ବାଲିଅନ୍ତା : ଆଗପଛ ହୋଇ ଚାଲିଗଲେ ବାପା-ପୁଅ, ବେଣୁପୁର ସ୍ତବ୍ଧ, କରୋନା ମୃତ୍ୟୁ ୧୧ ଛୁଇଁଲା

ବାଲିଅନ୍ତା : ଏକ ମାତ୍ର ପୁଅ ମହାମାରୀ କରୋନାରେ ଆକ୍ରାନ୍ତ ହେବା କଥା ଶୁଣିବା ମାତ୍ରେ ବାପାଙ୍କ ହୃଦ୍‌ଘାତ ହେଲା। କିନ୍ତୁ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ସେ ଆଖି ବୁଜିଦେଲେ। କୋଭିଡ୍‌ ହସ୍ପିଟାଲରେ ଥିବା ପୁଅ ମୁଖାଗ୍ନି ଦେଇ ପାରିଲେ ନାହିଁ କି ବାପାଙ୍କ ଶେଷ ଦର୍ଶନ କରି ପାରିଲେ ନାହିଁ। ଦୁଃଖ ଏତିକିରେ ସରିନଥିଲା। ବାପାଙ୍କ ଶବ ସତ୍କାର କରି ଆତ୍ମୀୟମାନେ ଶ୍ମଶାନରୁ ଫେରିବା ପୂର୍ବରୁ ପୁଅ କୋଭିଡ୍‌ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କଲେ। ମାତ୍ର ୫/୭ ଘଣ୍ଟା ଭିତରେ ବାପା-ପୁଅ ଡକାଡକି ହୋଇ ଆରପାରିକୁ ଚାଲିଗଲେ। ଏଭଳି ଏକ ଦୁଃଖଦ ଘଟଣା ସମଗ୍ର ବାଲିଅନ୍ତା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ବାଲିଅନ୍ତା ବ୍ଲକ ବେଣୁପର ପଞ୍ଚାୟତ ମହାଜନ ସାହିର ଅବସରପ୍ରାପ୍ତ ସରକାରୀ କର୍ମଚାରୀ କୈଳାସ ଚନ୍ଦ୍ର ସାହୁ (୭୦)ଙ୍କ ଏକ ମାତ୍ର ପୁଅ ତୁଟୁ ଗତ କିଛି ଦିନ ଧରି ଥଣ୍ଡା ଜ୍ବରରେ ପୀଡ଼ିତ ହୋଇ ସ୍ବାବ୍ ପରୀକ୍ଷା କରାଇଥିଲେ। ପରୀକ୍ଷା ରିପୋର୍ଟରୁ ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଗତ ୯ ତାରିଖରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାପାଙ୍କ ଦୁର୍ବଳ ଅବସ୍ଥା ପାଇଁ ତୁଟୁ ଏହି ଖବର ତାଙ୍କୁ ନ ଜଣାଇବାକୁ କହିଥିଲେ। ତେବେ ହସ୍ପିଟାଲରେ ତୁଟୁ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଜୀବନମରଣ ସହ ସଂଗ୍ରାମ କରୁଥିବାବେଳେ ଗତକାଲି ଅପରାହ୍ନରେ କୌଣସି ସୂତ୍ରରୁ ବାପା କୈଳାସ ଏହି କଥା ଜାଣିବାକୁ ପାଇଥିଲେ। ଏକ ମାତ୍ର ପୁଅ‌ କୋଭିଡ୍‌ ଆକ୍ରାନ୍ତ ହୋଇ ଆଇସିୟୁରେ ଥିବା ଖବର ପାଇବା ପରେ ସେ ହଠାତ୍ ଚଟାଣ ଉପରେ ଟଳି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ବ୍ୟବଚ୍ଛେଦ ସରିବା ପରେ ଆତ୍ମୀୟସ୍ବଜନମାନେ ଗାଁ ଶ୍ମଶାନରେ ଶବ ସତ୍କାର କରିଥିଲେ। ସେମାନେ ଶବ ସତ୍କାର କରି ଘରକୁ ଫେରିବାବେଳକୁ ହସ୍ପିଟାଲରୁ ତୁଟୁଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା। ଏହି ଖବର ପହଞ୍ଚିବା ପରେ ସମଗ୍ର ମହାଜନ ସାହି ସ୍ତବ୍ଧ ହୋଇଯାଇଥିଲା। କେବଳ ଉକ୍ତ ପରିବାରରେ ନୁହେଁ, ସମଗ୍ର ଗାଁରେ କାନ୍ଦବୋବାଳି ପଡ଼ି ଯାଇଥିଲା। ଆଜି ପୂର୍ବାହ୍ନରେ ବିଏମ୍‌ସି ପକ୍ଷରୁ ତୁଟୁଙ୍କ ମୃତଦେହକୁ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କୈଳାସ ଆଚାର୍ଯ୍ୟବିହାରସ୍ଥିତ ଆଞ୍ଚଳିକ ଗବେଷଣା କେନ୍ଦ୍ରରୁ ଅବସର ଗ୍ରହଣ କରିଥିବା ବେଳେ ତୁଟୁ ମଧ୍ୟ ସେଠାରେ ଚାକିରି କରିଥିଲେ।

ତୁଟୁଙ୍କ ମୃତ୍ୟୁ ପରେ ବାଲିଅନ୍ତା ବ୍ଲକରେ କରୋନା ମୃତ୍ୟୁ ୧୧ ଛୁଇଁଛି। ପୂର୍ବରୁ ବାଳକାଟି ପ୍ରତାପଶାସନ ପଞ୍ଚାୟତରେ ୬ ଜଣ, ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ମହାଜନ ସାହିରୁ ଜଣେ, ବାଲିଅନ୍ତାରୁ ଜଣେ ଏବଂ ପ୍ରତାପରୁଦ୍ରପୁରରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ତେଣୁ ବାଲିଅନ୍ତାରେ କରୋନା ମହାମାରୀକୁ ନେଇ ଦିନକୁ ଦିନ ଭୟ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର