ଭୁବନେଶ୍ୱର : ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ବାପ-ପୁଅଙ୍କୁ ଗରମ ତେଲ ମାଡ଼। ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ ଗତକାଲି ଏହି ଆପରାଧିକ ଘଟଣା ଘଟିଛି। ଗୁରୁତର ଆହତ ବାପ-ପୁଅ ହେଲେ, ଡୁମୁଡୁମାର ଗୌରାଙ୍ଗ ସାହୁ ଓ ଦିବ୍ୟାଙ୍ଗ ପୁଅ ଅନନ୍ତ ସାହୁ। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଦେହ ଓ ହାତରୁ ଚମଡ଼ା ଛାଡ଼ିଯିବା ସହ ଅବସ୍ଥା ସଂକଟାପନ୍ନ ରହିଛି। ଏ ସଂପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।
ସୂଚନା ଅନୁଯାୟୀ, ଡୁମୁଡୁମା ରଘୁନାଥନଗର ହୁନମାନ ମନ୍ଦିର ନିକଟରେ ଗୌରାଙ୍ଗଙ୍କ ଏକ ପାନ ଦୋକାନ ଅଛି। ତାଙ୍କ ଦୋକାନକୁ ଲାଗି ଦାମୋଦର ସାହୁଙ୍କ ଏକ ଜଳଖିଆ ଦୋକାନ ରହିଛି। ତେବେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବ୍ୟାବସାୟିକ ଶତ୍ରୁତା ରହିଛି। ପାଣି ଢାଳିବା, ଧୂଆଁ ଆସିବା, ଗ୍ରାହକ ଜଳଖିଆ ଖାଇବା ପରେ ଏଣେତେଣେ ପକାଇବାକୁ ନେଇ ଉଭୟ ଅନେକଥର ମୁହାମୁହିଁ ହୋଇଛନ୍ତି। ତେବେ ଏହି କାରଣକୁ ନେଇ ଗତକାଲି ଅପରାହ୍ଣରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦାମୋଦର ଓ ତାଙ୍କ ପୁଅ ପିଙ୍କୁନ ଏକ ଚା’ ତିଆରି ପାତ୍ରରେ ଗରମ ତେଲ ଧରି ଗୌରାଙ୍ଗ ଏବଂ ତାଙ୍କ ପୁଅ ଅନନ୍ତଙ୍କୁ ରାସ୍ତାରେ ଗୋଡ଼ାଇବା ସହ ତେଲ ଫିଙ୍ଗି ଦେଇଥିଲେ। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଉଭୟଙ୍କୁ ଧରିବା ପାଇଁ ଚଢ଼ଉ କରୁଛି। ତେବେ ଉଭୟ ଫେରାର୍ ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/boiling-oil_d_l.jpg)