ଧିରିକୁଟି ସାହିରେ ବାପା-ପୁଅ ଆକ୍ରାନ୍ତ

ବୁଧବାର ପର୍ଯ୍ୟନ୍ତ ଦାଢ଼ାପାଟଣା ପଞ୍ଚାୟତ ସଟ୍‌ଡାଉନ୍

ଚନ୍ଦ୍ରଶେଖରପୁର : ଆଜି ମଞ୍ଚେଶ୍ବର ରେଳ‌ ଷ୍ଟେସନ୍ ନିକଟ ଧିରିକୁଟି ସାହିରୁ ବାପା-ପୁଅ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ମଞ୍ଚେଶ୍ବର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତୁରନ୍ତ ସେମାନଙ୍କ ଅଞ୍ଚଳକୁ ବିଏମ୍‌ସି ସାନିଟାଇଜ୍ କରିବା ଓ ଆକ୍ରାନ୍ତଙ୍କ ସହ ମିଳାମିଶା କରିଥିବା ଲୋକଙ୍କୁ ସଂଗରୋଧ କେନ୍ଦ୍ର କିମ୍ବା ଘରେ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସ୍ଥାନୀୟ ବସ୍ତିବାସିନ୍ଦା ଦାବି କରିଛନ୍ତି। ଉକ୍ତ ଅଞ୍ଚଳରୁ ଦୁଇ ସପ୍ତାହ ପୂର୍ବେ କିଛି ଲୋକ ଗଞ୍ଜାମସ୍ଥିତ ତାଙ୍କ ଝିଅ ଘରକୁ ଯାଇଥିଲେ। ଫେରିବା ପରେ ସେମାନଙ୍କୁ ସଂଗରୋଧରେ ରହିବା ପାଇଁ କୁହାଯାଇଥିଲେ ମଧ୍ୟ‌ ସେମାନେ ବସ୍ତି ଲୋକଙ୍କ ‌କଥାକୁ ମାନି ନଥିଲେ। ଦୁଇଦିନ ପରେ ଉତ୍ତରାସ୍ଥିତ ସଂଗରୋଧ କେନ୍ଦ୍ରକୁ ପଠାଯିବା ପରେ ଆଜି ସେମାନେ ଆକ୍ରାନ୍ତ ଥିବା ନେଇ ଜଣାପଡ଼ିଛି। ସ୍ଥାନୀୟ ଲୋକ ପ୍ରତିନିଧି ଓ ଯୁବକ ସଂଘର ସଦସ୍ୟ ବସ୍ତିରେ ପହଞ୍ଚି ଲୋକଙ୍କୁ ଆତଙ୍କିତ ନହେବାକୁ ବୁଝାଶୁଝା କରିଛନ୍ତି। ଲଗାତାର ମଞ୍ଚେଶ୍ବର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓ ସେମାନଙ୍କ ମଧ୍ୟରୁ ଅନେକ ବାହାର ରାଜ୍ୟ ଶ୍ରମିକ ଥିବାରୁ ଏବେ ବସ୍ତିରେ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ସ୍ବାବ୍ ଟେଷ୍ଟିଂ ଆରମ୍ଭ ହୋଇଛି।

ବୁଧବାର ପର୍ଯ୍ୟନ୍ତ ଦାଢ଼ାପାଟଣା ପଞ୍ଚାୟତ ସଟ୍‌ଡାଉନ୍
ବାରଙ୍ଗ : ଆସନ୍ତା ବୁଧବାର ପର୍ଯ୍ୟନ୍ତ ବାରଙ୍ଗ ବ୍ଲକ ଦାଢ଼ାପାଟଣା ପଞ୍ଚାୟତକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଘୋଷଣା କରିଛି ପ୍ରଶାସନ। ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା ଏହି ସୂଚନା ଦେଇଛନ୍ତି। ଶନିବାର ଦାଢ଼ାପାଟଣା ଗ୍ରାମର ଜଣେ ୨୮ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ଗ୍ରାମ ଓ ବଜାରକୁ ସିଲ୍‌ କରାଯାଇଥିଲା। ଏବେ କିଛି ଅମାନିଆ ଯୁବକ ଏଣେତେଣେ ଲୁଚି ଛପି ବୁଲୁଛନ୍ତି। ଯୁବକମାନଙ୍କ ପାଇଁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ପଞ୍ଚାୟତ ଅଧୀନ ପଞ୍ଚୁପାଳ, କାନପୁର, ମଧୁସୂଦନପୁର ଓ ପଞ୍ଚାୟତ ଅଧୀନରେ ଥିବା ଷ୍ଟେସନ ବଜାର, ଗେଟ୍‌ ବଜାର, ସୀତାରାମ ବଜାର, ଡାକ୍ତରଖାନା ଛକ, ଗୋଲେଇ ଛକ, ଆନନ୍ଦ ବଜାରକୁ ବୁଧବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ବିଡିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଣେ ବୁଲୁଥିବା ଯୁବକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକ ଓ ସଂକ୍ରମିତଙ୍କ ଭ୍ରମଣ ତାଲିକା ଖୋଜା ଚାଲିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ସେ ଯେଉଁ ୧୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କାହାଠାରେ ଲକ୍ଷଣ ପ୍ରକାଶ ପାଇଲେ, ତୁରନ୍ତ ଚିକିତ୍ସା ପାଇଁ ପଠାଯିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର