ହୋଇପାରୁ ନାହିଁ। ସେଥିରେ ପୁଣି ଫ୍ଲାଟ୍‌ର ମୂଲ୍ୟ ଦ୍ବିତୀୟ ଥର ବୃଦ୍ଧି ପାଇଁ ହାଉସିଂ ବୋର୍ଡ ଖର୍ଚ୍ଚ କମିଟି ପକ୍ଷରୁ ଆଲୋଚନା ଚାଲିଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ବ୍ୟାଙ୍କରୁ ଋଣ ନେଇ କିଣିଥିଲେ ଫ୍ଲାଟ୍‌। ଫ୍ଲାଟ୍‌ ମିଳିନି କିନ୍ତୁ ପ୍ରତି ମାସରେ ଋଣ ସୁଧ ସହିତ ଭଡ଼ା ଟଙ୍କା ଗଣିଗଣି ଥକି ଗଲେଣି ଖାରବେଳ ଏନକ୍ଲେଭ୍‌ରେ ଘର କରିବାର ସ୍ବପ୍ନ ଦେଖିଥିବା ଅନେକ ଗ୍ରାହକ। ଏମାନଙ୍କ ମଧ୍ୟରୁ ସସ୍ମିତା ପତିଙ୍କ ଭଳି କିଛି ଗ୍ରାହକ ଆଉ ଅପେକ୍ଷା କରିବା ସ୍ଥିତିରେ ମଧ୍ୟ ନାହାନ୍ତି। ଯେମିତି ହେଉ ପଛରେ ସେମାନଙ୍କୁ ଫ୍ଲାଟ୍‌ ହସ୍ତାନ୍ତର କରିବା ପାଇଁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡକୁ ବାରମ୍ବାର ଲିଖିତ ଭାବରେ ଜଣାଉଛନ୍ତି। ଏହା ସତ୍ତ୍ବେ କୌଣସି ଲାଭ ହୋଇ ନାହିଁ। ଗ୍ରାହକମାନେ ଫ୍ଲାଟ୍‌ ପାଇଁ ପ୍ରତିମାସ ହାଉସିଂ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଦେଖା କରୁଛନ୍ତି, ଯଥାଶୀଘ୍ର ଫ୍ଲାଟ୍‌ ଦେବାପାଇଁ କହୁଛନ୍ତି। କିନ୍ତୁ ପ୍ରତିଥର ସେମାନଙ୍କୁ ଗୋଟିଏ ପରେ ଗୋଟିଏ ତାରିଖ ମିଳୁଥିବା କହିଛନ୍ତି ଗ୍ରାହକ ସୁନୀଲ ମିଶ୍ର।

Advertisment

ଅଭିଯୋଗ ଅନୁଯାୟୀ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ୨୦୧୧ ମସିହାରେ ଧର୍ମବିହାରରେ ଖାରବେଳ ଏନକ୍ଲେଭ୍‌ର ନିର୍ମାଣ ଆରମ୍ଭ ହୋଇଥିଲା। ଲଟେରି ଜରିଆରେ ୧୦୪ ଗ୍ରାହକଙ୍କୁ ୪ ପ୍ରକାର ଫ୍ଲାଟ୍‌ ଆବଣ୍ଟନ ହୋଇଥିଲା। ଏଥିରେ ବ୍ଲକ-ଏର ୩ ବିଆର ଫ୍ଲାଟ୍‌ ପାଇଁ ୪୮.୭୫ ଲକ୍ଷ, ବ୍ଲକ-ବିର ୩ ବିଆର୍‌ ପାଇଁ ୪୮.୨୦ ଲକ୍ଷ, ୪ ବିଆର୍‌ ପାଇଁ ୪୯.୮୦ ଲକ୍ଷ, ୪ ବିଆର୍‌ ଡିଲକ୍ସ ପାଇଁ ୬୧.୪୦ ଲକ୍ଷ ଟଙ୍କା ରଖାଯାଇଥିଲା। ପ୍ରତିଶ୍ରୁତିର ୩୬ ମାସ ପରେ ମଧ୍ୟ ହାଉସିଂ ବୋର୍ଡ ଫ୍ଲାଟ୍‌ ଦେଲାନାହିଁ। ଗ୍ରାହକମାନଙ୍କ ଠାରୁ ଦୁଇଟି ପର୍ଯ୍ୟାୟରେ ଟଙ୍କା ପାଇବା ପରେ କୁହାଯାଇଥିଲା ଯେ ନିର୍ମାଣାଧୀନ ଜମି ଜବରଦଖଲ ମୁକ୍ତ ହୋଇନାହିଁ ତେଣୁ ଆଉ ଟଙ୍କା ଦିଅନ୍ତୁ। ୨୦୧୭ ମସିହାରେ ମୂଳ ଦର ସହିତ ୪୦% ଦର ବଢ଼ାଇ ଦେଇଥିଲା ହାଉସିଂ ବୋର୍ଡ। ଏହା ବିରୋଧରେ କିଛି ଗ୍ରାହକ ରେରା, ରାଜ୍ୟ ଉପଭୋକ୍ତା ଫୋରମ ଏବଂ ଜାତୀୟ ଉପଭୋକ୍ତା ଫୋରମର ଦ୍ବାରସ୍ଥ ହୋଇଥିଲେ। ଏହାପରେ ବର୍ଧିତ ମୂଲ୍ୟ ପ୍ରତ୍ୟାହାର ହୋଇନଥିଲେ ମଧ୍ୟ ନାମମାତ୍ର ଦର କମି ଥିଲା। ଅର୍ଥାତ ବର୍ତ୍ତମାନ ଆଉ ଥରେ ଫ୍ଲାଟ୍‌ ଦର ବଢ଼ିଲେ ଏହା ଦ୍ବିତୀୟ ଥର ଦର ବୃଦ୍ଧି ହେବ। ଯାହା ରେରାର ନିୟମ ଉଲ୍ଲଂଘନ ସହିତ ଅନ୍ୟାୟ ବୋଲି ଗ୍ରାହକମାନେ କହିଛନ୍ତି।

କ୍ରମାଗତ ଭାବେ ଗ୍ରାହକଙ୍କ ଚାପ ପରେ ହାଉସିଂ ବୋର୍ଡ ପକ୍ଷରୁ ୨୦୨୦ ମସିହା ଜୁନ୍‌ ୩୦ ତାରିଖ ସୁଦ୍ଧା ସମସ୍ତଙ୍କୁ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଫ୍ଲାଟ୍‌ ହସ୍ତାନ୍ତର ହୋଇପାରୁ ନାହିଁ। ଗ୍ରାହକଙ୍କ ଅନୁସାରେ, ବର୍ତ୍ତମାନ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ସରିଯାଇଛି। କେବଳ ବିଏମ୍‌ସିର ଡିଜାଇନ୍‌ ଅନୁମୋଦନର ଅପେକ୍ଷା ରହିଛି। ନିର୍ଦ୍ଧାରିତ ଉଚ୍ଚତା ଠାରୁ ଏହି ଆପାର୍ଟମେଣ୍ଟର ଉଚ୍ଚତା ଅଧିକ ହୋଇଯାଇଥିବାରୁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅନୁମତିର ଆବଶ୍ୟକତା ପଡ଼ୁଛି। ବିଏମ୍‌ସି ଡିଜାଇନ ଅନୁମୋଦନ ପରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମିଳିପାରିବ। ଓଡ଼ିଶା ହାଉସିଂ ବୋର୍ଡ ସଚିବ ରଶ୍ମିତାରାଣୀ ତରାସିଆ କହିଛନ୍ତି, ‘‘ଅଗ୍ନି ନିର୍ବାପକ ସୁରକ୍ଷା ପ୍ରମାଣପତ୍ର ପାଇଁ ସେମାନଙ୍କ ପରାମର୍ଶରେ ନିର୍ମାଣ ହେଲା। କିନ୍ତୁ ବର୍ତ୍ତମାନ ଉଚ୍ଚତା ବଢ଼ିଯାଇଛି। ତେଣୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତିର ଆବଶ୍ୟକ। ଯଥାଶୀଘ୍ର ଫ୍ଲାଟ୍‌ ହସ୍ତାନ୍ତର ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି।’’